ଜେନେରେଟର ଗ୍ୟାସ ରେ ଶ୍ବାସରୁଦ୍ଧ ହୋଇ ୨ ମୃତ ,୩ ଅସୁସ୍ଥ
ବାଂଶପାଳ : ଜେନେରେଟର ଗ୍ୟାସ ରେ ଶ୍ବାସରୁଦ୍ଧ ହୋଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିବା ସହିତ ୩ ଗୁରୁତର । ଏଭଳି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନାୟାକୋଟ୍ ଥାନା ଅନ୍ତର୍ଗତ ସୁଦୁଙ୍ଗ ଗ୍ରାମରେ । ଗାଁରେ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ୫ ଜଣ ଯୁବକ ରାତିରେ ଗୋଟିଏ ଘରେ ଜେନେରେଟର ଚଳାଇ ଶୋଇଥିଲେ । ରାତିରେ ଜେନେରେଟରରୁ ନିର୍ଗତ ବିଷାକ୍ତ ଧୂଆଁ ରେ ଶ୍ୱାସ ରୁଦ୍ଧ ହୋଇ ଅଚେତ ହୋଇ ପଡ଼ିଥିଲେ । ସକାଳେ ଘରର କବାଟ ନ ଖୋଲିବାରୁ ଗ୍ରାମବାସୀ କବାଟ ଭଗି ଘର ଭିତରେ ପଶିଥିଲେ । ଘର ଭିତରୁ ଅଚେତ ଅବସ୍ଥାରେ ୫ଜଣଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଥିବା ଅନ୍ୟ ୩ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଦୁଇଜଣ ହେଲେ ସୁଡୁଙ୍ଗ ଗାଁର ରାଜେନ୍ଦ୍ର ସାଆନ୍ତ ଓ ନିତୁ ସାଆନ୍ତ । ଗୁରୁତର ତିନିଜଣ ହେଲେ ଜଗନ୍ନାଥ ଗିରି, ପ୍ରଶାନ୍ତ ଦେହୁରୀ ଓ ନିରଦାଶ ଦେହୁରୀ। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।