ଅସ୍ତିତ୍ବର ଦୁଇ ଅଂଶ
ଯଚିନ୍ଦ୍ର ରାଉତ
ଦୃଶ୍ୟମାନ ଜଗତ ସହିତ ବିଜ୍ଞାନ ସଂଶ୍ଳିଷ୍ଟ ଥିବାବେଳେ ଆଧ୍ୟାତ୍ମିକତାର ସଂପୃକ୍ତି ଥାଏ ଉପସ୍ଥିତି ସତ୍ତ୍ବେ ଅଦୃଶ୍ୟ ଥିବା ଏକ ଜଗତ ସହିତ। ଅସ୍ତିତ୍ବରେ ଏ ଦୁଇଟି ଯାକ ପରସ୍ପରର ପରିପୂରକ ଭଳି ଉପସ୍ଥିତ ଥାଆନ୍ତି ଏବଂ ଏ ଦୁଇଟିକୁ ଦ୍ୱୈତ ଭାବେ ନ ଦେଖି ଏକକ ଭାବେ ଦେଖାଯିବା ଉଚିତ। ଏହାର ଅର୍ଥ ଅସ୍ତିତ୍ବର ବାହ୍ୟ ଆବରଣ ହେଉଛି ଶରୀର ଏବଂ ତା’ ଅଭ୍ୟନ୍ତରରେ ଥାଏ ସେହି ଅଦୃଶ୍ୟ ସତ୍ତା। କିନ୍ତୁ ଆମର ସମସ୍ୟାଟି ହେଲା ଯାହା ଦିଶେ ନାହିଁ ବା ଯାହାକୁ ଇନ୍ଦ୍ରିୟାନୁଭୂତି ଦ୍ବାରା ବୋଧ କରି ହୁଏନାହିଁ, ତାହା ନାହିଁ ବୋଲି ଆମେମାନେ ଧରି ନେଉଁ, ଯଦିଓ ଇନ୍ଦ୍ରିୟାନୁଭୂତିର ପରିସର ସୀମିତ ବୋଲି ଆମେ ସମସ୍ତେ ଜାଣିଥାଉଁ। ସୁଇଚ ଟିପିଲା ମାତ୍ରକେ ବଲ୍ବଟିଏ ଜୀବନ୍ତ ହୋଇ ଉଠେ, ଅର୍ଥାତ୍ ଜଳି ଉଠେ! ବଲ୍ବକୁ ପ୍ରାଣ ଦିଏ ବିଜୁଳି ଶକ୍ତି, ଯାହା ଅଦୃଶ୍ୟ! ବିଜୁଳି ଶକ୍ତିର ଧକ୍କା ଆମେ ଅନୁଭବ କରିଥାଉଁ ବୋଲି ତା’ର ଉପସ୍ଥିତି ବିଷୟରେ ଜାଣିପାରୁ! ଯଦି ସେଭଳି ହେଉ ନ ଥାଆନ୍ତା, ତେବେ ବିଜୁଳି ଶକ୍ତିର ରହସ୍ୟ ଭେଦ କରିବା ମଧ୍ୟ କଷ୍ଟକର ହୁଅନ୍ତା, ଯେମିତି ଆମମାନଙ୍କ ଶରୀର କେମିତି ଚାଳିତ ହୁଏ, କେଉଁ ରହସ୍ୟମୟ ଉର୍ଜା ତାକୁ ଚଳାଏ, ଯାହାର ରହସ୍ୟ ସଂପୂର୍ଣ୍ଣ ଉନ୍ମୋଚନ କରିବା ଏ ଯାବତ୍ ସମ୍ଭବ ହୋଇନାହିଁ, ଯଦିଓ ପ୍ରାଣୀ ବିଜ୍ଞାନୀମାନେ ଶାରୀରିକ କ୍ରିୟକଳାପକୁ ସମ୍ଭବ କରୁଥିବା ଭୌତିକ ଦିଗଗୁଡ଼ିକୁ ପ୍ରାୟତଃ ଜାଣି ସାରିଲେଣି।
ରେନେସାଁ ବା ଜ୍ଞାନର ପୁନର୍ଜାଗରଣ (ଚତୁର୍ଦଶରୁ ସପ୍ତଦଶ ଶତାବ୍ଦୀ) ହେତୁ ଯେଉଁ ନୂତନ ଜ୍ଞାନର ପରଂପରା ସୃଷ୍ଟି ହେଲା, ତହିଁରେ ବିଜ୍ଞାନ ଓ ପ୍ରଯୁକ୍ତି ଗୁରୁତ୍ବ ଲାଭ କଲା। ବୈଜ୍ଞାନିକ ପରୀକ୍ଷାନିରୀକ୍ଷା ଦ୍ବାରା ଯାହା ପ୍ରମାଣିତ ହୋଇପାରିଲା, ତାହା ହିଁ ବାସ୍ତବ ଓ ସତ୍ୟ ବୋଲି ଧାରଣା ବଦ୍ଧମୂଳ ହେଲା! ସୁତରାଂ, ବୈଜ୍ଞାନିକ ପରୀକ୍ଷାନିରୀକ୍ଷା ଦ୍ବାରା ପରିଭାଷିତ ହୋଇ ପାରୁ ନ ଥିବା ଅନେକ ସୂକ୍ଷ୍ମ ଓ ଗୂଢ଼ ଅନୁଭବର ସଂଦର୍ଭମାନ ମହତ୍ତ୍ବ ହରାଇଲେ; ଅନେକତ୍ର ସେ ସବୁ ଧାରଣା ଅନ୍ଧବିଶ୍ବାସ ଭାବେ ସ୍ବୀକୃତ ହେଲା। ଏହା ଫଳରେ ବିଜ୍ଞାନ ଓ ଆଧ୍ୟାତ୍ମିକତା ଅସ୍ତିତ୍ବର ଦୁଇ ଅବିଚ୍ଛେଦ୍ୟ ଅଂଶ ଭାବେ ପରିଗଣିତ ନ ହୋଇ ପରସ୍ପରର ବିପରୀତ ବୋଲି ପରିଗଣିତ ହେଲେ। ଏହା ଯଦିଓ ସତ ଯେ ଆଧ୍ୟାତ୍ମିକତାକୁ ଘେରି ଅନେକ କୁସଂସ୍କାର ଓ ଅନ୍ଧବିଶ୍ବାସ ମଧ୍ୟ ଜନ୍ମ ନେଇଛି, କିନ୍ତୁ ଅସ୍ତିିତ୍ବର ମୂଳପିଣ୍ଡ ଭାବେ ଏହାର ଗୁରୁତ୍ବକୁ କଦାପି ଖାରଜ କରିହେବ ନାହିଁ।
ବିଜ୍ଞାନ ବାସ୍ତବ କଥା କୁହେ, ଆଧ୍ୟାତ୍ମିକତା ଅନୁଭବର କଥା। ଏବଂ ଆଧ୍ୟାତ୍ମିକତା କୌଣସି ସାଧାରଣ ଅନୁଭବ ନୁହେଁ, ଏହା ହେଉଛି ସେଇ ଅନୁଭବ, ଯାହା ରାଜପୁତ୍ର ଗୌତମଙ୍କୁ ବୁଦ୍ଧରେ ପରିଣତ କରିଥିଲା। ତେବେ, ମୂଳ କଥାଟି ହେଲା, କେବଳ ସନ୍ନ୍ୟାସୀ ବା ଅଧ୍ୟାତ୍ମର ଅନ୍ବେଷଣକାରୀମାନେ ନୁହନ୍ତି, ବିଶିଷ୍ଟତମ ବୈଜ୍ଞାନିକମାନେ ତାଙ୍କ ଗବେଷଣା ଓ ନିବିଷ୍ଟ ଚିନ୍ତନ କାଳରେ ଏଭଳି ସ୍ଥାନରେ ପହଞ୍ଚିଛନ୍ତି, ଯେଉଁଠି ଉତ୍ତର ଦେବାରେ ବିଜ୍ଞାନର ଯୌକ୍ତିକତା ସମର୍ଥ ହୋଇନାହିଁ। ଅବଲୀଳା କ୍ରମେ ସେମାନେ ଅଧ୍ୟାତ୍ମର ଉପସ୍ଥିତିକୁ ହୃଦୟଙ୍ଗମ କରିଛନ୍ତି। ପଦାର୍ଥବିଜ୍ଞାନର ପ୍ରାରମ୍ଭ ହୋଇଥାଏ ଭୌତିକ ଜଗତରୁ ଅର୍ଥାତ୍ ବସ୍ତୁ, ତାହାର ଘନତା ଇତ୍ୟାଦିର ବିଚାରରୁ, କିନ୍ତୁ ତାହା ଯେତେବେଳେ ‘କ୍ବାଣ୍ଟମ’ ଓ ‘ସବ୍-କ୍ବାଣ୍ଟମ’ ସ୍ତରରେ ପହଞ୍ଚେ, ସେତିକିବେଳେ ଏଭଳି ରହସ୍ୟମୟ ଦୁନିଆ ପ୍ରତିଭାତ ହୋଇ ଉଠେ ଯେ ପଦାର୍ଥବିଜ୍ଞାନୀମାନେ ସ୍ରଷ୍ଟାର ଭିଆଣ ଆଗରେ ମଥା ନତ ହୁଅନ୍ତି। ଆଲବର୍ଟ ଆଇନଷ୍ଟାଇନ, ନିଲ୍ସ ବୋର ଓ ରଥରଫୋର୍ଡଙ୍କ ଭଳି ଅନେକ ଯୋଗଜନ୍ମା ବୈଜ୍ଞାନିକ ଗଭୀର ଅଧ୍ୟାତ୍ମ ବିଶ୍ବାସୀ ମଧ୍ୟ ହୋଇ ଉଠିଥିଲେ।
ସପ୍ତଦଶ ଶତାବ୍ଦୀର ପ୍ରଖ୍ୟାତ ନାଟ୍ୟକାର ୱିଲିଅମ ସେକ୍ସପିଅରଙ୍କ ପ୍ରସିଦ୍ଧ ନାଟକ ‘ହାମଲେଟ’ରେ ନାୟକ ହାମଲୋଟ ନିଜ ପରମ ମିତ୍ର ହୋରେସିଓଙ୍କୁ ଯାହା କହୁଛନ୍ତି, ତା’ର ମର୍ମାର୍ଥ ହେଲା, ଏ ପୃଥିବୀରେ ଏମନ୍ତ ରହସ୍ୟମୟ ବ୍ୟାପାରମାନ ଘଟିଥାଏ, ତାହା ତୁମର ବିଦ୍ୟା ବୁଦ୍ଧି କଳି ପାରିବା ସମ୍ଭବ ନୁହେଁ। ଏହା ପଛରେ ଥିବା ଘଟଣାଟି ହେଲା ନିଜ ମୃତ ପିତା ତଥା ଡେନମାର୍କର ରାଜାଙ୍କ ପ୍ରେତାତ୍ମାକୁ ଦେଖିଥିବା ସଂଦର୍ଭରେ ହାମଲେଟ ଏହି କଥା ହୋରେସିଓଙ୍କୁ କହୁଛନ୍ତି, ଯିଏ ୱିଟେନବର୍ଗ ବିଶ୍ବବିଦ୍ୟାଳୟର ଛାତ୍ର ଭାବେ ବୁଦ୍ଧିବାଦୀ, ଯୁକ୍ତିବାଦୀ ଓ ବାସ୍ତବବାଦୀ! ଏହି ଉଦାହରଣର ଅର୍ଥ ନୁହେଁ ଯେ ଭୂତପ୍ରେତ ଅଛନ୍ତି ବୋଲି ଏକାବେଳକେ ବିଶ୍ବାସ କରିଯିବା, ଏହାର ଉଦ୍ଦେଶ୍ୟ ହେଉଛି ଏତିକି ଯେ ଯାହା ଆମେ ଜାଣି ନାହୁଁ ବା ଯାହା ସବୁ ଆମ ଇନ୍ଦ୍ରିୟାନୁଭୂତିରୁ ବାହାରେ, ସେ ସବୁ ଆଦୌ ନାହିଁ ବୋଲି ଧାରଣାରୁ ମୁକ୍ତ ହେବା। ଅସ୍ତିତ୍ବର ଦୁଇଟି ଅଂଶକୁ ବୁଝିବାକୁ ଚେଷ୍ଟା କଲେ ହିଁ ଦୃଷ୍ଟି ଓ ବିଚାର ପରିବ୍ୟାପ୍ତ ହେବ। ଏଣୁ ଶରୀର ଭଳି ଅଧ୍ୟାତ୍ମର ବାସ୍ତବତାକୁ ବୁଝିବାର ଚେଷ୍ଟା ଜାରି ରହିବା ଉଚିତ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୭୦୦୮୭୫୮୬୨୪
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।