ଗୌତମ ଆଦାନୀ ଭାରତର ସବୁଠୁ ଧନୀ

Sep 24, 2026 - 15:28

ମୁମ୍ବଇ: ଶିଳ୍ପପତି ଗୌତମ ଆଦାନୀ ଓ ତାଙ୍କ ପରିବାର ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ବୁଧବାର ପ୍ରକାଶିତ ‘ଏମ୩ଏମ ହୁରନ ଇଣ୍ଡିଆ ରିଚ୍ ଲିଷ୍ଟ’ରେ ଏହି ସୂଚନା ଦିଆଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଆଦାନୀ ପରିବାର ପଛରେ ପକାଇ ଦେଇଛି। ରିପୋର୍ଟ ଅନୁଯାୟୀ, ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ୧୩ ପ୍ରତିଶତ ବଢ଼ି ୯.୨୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୧୦ ପ୍ରତିଶତ ହ୍ରାସ ପାଇ ୮.୬୩ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ସେ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ଏହି ତାଲିକାରେ ହଜାରେ କୋଟି କିମ୍ବା ତା’ଠାରୁ ଅଧିକ ସମ୍ପତ୍ତି ଥିବା ୧୮୧୦ ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏହି ସବୁ ଧନୀଙ୍କ ମୋଟ ସମ୍ପତ୍ତି ବର୍ଷକୁ ବର୍ଷ ୧୨.୮ ପ୍ରତିଶତ ହାରରେ ବଢ଼ି ୧୮୭.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଛି।
ଏହି ତାଲିକାରେ ଆର୍ସେଲରମିତ୍ତଲର ଏଲଏନ ମିତ୍ତଲ ଓ ତାଙ୍କ ପରିବାର ୮ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ସମ୍ପତ୍ତି ୯୩ ପ୍ରତିଶତ ବଢ଼ି ୩.୩୯ ଲକ୍ଷ କୋଟି ହୋଇଛି। ୟୁରୋପରେ ‘ଷ୍ଟିଲ୍ ଟ୍ରେଡ ପ୍ରୋଟେକ୍ସନ’ ଉପାୟ ଓ ଷ୍ଟିଲ୍ ମୂଲ୍ୟ ବଢ଼ିବା ଯୋଗୁଁ ତାଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ସେହିପରି ବେଦାନ୍ତ ଗ୍ରୁପର ମାଲିକ ଅନିଲ ଅଗ୍ରୱାଲ ଓ ତାଙ୍କ ପରିବାରର ସମ୍ପତ୍ତି ୮୭ ପ୍ରତିଶତ ବଢ଼ି ୨.୦୮ ଲକ୍ଷ କୋଟିରେ ପହଞ୍ଚି ଯାଇଛି। ସେ ଧନୀ ତାଲିକାର ନବମ ସ୍ଥାନରେ ଅଛନ୍ତି। ଟୋରେଣ୍ଟ ଫାର୍ମାସ୍ୟୁଟିକାଲ୍ସର ସମୀର ମେହେଟା ଓ ତାଙ୍କ ପରିବାରର ସମ୍ପତ୍ତି ୫୨ ପ୍ରତିଶତ ବଢ଼ି ୧.୮୯ ଲକ୍ଷ କୋଟିରେ ପହଞ୍ଚିଛି। ପ୍ରଥମ ଥର ପାଇଁ ସେ ପ୍ରମୁଖ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୩.୩ ଲକ୍ଷ କୋଟିର ସମ୍ପତ୍ତି ସହ ସିରମ ଇନଷ୍ଟିଚ୍ୟୁଟର ମାଲିକ ସାଇରସ ପୁନାୱାଲା ଓ ତାଙ୍କ ପରିବାର ଚତୁର୍ଥ ସ୍ଥାନରେ ରହିଛି। ଏଚସିଏଲ ଟେକ୍ନୋଲୋଜିର ରୋଶନୀ ନାଦର ଦେଶର ସବୁଠାରୁ ଧନୀ ମହିଳା ହୋଇଛନ୍ତି। ୨.୭୯ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ସେ ଓ ତାଙ୍କ ପରିବାର ପଞ୍ଚମ ସ୍ଥାନରେ ରହିଛି। ଏହା ପଛକୁ ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଙ୍ଗଳମ୍ ବିର୍ଲା ଓ ତାଙ୍କ ପରିବାର ଷଷ୍ଠ (୨.୬୯ ଲକ୍ଷ କୋଟି) ସ୍ଥାନରେ, ସନ୍ ଫାର୍ମାର ଦିଲୀପ ସାଙ୍ଗଭୀ ସପ୍ତମ (୨.୬୫ ଲକ୍ଷ କୋଟି), ୱିପ୍ରୋର ଅଜିମ ପ୍ରେମଜୀ ଓ ତାଙ୍କ ପରିବାର ଅଷ୍ଟମ (୨.୬୩ ଲକ୍ଷ କୋଟି) ସ୍ଥାନରେ ରହିଛି।
ହୁରନ ତାଲିକାରେ ପ୍ରଥମ ଥର ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ଏକ ଅଲଗା କ୍ଷେତ୍ର ଭାବେ ସାମିଲ କରାଯାଇଛି। ଏହି କ୍ଷେତ୍ରରେ ୩.୦୭ ଲକ୍ଷ କୋଟିର ସମ୍ପତ୍ତି ଥିବା ୧୯ ଧନୀଙ୍କୁ ସାମିଲ କରାଯାଇଛି। ପ୍ରଥମ ଥର ପାଇଁ ୧୫ ଜଣ ଧନୀ ଏହି ତାଲିକାରେ ସାମିଲ ହୋଇଛନ୍ତି। ସେମାନଙ୍କର ମୋଟ ସମ୍ପତ୍ତି ୧.୮୨ ଲକ୍ଷ କୋଟି ରହିଛି। ସବୁଠାରୁ ଯୁବ ଉଦ୍ୟୋଗପତି ଭାବେ ‘ୱିସପ୍ର ଫ୍ଲୋ’ର ପ୍ରତିଷ୍ଠାତା ତନୟ କୋଠାରି ଓ ସହଜ ଗର୍ଗ ଏହି ତାଲିକାରେ ସାମିଲ ହୋଇଛନ୍ତି। ଉଭୟଙ୍କ ସମ୍ପତ୍ତି ପ୍ରାୟ ୪,୨୦୦ କୋଟି ହେବ ବୋଲି ଆକଳନ କରାଯାଇଛି।
ଭାରତରେ କ୍ରମାଗତ ଭାବେ ୧ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ଥିବା ଧନୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷକରେ ୨୭ ଜଣ ନୂଆ ଅରବପତି ଏହି ତାଲିକାରେ ସାମିଲ ହେବା ସହ ମୋଟ ସଂଖ୍ୟା ୩୯୧ରେ ପହଞ୍ଚି ଯାଇଛି। ୫ ବର୍ଷ ତଳେ ଏହି ସଂଖ୍ୟା ୨୩୭ ଥିଲା। ଏହି ତାଲିକାରେ ଚଳିତ ବର୍ଷ ୧୨୮ ଜଣ ନୂଆ ଧନୀ ସାମିଲ ହୋଇଛନ୍ତି। ସହର ହିସାବରେ ମୁମ୍ବଇରୁ ସର୍ବାଧିକ ୪୬୫, ନୂଆଦିଲ୍ଲୀରୁ ୨୩୬ ଓ ବେଙ୍ଗାଲୁରୁରୁ ୧୨୯ ଜଣ ଧନୀ ବ୍ୟକ୍ତି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହା ବ୍ୟତୀତ ହୁରନ ତାଲିକାରେ ଚଳିତ ବର୍ଷ ୧୩୧ ମହିଳା ସାମିଲ ହୋଇଛନ୍ତି। ଗତ ବର୍ଷ ଏହା ୧୦୦ ଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।