ଏସ୍‌ଆଇଆର୍‌ ପ୍ରକ୍ରିୟା,ଜାନୁଆରୀ ୧୦ରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା

Oct 16, 2026 - 15:35
ଏସ୍‌ଆଇଆର୍‌ ପ୍ରକ୍ରିୟା,ଜାନୁଆରୀ ୧୦ରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା

ଭୁବନେଶ୍ୱର : ଓଡ଼ିଶାରେ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ପରେ ଏବେ ଏକ ନୂଆ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏସ୍‌ଆଇଆର୍‌ ଭୋଟର ତାଲିକାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ଭୋଟର୍‌ ଏବଂ ୨୦୨୭ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ହେଉଥିବା ଯୁବକ ଯୁବତୀଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଘରକୁ ଘର ଯାଞ୍ଚ ଚାଲିଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ଯାଞ୍ଚ ପ୍ରକ୍ରିୟା ଚାଲିବ। ଯାଞ୍ଚ ସରିବା ପରେ ୨୦୨୭ ଜାନୁଆରୀ ୧୦ରେ ସାନି ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଯେଉଁ ଯୁବକ-ଯୁବତୀମାନେ ୨୦୨୬ ଜାନୁଆରୀ ୧୦ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଛନ୍ତି, ସେମାନେ ଏହି ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିପାରିବେ। ନୂତନ ମତଦାତାଙ୍କ ପାଇଁ ଫର୍ମ-୬ ଆବେଦନ ଫର୍ମ ରହିଛି। 

୩୧ ଜିଲା ନିର୍ବାଚନ ଅଧିକାରୀ, ୧୪୭ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇଆର୍‌ଓ), ୭୧୯ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଏଇଆରଓ), ୪୫୪୦ ବୁଥ୍‌ସ୍ତରୀୟ ସୁପରଭାଇଜର୍‌ ଏବଂ ୪୫,୨୫୦ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ଏହି କାର୍ଯ୍ୟ କରୁଛନ୍ତି । ନିର୍ବାଚନୀ ସମ୍ବନ୍ଧୀୟ କୌଣସି ଅଭିଯୋଗ ଥିଲେ କିମ୍ବା ଫର୍ମ-୬ ପୂରଣ କରିବାରେ ସହାୟତା ଆବଶ୍ୟକ ପଡୁଥିଲେ, ବିଏଲଓଙ୍କ ସହ ଯୋଗାଯୋଗ କରିପାରିବେ ।

ସେହିପରି ଫର୍ମ-୭ ତତ୍କାଳୀନ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ପ୍ରସ୍ତାବ ବିରୋଧରେ ଆପତ୍ତି କିମ୍ବା ନାମ ବାଦ୍ ଦେବା ପାଇଁ ଆବେଦନ। ଫର୍ମ-୮ ବାସସ୍ଥାନ ସ୍ଥାନାନ୍ତର, ତତ୍କାଳୀନ ଭୋଟର ତାଲିକାରେ ଥିବା ବିବରଣୀର ସଂଶୋଧନ, ଭୋଟର୍‌ ପରିଚୟପତ୍ର ବଦଳାଇବା କିମ୍ବା ଦିବ୍ୟାଙ୍ଗ ଭୋଟର୍‌ ଭାବେ ଚିହ୍ନିତ କରିବା ପାଇଁ ମତଦାତାଙ୍କ ଆବେଦନ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।