ଟ୍ରେନରେ ଗୀତ ଗାଉଥିଲେ ଆୟୁଷ୍ମାନ
ନିଜର ସ୍ୱତନ୍ତ୍ର ଓ ଭିନ୍ନଧର୍ମୀ ସିନେମା ଜରିଆରେ ବଲିଉଡରେ ଏକ ନୂଆ ପରିଚୟ ସୃଷ୍ଟି କରିଥିବା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଶୀର୍ଷ ସଫଳତା ପଛରେ ରହିଛି କଠିନ ସଂଘର୍ଷର କାହାଣୀ । ପ୍ରାରମ୍ଭିକ ଅବସ୍ଥାରେ ଜଣେ ଡାକ୍ତର ହେବାର ସ୍ୱପ୍ନ ଦେଖି କର୍ଣ୍ଣାଟକର ଏକ ଡେଣ୍ଟାଲ କଲେଜରେ ସିଟ୍ ପାଇଥିଲେ ମଧ୍ୟ ନାଟକ ଓ ଅଭିନୟ ପ୍ରତି ଗଭୀର ଆକର୍ଷଣ ଯୋଗୁଁ ସେ ମେଡିକାଲ ପାଠ ଛାଡ଼ି କଳା କ୍ଷେତ୍ରକୁ ଆପଣେଇ ନେଇଥିଲେ । କଲେଜ ଦିନରୁ ଥିଏଟର କରି ସାମାଜିକ ସମସ୍ୟା ବୁଝିଥିବା ଆୟୁଷ୍ମାନ, ନିଜ ସାଙ୍ଗମାନଙ୍କ ସହ ମିଶି ଟ୍ରେନରେ ଗୀତ ଗାଇ ରୋଜଗାର କରୁଥିବା ଅର୍ଥରେ ବୁଲିବାକୁ ଯାଉଥିଲେ । ୨୦୦୪ରେ 'ଏମ୍ଟିଭି ରୋଡିଜ୍ ସିଜନ୍ ୨' ବିଜେତା ହେବା ପରେ ସେ ରେଡିଓ ଜକି, ଏମ୍ଟିଭି ଭିଜେ ଓ ପଡକାଷ୍ଟରଭାବେ ଅମିତାଭ ବଚ୍ଚନ, ଶାହରୁଖ ଖାନଙ୍କ ଭଳି ତାରକାଙ୍କ ସାକ୍ଷାତକାର ନେଇଥିଲେ । ମୁମ୍ବାଇ ଯିବାପରେ ପ୍ରାରମ୍ଭିକ ଦିନରେ ନିଜ ଡାକ୍ତର ସାଙ୍ଗଙ୍କ ସହ କେ.ଇ.ଏମ୍. ହସ୍ପିଟାଲ ହଷ୍ଟେଲରେ ରହି ଅଡିସନ୍ ଦେବା ଆରମ୍ଭ କଲେ । 'ଇଣ୍ଡିଆନ୍ ଆଇଡଲ୍ ୨'ରୁ ପ୍ରତ୍ୟାଖ୍ୟାତ ହେବା ପରେ, ୨୦୧୨ରେ 'ଭିକି ଡୋନର୍' ଚଳଚ୍ଚିତ୍ରରୁ ନାୟକ ଭାବେ ଡେବ୍ୟୁ କରି ସେ ସଫଳତା ପାଇଥିଲେ । ଏହାପୂର୍ବରୁ ଅନେକ ଶୋରେ ତାଙ୍କୁ ହୋଷ୍ଟ ଭାବେ ଦେଖିବାକୁ ମିଳିଥିଲା । ହେଲେ ଏହି ଫିଲ୍ମ ପରେ ତାଙ୍କର ପରବର୍ତ୍ତୀ ତିନୋଟି ଫିଲ୍ମ ବକ୍ସ ଅଫିସରେ ଅସଫଳ ହୋଇଥିଲା । ତେବେ 'ଦମ୍ ଲଗା କେ ହାଇସା'ରୁ ତାଙ୍କ କ୍ୟାରିଅର ପୁଣି ଟ୍ରାକକୁ ଫେରିବା ସହ 'ବରେଲି କି ବର୍ଫି', 'ଶୁଭ ମଙ୍ଗଲ ସାବଧାନ୍', 'ଅନ୍ଧାଧୁନ୍', 'ବଧାଇ ହୋ', 'ଆର୍ଟିକିଲ୍ ୧୫', 'ଡ୍ରିମ୍ ଗର୍ଲ' ଓ 'ବାଲା' ଭଳି ସୁପରହିଟ୍ ଫିଲ୍ମ ତାଙ୍କୁ ଭାରତୀୟ ସିନେମା ଜଗତରେ ଏକ ଅନନ୍ୟ ଓ ସ୍ୱତନ୍ତ୍ର ପରିଚୟ ଦେଇପାରିଛି । ଟ୍ରେନରେ ଗୀତ ବୋଲୁଥିବା ଆୟୁଷ୍ମାନ ବର୍ତ୍ତମାନ ବଲିଉଡର ଆଗଧାଡିର ନାୟକ ସାଜିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।