ନବଦୁର୍ଗା: ‘ଶୈଳପୁତ୍ରୀ’ ଓ ‘ବ୍ରହ୍ମଚାରିଣୀ’
ଦୁର୍ଗାପୂଜାର ବିବିଧ ପ୍ରକାର ମଧ୍ୟରୁ ପ୍ରଥମଟି ଷୋଡ଼ଶ ଦିନବ୍ୟାପୀ ଦୁର୍ଗାପୂଜା ଓ ଦ୍ବିତୀୟଟି ନବଦିନବ୍ୟାପୀ ଦୁର୍ଗାପୂଜା। ପ୍ରଥମଟି ‘ଷୋଳପୂଜା’ ଓ ଦ୍ବିତୀୟଟି ‘ନବରାତ୍ରି’ ନାମରେ ଲୋକମୁଖରେ ପ୍ରସିଦ୍ଧ। ନବଦିନବ୍ୟାପୀ ନବରାତ୍ରିରେ ନଅଦିନରେ ନଅ ଦୁର୍ଗା ପୂଜିତ ହୁଅନ୍ତି। ଏଥିମଧ୍ୟରୁ ଆଶ୍ବିନ ଶୁକ୍ଳ ପ୍ରତିପଦ ଦିନ ପୂଜିତା ଦୁର୍ଗାଙ୍କର ସ୍ବରୂପ ହେଉଛନ୍ତି ‘ଶୈଳପୁତ୍ରୀ’ ଏବଂ ଦ୍ବିତୀୟା ଦିନ ପୂଜିତା ଦୁର୍ଗାଙ୍କର ସ୍ବରୂପ ହେଉଛନ୍ତି ‘ବ୍ରହ୍ମଚାରିଣୀ’।
CJP leaders released: ବର୍ଷେ ଶାନ୍ତି ବଜାୟ ରଖିବା ସର୍ତ୍ତରେ ମୁକୁଳିଲେ ସିଜେପିର ୩ ନେତା
ଶୈଳପୁତ୍ରୀ: ପୌରାଣିକ ପ୍ରସଙ୍ଗ ଅନୁସାରେ, ଶୈଳପୁତ୍ରୀ ପୂର୍ବଜନ୍ମରେ ଥିଲେ ଦକ୍ଷପ୍ରଜାପତିଙ୍କ କନ୍ୟା। ତାଙ୍କର ନାମ ଥିଲା ସତୀ। ଦକ୍ଷଙ୍କ ଯଜ୍ଞରେ ପତି ଶିବଙ୍କର ଅପମାନ କରାଯିବାରୁ, ସେ ଯଜ୍ଞାଗ୍ନିରେ ଝାସ ଦେଇ ଦେହତ୍ୟାଗ କରିଥିଲେ ଏବଂ ପରଜନ୍ମରେ ହିମାଳୟଙ୍କ କନ୍ୟା ପାର୍ବତୀ ରୂପେ ଜନ୍ମଗ୍ରହଣ କରିଥିଲେ। ସେଥିପାଇଁ ସେ ଶୈଳପୁତ୍ରୀ।
ସ୍ବରୂପ ଅନୁସାରେ, ସେ ଶ୍ବେତ ବୃଷଭ ଉପରେ ବିରାଜିତା ଏବଂ ତାଙ୍କର ଦକ୍ଷିଣ ହସ୍ତରେ ତ୍ରିଶୂଳ ଓ ବାମ ହସ୍ତରେ ପଦ୍ମପୁଷ୍ପ ଶୋଭାପାଏ। ତ୍ରିଶୂଳ ଦୁଷ୍ଟ ଦମନ ଓ ଦୁଷ୍କୃତି ବିନାଶନର ପ୍ରତୀକ ଏବଂ ପଦ୍ମପୁଷ୍ପ ପବିତ୍ରତା ଓ ଆଧ୍ୟାତ୍ମିକ ବିକାଶର ପ୍ରତୀକ। ଏଣୁ ନବରାତ୍ରିର ପ୍ରଥମ ଦିନରେ ତାଙ୍କର ପୂଜା କଲେ ମନରେ ସାହସ, ଶାନ୍ତି, ଧୈର୍ଯ୍ୟ ଓ ଆତ୍ମବିଶ୍ବାସ ଜାତହୁଏ। ତାତ୍ତ୍ବିକ ଦୃଷ୍ଟିରୁ ତାହାଙ୍କୁ ଆମ ଶରୀରର ମୂଳାଧାରଚକ୍ର ସହିତ ସଂପୃକ୍ତ କରାଯାଏ। ତାହାଙ୍କ ସହିତ ସଂପୃକ୍ତ ଔଷଧୀୟ ଉଦ୍ଭିଦ ହେଉଛି ହରିତକୀ ବା ହରିଡ଼ା। ଏହା ଶରୀରରେ ପାଚନ ଓ ଶରୀରରୁ ମଳ ନିଷ୍କାସନର ଔଷଧି।
DMF: ଡିଏମଏଫରେ ଖର୍ଚ୍ଚ ୪୦ଲକ୍ଷ, ଦାଖଲ ହୋଇଛି ୨୫ ଲକ୍ଷର ବିନିଯୋଗ ପ୍ରମାଣପତ୍ର
ବ୍ରହ୍ମଚାରିଣୀ: ପୌରାଣିକ ପ୍ରସଙ୍ଗ ଅନୁସାରେ, ବ୍ରହ୍ମଚାରିଣୀ ଶୈଳପୁତ୍ରୀଙ୍କର ତପସ୍ବିନୀ ରୂପ। ଭଗବାନ ଶିବଙ୍କୁ ଏହି ଜନ୍ମରେ ବି ପତି ରୂପେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ। ସ୍ବରୂପ ଅନୁସାରେ, ସେ ସରଳା ଓ ଶାନ୍ତା। ତାଙ୍କର ଦକ୍ଷିଣ ହସ୍ତରେ ଜପମାଳା ଓ ବାମ ହସ୍ତରେ କମଣ୍ଡଳୁ ଶୋଭାପାଏ। ଜପମାଳା ଭକ୍ତି, ଏକାଗ୍ରତା ଓ ନିରନ୍ଥର ସାଧନାର ପ୍ରତୀକ। କମଣ୍ଡଳୁ ସନ୍ନ୍ୟାସ, ସଂଯମ ଓ ତ୍ୟାଗର ପରିଚୟ। ଏଣୁ ନବରାତ୍ରିର ଦ୍ବିତୀୟ ଦିନରେ ତାଙ୍କର ପୂଜା କଲେ ମନରେ ଜ୍ଞାନ, ଧୈର୍ଯ୍ୟ, ସହନଶୀଳତା ଓ ବଳ ଲାଭ ହୁଏ। ତାଙ୍କର ଶାନ୍ତସ୍ବରୂପ ଆତ୍ମନିୟନ୍ତ୍ରଣ ଓ ଆଧ୍ୟାତ୍ମିକ ଶୁଦ୍ଧତାର ବାର୍ତ୍ତା ଦିଏ। ବ୍ରହ୍ମଚାରିଣୀଙ୍କ ସହିତ ସଂପୃକ୍ତ ଉଦ୍ଭିଦ ହେଉଛି ବ୍ରାହ୍ମୀ। ଏହା ଏକ ଔଷଧୀୟ ଗୁଳ୍ମ। ଏହା ସ୍ମୃତିଶକ୍ତି ଓ ମାନସିକ କାର୍ଯ୍ୟକ୍ଷମତା ବୃଦ୍ଧି କରିବାର ଔଷଧି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।