ଆଜି ଶ୍ରୀ ମନ୍ଦିରରେ ବାମନ ଜନ୍ମ ନୀତି

Sep 23, 2026 - 09:52
ଆଜି ଶ୍ରୀ ମନ୍ଦିରରେ ବାମନ ଜନ୍ମ ନୀତି

ପୁରୀ : ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି । ପୁରୀ ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କର ପବିତ୍ର ବାମନ ଜନ୍ମ ନୀତି । ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର ବାମନ ଦେବଙ୍କ ଆବିର୍ଭାବ ଉତ୍ସବକୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବିଧି ବିଧାନ ସହ ପାଳନ କରାଯାଉଛି । ଏହି ଅବସରରେ ଶ୍ରୀନଅରରେ ହେବ ସୁନିଆଁ ଉତ୍ସବ । 

ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହେବା ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଳିବାମନ ବେଶ ଅନୁଷ୍ଠିତ ହୋଇଛି । ବାମନ ରୂପୀ ବାଳକ ରୂପରେ ରତ୍ନ ସିଂହାସନରେ ଉଭା ହୋଇଛନ୍ତି ମହାପ୍ରଭୁ । ଶ୍ରୀବଳଭଦ୍ର ରାଜବେଶ ଧାରଣ କରିଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶରେ ସଜ୍ଜିତ କରାଯାଇଛି । ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିବାରୁ ସେହି ସ୍ମୃତିକୁ ବହନ କରି ଏହି ବଳିବାମନ ବେଶ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି । 

ଏହି ସ୍ୱତନ୍ତ୍ର ନୀତିକୁ ଦୃଷ୍ଟିରେ ରଖି ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନ ଧୂପ ଉଠିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ ହେବ। ତିନି ବାଡ଼ରେ ବନ୍ଦାପନା ପରେ କଳସ ବରୁଣ ପୂଜା ସମ୍ପନ୍ନ ହୋବ। ପତିମହାପାତ୍ର ଓ ମୁଦିରସ୍ତ ଥାଇ ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣ ଘରେ ଭୋଗ ଶେଷ ପରେ କୃଷ୍ଣ (ବାମନ)ଙ୍କୁ ଭିତର ସିଂହାସନକୁ ବିଜେ କରାଯିବ । ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡିପ୍ରସାଦ ଲାଗି କରିବା ପରେ କୃଷ୍ଣଙ୍କୁ ସର୍ବତ୍ର ଭଦମଣ୍ଡଳ ଉପରେ ବିଜେ କରାଯିବ । ଏକ କ୍ଷୁଦ୍ରାକୃତି ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରି ଶୀତଳ ଭୋଗ କରାଯାଇ ଗର୍ଭ ଉଦକ ଲାଗି ପଞ୍ଚ ଉପଚାରରେ ପୂଜା କରାଯିବ । ଖଣ୍ଡୁଆ ଘୋଡ଼ାଇ ଜନ୍ମବିଧି ନୀତି ସମ୍ପନ୍ନ ହେବ ।

ଏହି ଶୁଭ ଦିନରେ ଶ୍ରୀନଅରରେ ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କର ନୂଆ ଅଙ୍କ ଗଣନା ମଧ୍ୟ ଆରମ୍ଭ ହେବ । ରାଜକୀୟ ନବବର୍ଷର ଆରମ୍ଭ ସହ ଶ୍ରୀନଅରରେ ପାଳନ ହେବ ସୁନିଆଁ ଉତ୍ସବ । ଗଜପତିଙ୍କ ଅଭିଷେକ ଶାସନର ୭୧ ଅଙ୍କ ଓ ୧୪୩୪ ସାଲ୍ ଆଜି ଠାରୁ ଆରମ୍ଭ ହେବ । ଗଜପତି ମହାରାଜାଙ୍କ ନାମ ସହ ନୂଆ ସାଲ ଓ ନୂଆ ଅଙ୍କ ଉଲ୍ଲେଖ ଥିବା ସୁବର୍ଣ୍ଣ ମୁଦ୍ରା ଆଜି ଠାରୁ ପ୍ରଚଳିତ ହେବ ।  ପାରିଷଦ ବର୍ଗ ଏହି ଅବସରରେ ଗଜପତି ମହାରାଜଙ୍କୁ ସୁନିଆଁ ଭେଟି ଦେବେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।