ଜୀବନ ଜିନ୍ଦାବାଦ୍: ମୁଁ ପାରିଲିନି, ହୁଏତ ସେମାନେ ପାରିବେ
ମଧ୍ୟପ୍ରଦେଶ ରାଜ୍ୟର ୬ଟି ଜିଲ୍ଲାରେ ଆଦୌ ପାଠ ହେଉ ନ ଥିବା ପିଲାମାନେ ଏବେ ଖୁସିରେ ପାଠ ପଢୁଛନ୍ତି। ଏଥିରେ ସେମାନଙ୍କୁ ସାହାଯ୍ୟ କରିଛନ୍ତି ୩୨ ବର୍ଷୀୟା ସୃଷ୍ଟି ଶ୍ରୀବାସ୍ତବ।
ସୃଷ୍ଟିଙ୍କର ଇଚ୍ଛା ଥିଲା ସେ ଆଇଏଏସ୍ ଅଫିସର୍ ହୋଇ ସରକାରୀ ଅଫିସ୍ରେ ବସିବେ। ସ୍କୁଲ୍ ପାଠ ସାରି ସୃଷ୍ଟି ଦିଲ୍ଲୀରେ ଥିବା ଲେଡି ଶ୍ରୀରାମ କଲେଜ୍ରେ ଦର୍ଶନଶାସ୍ତ୍ର ପଢ଼ିଲେ। ତା’ପରେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାପାଇଁ ପ୍ରସ୍ତୁତି ଚଳାଇଲେ। ୬ ଥର ଚେଷ୍ଟା କରି ସେ ସିଭିଲ୍ ସର୍ଭିସ୍ ପାଇଲେନାହିଁ। ୬ଥରରେ ସେ ଥରେ ମାତ୍ର ଇଣ୍ଟର୍ଭିୟୁ ପାଇଁ ମନୋନୀତ ହୋଇଥିଲେ। ୨୦୨୪ ଏପ୍ରିଲ୍ ୧୬ରେ ୟୁପିଏସ୍ସି ଫଳ ବାହାରିଲା। ସେ ଫେଲ୍ ହେଲେ। ତା’ ସହିତ ଶେଷ ହୋଇଗଲା ତାଙ୍କ ଆଇଏଏସ୍ ହେବା ଆଶା। ଏ ବିଷୟରେ ସୃଷ୍ଟି କହନ୍ତି, ଆଇଏଏସ୍ ହେବା ମୋ ଜୀବନର ଏକମାତ୍ର ଉଦ୍ଦେଶ୍ୟ ନ ଥିଲା। ସମାଜ ସଙ୍ଗରେ ମିଶି ସମାଜ ଲାଗି କାମ କରିବା ପାଇଁ ଏହା ଏକ ମାଧ୍ୟମ ଥିଲା। କିଛିସପ୍ତାହ ମତେ କିଛି ଭଲ ଲାଗିଲା ନାହିଁ। କ’ଣ କରିବି, କ’ଣ ନାହିଁ ଭାବି ମେ ଓ ଜୁନ୍ ମାସ ବିତିଗଲା। ୩୦ ବର୍ଷ ବୟସରେ ନୂଆକରି କିଛି ଆରମ୍ଭ କରିବା କି ସହଜ କଥା?
Mayurbhanj Attack: ଢାବାରେ ବଚସାରୁ ରକ୍ତାକ୍ତ ସଂଘର୍ଷ ସନ୍ଦେହ, ଜଣେ ଗୁରୁତର
ସେହି ସମୟରେ ଜୟପୁରରେ ଥିବା ସଶକ୍ତୀକରଣ ଫାଉଣ୍ଡେସନ୍ ବନ୍ଦ ହେବା ଯୋଜନା ହେଉଥିଲା। ୨୦୧୭ ମାର୍ଚ୍ଚ ୮ ଦିନ ସେ ଫାଉଣ୍ଡେସନ୍ ଗଢ଼ିଥିଲେ ସୃଷ୍ଟିଙ୍କ କଲେଜ ବ୍ୟାଚ୍ମେଟ୍ ତଥା ଘନିଷ୍ଠ ବାନ୍ଧବୀ ମୃଣାଳିକା ରାଠୋଡ୍। ଅଳ୍ପ-ଆୟକାରୀ ସ୍କୁଲ୍ରେ ପିଲାଙ୍କ ପାଠପଢ଼ା ପାଇଁ ତାଙ୍କ ସଂସ୍ଥା କାମ କରୁଥିଲା। ମୃଣାଳିକା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପାସ୍ କରି ଆଇଏଏସ୍ ଅଫିସର୍ ହେଲେ। ଫାଉଣ୍ଡେସନ୍ ଚଳାଇବାକୁ ଯୋଗ୍ୟ ବ୍ୟକ୍ତି ନ ଥିଲେ। ତେଣୁ, ସେ ସଂସ୍ଥା ବନ୍ଦ କରିବାକୁ ଚାହୁଥିଲେ। ଏକଥା ଜାଣି ସୃଷ୍ଟି ୨୦୨୪ ଜୁଲାଇରେ ସଶକ୍ତୀକରଣ ଫାଉେଣ୍ଡସନ୍ ଚଳାଇବା ଭାର ନେଲେ। ଏଥିରୁ ହିଁ ତାଙ୍କୁ ପୁଣି କିଛି କରିବା ପାଇଁ ସାହସ ଓ ଉତ୍ସାହ ମିଳିଲା। ଫାଉଣ୍ଡେସନ୍ର ଯୁଗ୍ମ-ନିର୍ଦ୍ଦେଶିକା ଭାବେ ଯୋଗଦେଲେ ସୃଷ୍ଟିଙ୍କ ସାନଭଉଣୀ ସ୍ମୃତି। ଫାଉଣ୍ଡେସନ୍ର ଉନ୍ନତି ପାଇଁ ସେମାନେ ଆଦର୍ଶ ମୋହନଦାସ ନାମରେ ଜଣେ ଅଭିଜ୍ଞ ଶିକ୍ଷାବିତ୍ଙ୍କ ପରାମର୍ଶ ନେଲେ। ଆଦର୍ଶଙ୍କ ପରାମର୍ଶକ୍ରମେ ‘ପ୍ରୋଜେକ୍ଟ୍ ନିଭ୍’ କାର୍ଯ୍ୟକ୍ରମ ଚାଲିଲା। ଏଥିରେ ଆଦର୍ଶ ହେଲେ ସହ-ସଂସ୍ଥାପକ ତଥା ପ୍ରୋଗ୍ରାମ୍ ଡାଇରେକ୍ଟର୍।
୨୦୨୪ ସେପ୍ଟେମ୍ବର ବେଳକୁ ସୃଷ୍ଟିଙ୍କ ଟିମ୍ ଗଁା’ ଗଁା’ ବୁଲି ଅଭିଭାବକ, ଶିକ୍ଷକ, ମହିଳା ଓ ପିଲାଙ୍କୁ ଭେଟିଲେ। ସୃଷ୍ଟି ଜାଣିଲେ କି ଅଧିକାଂଶ ପିଲା ସରକାରୀ ସ୍କୁଲ୍ରେ ପଢୁଛନ୍ତି। କେଉଁ ଅସୁବିଧା ଯୋଗୁଁ ପିଲାମାନେ ପାଠ ଧରିପାରୁ ନାହାନ୍ତି, ସେ କଥା ବି ସୃଷ୍ଟି ଅନୁଧ୍ୟାନ କଲେ। ଶିକ୍ଷାପ୍ରଣାଳୀ ଆଉ ଟିକେ ସୁଦୃଢ଼ ଓ ଶିଖାଇବା ପଦ୍ଧତି ଭିନ୍ନ ହେବା ଉଚିତ ବୋଲି ସେ ଅନୁଭବ କଲେ। ଏଥିପାଇଁ ସେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ଲର୍ଣ୍ଣିଙ୍ଗ୍ ଫେଲିସିଟର୍ ଭାବେ ତାଲିମ ଦେଲେ। କାମ ଆରମ୍ଭ କଲା ପ୍ରୋଜେକ୍ଟ୍ ନିଭ୍। ସବୁଦିନ କ୍ଲାସ୍ରୁ ୫ଜଣିଆ ଗ୍ରୁପ୍ରେ ପାଠ ଧରି ପାରୁ ନ ଥିବା ପିଲାମାନେ ଅଧଘଣ୍ଟାଏ ପାଇଁ ବାହାରକୁ ଆସିଲେ। ପ୍ରୋଜେକ୍ଟ୍ ନିଭ୍ର ଶିକ୍ଷାସାଥୀ ସେମାନଙ୍କୁ ତାଲିମ ଦେଲେ। ପ୍ରତି ପିଲା ଗୋଟିଏ ଟ୍ୟାବ୍ଟେଲ୍ ଓ ଲଗ୍ ଦ୍ବାରା ଚିମ୍ପଲ୍ ଆପ୍ରେ ଶିକ୍ଷାଗ୍ରହଣ କଲେ।
Bear Enters Library: ଲାଇବ୍ରେରିରେ ପଶି ମହୁ ଖାଇଲା ଭାଲୁ, ସତ ହେଲା କାର୍ଟୁନ୍ କାହାଣୀ
ଏଥିରେ ପିଲାମାନେ ଅକ୍ଷର ଚିହ୍ନିଲେ, ବାକ୍ୟ ପଢ଼ିଲେ ଏବଂ ଗଣିତ ଅଭ୍ୟାସ କଲେ। ଏ ଧାରାରେ ପିଲାମାନଙ୍କର ପାଠ ବିଷୟରେ ସମ୍ପୂର୍ଣ୍ଣ ଧାରଣା ଆସିଲା। ତା’ପରେ ଶିଖିଥିବା ପାଠ ସବୁ ପିଲାଏ ଖାତାରେ ଲେଖିଲେ। ମହିଳା ଫେଲିସିଟର୍ମାନେ ସେ ପିଲାଙ୍କ ଉପରେ ନଜର ରଖିଲେ। ଏପର୍ଯ୍ୟନ୍ତ ସୃଷ୍ଟିଙ୍କ ଉଦ୍ୟମରେ ୯୦୦ ପିଲାଙ୍କୁ ସହଜରେ ପାଠ ଶିଖିବାରେ ସାହାଯ୍ୟ କରିସାରିଲେଣି। ସେମାନଙ୍କ ଭିତରୁ ୨୯୧ ଜଣ ହିନ୍ଦୀ ଭାଷାରେ, ୩୨୭ଜଣ ଇଂରାଜୀ ଭାଷାରେ ଓ ୩୫୫ ଜଣ ଗଣିତରେ ଯଥେଷ୍ଟ ଉନ୍ନତି କଲେଣି। ସୃଷ୍ଟି କହନ୍ତି, ଆମେ ଆଜୀବନ ଶିକ୍ଷାର୍ଥୀ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛୁ। ଯଦି ପିଲାମାନେ ନିଜ ପ୍ରଚେଷ୍ଟାରେ ପଢ଼ିବା ଶିଖିଯିବେ, ସେମାନେ ଯେକୌଣସି ପରିବର୍ତ୍ତନ ସହିତ ଖାପ ଖୁଆଇ ପାରିବେ। ସୃଷ୍ଟି ଆଇଏଏସ୍ ହୋଇପାରିଲେନି, ହୁଏତ ତାଙ୍କର ଏଇ ପିଲାମାନଙ୍କ ଭିତରୁ ଜଣେ ହୋଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।