ଆଫ୍‌ଗାନିସ୍ତାନକୁ ୨୦୨୭ ବିଶ୍ବକପ୍‌ ଯୋଗ୍ୟତା

Aug 12, 2026 - 13:28

ବେଲ୍‌ଫାଷ୍ଟ, ୧୧ା୮: ଆଫ୍‌ଗାନିସ୍ତାନ ୨୦୨୭ ଦିନିକିଆ ବିଶ୍ବକପ୍‌ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଛି। ସୋମବାର ଏଠାରେ ୩ୟ ଦିନିକିଆରେ ଘରୋଇ ଆୟରଲାଣ୍ଡକୁ ଆଫ୍‌ଗାନିସ୍ତାନ ୩ ୱିକେଟ୍‌ରେ ପରାସ୍ତକରି ୨-୦ରେ ଆଗୁଆ ହୋଇଛି। ଆଫ୍‌ଗାନିସ୍ତାନ ୨୦୨୭ ବିଶ୍ବକପ୍‌ ପାଇଁ ଯୋଗ୍ୟତା ଦ୍ବାରରେ ଥିବା ବେଳେ ଏହି ବିଜୟ ଏହା ନିଶ୍ଚୟ କରିଛି। ରସିଦ୍‌ ଖାଁ ଓ ଗଜନଫର ୩ଟି ଲେଖାଏଁ ୱିକେଟ୍‌ ନେବାରୁ ଆୟରଲାଣ୍ଡ ୨୦୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପରେ ରହମନୁଲ୍ଲା ଗୁର୍‌ବାଜଙ୍କ ୭୧ ଓ ରସିଦ୍ ଖାଁଙ୍କ ଅପରାଜିତ ୩୭ ରନ୍‌ ବଳରେ ୩୧ଟି ବଲ୍‌ ବାକିଥାଇ ୭ ୱିକେଟ୍‌ ହରାଇ ଆଫ୍‌ଗାନିସ୍ତାନ ଜିତିଥିଲା। ୨୦୨୭ ଦିନିକିଆ ବିଶ୍ବକପ୍‌ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବ୍ୟାରେ ଆୟୋଜନ ହେବ। ଏଥିରେ ୧୪ଟି ଦଳ ଖେଳିବେ। ଦୁଇ ଆୟୋଜକ ଦେଶ ଭାବେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି। ଚଳିତବର୍ଷ ସେପ୍ଟେମ୍ବର ୩୧ ସୁଦ୍ଧା ଆଇସିସି ଦିନିକିଆ ମାନ୍ୟତାରେ ଶ୍ରେଷ୍ଠ ୮ଟି ଦଳ ସିଧାସଳଖ ଯୋଗ୍ୟତା ହାସଲ କରିବେ। ଆଫ୍‌ଗାନିସ୍ତାନ ଦିନିକିଆ ମାନ୍ୟତାରେ ଏବେ ୮ମ ସ୍ଥାନରେ ଥିବାରୁ ଏହାକୁ ବିଶ୍ବକପ୍‌ର ଟିକଟ ମିଳିବ। ୱେଷ୍ଟଇଣ୍ଡିଜ୍‌ ସହ ଅନ୍ୟ ଦଳମାନଙ୍କୁ ଯୋଗ୍ୟତା ପର୍ଯ୍ୟାୟ ଖେଳି ବାକି ୪ଟି ସ୍ଥାନ ଦଖଲ କରିବାକୁ ପଡ଼ିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।