ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୁର୍ଣ୍ଣିବଳୟ
ଭୁବନେଶ୍ଵର: ଅକ୍ଟୋବର ରେ ପୁଣି ବାତ୍ୟା ଆଶଙ୍କା ! ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୁର୍ଣ୍ଣିବଳୟ । ପଶ୍ଚମ -ଉତ୍ତର ପଶ୍ଚିମ ଦିଗକୁ ଗତି କରି ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ଅକ୍ଟୋବର ମାସରେ ବାତ୍ୟା ଅନୁକୂଳ ପରିବେଶ ସୃଷ୍ଟି ହେଉଥିବାରୁ ଏହା ଓଡ଼ିଶା ଉପକୂଳ ମୁହାଁ ହେବ କି ନାହିଁ ଏବଂ ଏହାର ତୀବ୍ରତା କେତେ ରହିବ, ସେ ନେଇ ପାଣିପାଗ ବିଜ୍ଞାନୀମାନେ ଅନୁଧ୍ୟାନ କରୁଛନ୍ତି । ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଏପର୍ଯ୍ୟନ୍ତ ବାତ୍ୟା ସମ୍ପର୍କରେ କୌଣସି ନିଶ୍ଚିତ ଆକଳନ କରାଯାଇନାହିଁ ।
ଉତ୍ତର ତାମିଲନାଡୁ ଉପକୂଳ ନିକଟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଉପର ବାୟୁ ସଞ୍ଚାଳନ ପ୍ରକ୍ରିୟା ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା ୨୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ ବୋଲି ଆକଳନ କରାଯାଉଛି।
ଭାରତୀୟ ପାଣିପାଗ ବିଭାଗର ଅକ୍ଟୋବର ୨୧ର ବୁଲେଟିନ୍ ଅନୁଯାୟୀ, ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ତିନି ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇପାରେ ।
ଏହି ପ୍ରଣାଳୀ କେଉଁ ଦିଗକୁ ଗତି କରିବ ଏବଂ ଏହାର ତୀବ୍ରତା କେତେ ରହିବ, ତାହା ଉପରେ ପାଣିପାଗ ବିଶେଷଜ୍ଞମାନେ ନଜର ରଖିଛନ୍ତି । ଲଘୁଚାପ ସୃଷ୍ଟି ହେବା ପରେ ଏହାର ପରବର୍ତ୍ତୀ ସ୍ଥିତି ଅଧିକ ସ୍ପଷ୍ଟ ହେବ । ତେଣୁ ଓଡ଼ିଶା ଉପକୂଳରେ ବାତ୍ୟା ମାଡ଼ ହେବା ନେଇ ଏବେଠାରୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ପାଣିପାଗ ସମ୍ପର୍କିତ ସଦ୍ୟତମ ଓ ଅଧିକାରିକ ସୂଚନା ପାଇଁ IMDର ବୁଲେଟିନ୍ ଉପରେ ନଜର ରଖିବା ଜରୁରୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।