ଆସିବ ‘ପ୍ଲାଷ୍ଟିକ୍ ଅପସାଇକ୍ଲିଂ ନୀତି’ ; ବର୍ଜ୍ୟ ପ୍ଲାଷ୍ଟିକରୁ ତିଆରି ହେବ ଗୃହ ନିର୍ମାଣ ସାମଗ୍ରୀ

Oct 06, 2026 - 15:27

ଭୁବନେଶ୍ୱର : ସହରାଞ୍ଚଳରେ ପ୍ଲାଷ୍ଟିକ୍ ଆବର୍ଜନା ସମସ୍ୟାର ସମାଧାନ ଏବଂ ଏହାର ପୁନଃବ୍ୟବହାର ଦିଗରେ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଖୁବଶୀଘ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ‘ପ୍ଲାଷ୍ଟିକ୍ ଅପସାଇକ୍ଲିଂ ପଲିସି’ ଲାଗୁ ହେବ। ମିଳିତ ଜାତିସଂଘର ୟୁଏନ୍-ହ୍ୟାବିଟାଟ୍ ସହାୟତାରେ ଏହି ନୂତନ ନୀତିର ଚିଠା ବା ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି। ବିଶେଷକରି କମ୍ ମୂଲ୍ୟର ବର୍ଜ୍ୟ ପ୍ଲାଷ୍ଟିକକୁ ଉପଯୋଗ କରି ସ୍ଥାୟୀ ଗୃହ ନିର୍ମାଣ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଭୁବନେଶ୍ୱରର ଏକ ସ୍ଥାନୀୟ ଏମଏସଏମଇ ଉଦ୍ୟୋଗ ସହ ମିଶି କାର୍ଯ୍ୟ କରାଯାଉଥିବା ନେଇ ସୂଚନା ମିଳିଛି।
ସେପ୍ଟେମ୍ବର ୩୦ରେ ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଥିବା ‘ଅଙ୍କୁର’ (ଅଟଳ ନେଟୱର୍କ ଫର୍ ନଲେଜ୍ ଅର୍ବାନାଇଜେସନ୍ ଆଣ୍ଡ ରିଫର୍ମ) ର ସମୀକ୍ଷା ବୈଠକରେ ଏନେଇ ଆଲୋଚନା ହୋଇଛି। ସହରାଞ୍ଚଳ ବିକାଶ ଓ ସଂସ୍କାରକୁ ନେଇ ଆୟୋଜିତ ଏହି ବୈଠକରେ ଅନ୍ୟାନ୍ୟ ପ୍ରମୁଖ ବିଷୟ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସହରର ସ୍ୱଚ୍ଛତା ବଜାୟ ରଖୁଥିବା ମୂଳ ପରିମଳ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ରାଜ୍ୟର ୯୩ଟି ପୌରାଞ୍ଚଳରେ ଯାନ୍ତ୍ରିକ ଉପକରଣ କ୍ରୟ ସମ୍ପୂର୍ଣ୍ଣ ହୋଇଛି। ସେପ୍ଟିକ୍ ଟାଙ୍କିରେ କାମ କରିବା ବେଳେ ହେଉଥିବା ଦୁର୍ଘଟଣାକୁ ରୋକିବା ତଥା ସୁରକ୍ଷା ନିୟମାବଳୀ ପ୍ରସ୍ତୁତ କରିବା ନିମନ୍ତେ ଆଇଆଇଟି ଗାନ୍ଧୀନଗର ସହିତ ୟୁଏମସିର ଏକ ମିଳିତ ଅଧ୍ୟୟନ ଜାରି ରହିଛି। ଏଥିସହ ବାସହୀନ ୨,୮୦୦ କର୍ମଚାରୀଙ୍କୁ ପିଏମଏୱାଇ ଯୋଜନାରେ ସାମିଲ କରିବାକୁ ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ମିଶନ (ଓୟୁଏଚଏମ) ସହ ସମନ୍ୱୟ ରକ୍ଷା କରାଯାଉଛି। ରାଉରକେଲାରେ ଏହି କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହେବ। ସହରର ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନଗୁଡ଼ିକୁ ଛୋଟ ପିଲା ଏବଂ ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ନିରାପଦ କରିବା ଉଦ୍ଦେଶ୍ୟରେ ଡବ୍ଲ୍ୟୁଆରଆଇ ଇଣ୍ଡିଆ ପକ୍ଷରୁ ନୂତନ ମାର୍ଗଦର୍ଶିକା ଉନ୍ମୋଚନ କରାଯିବ। ଅନ୍ୟପକ୍ଷରେ ‘ସହଯୋଗ ପ୍ଲସ୍’ ଯୋଜନା ମାଧ୍ୟମରେ ଭୁବନେଶ୍ୱରର ୮ଟି ବସ୍ତି ଅଞ୍ଚଳରେ ସୁଲଭ ଆବାସ ନିର୍ମାଣ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ଅକ୍ଟୋବର ସୁଦ୍ଧା ଡିପିଆର୍ ପ୍ରସ୍ତୁତ କରାଯିବ। ବାୟୁ ପ୍ରଦୂଷଣ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମରେ ଥିବା ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ପୁରୀ ଓ ବ୍ରହ୍ମପୁର ସହରକୁ ସମ୍ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାକୁ ‘ସହର ସାଥୀ’ ପ୍ଲାଟଫର୍ମ ସହ ମଧ୍ୟ ଯୋଡ଼ାଯିବ। ଏନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ଆରମ୍ଭ ହେଲା କେତୁ ଚଳନ, କ୍ୟାରିୟର ଏବଂ ବ୍ୟବସାୟରେ ମିଳିବ ବଡ ସଫଳତା..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।