ପଦକ ବିଜେତା ସୈନିକଙ୍କ ପାଇଁ ଜୀବନବ୍ୟାପୀ ମାଗଣା ରେଳ ଯାତ୍ରା
ନୂଆଦିଲ୍ଲୀ : ସେନା ପଦକ ବିଜେତା ସାହସୀ ସୈନିକଙ୍କ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ଘୋଷଣା । ଦେଶର ସୁରକ୍ଷା ପାଇଁ ସାହସ, ବୀରତ୍ୱ ଓ ତ୍ୟାଗ ପ୍ରଦର୍ଶନ କରିଥିବା ସୈନିକ ଏବଂ ସେମାନଙ୍କ ପରିବାରକୁ ସମ୍ମାନିତ କରିବା ପାଇଁ ଭାରତ ସରକାର ନେଇଛନ୍ତି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି । ସେନା, ନୌସେନା, ବାୟୁସେନା ମେଡାଲ (ସାହସିକତା) ବିଜେତା ଏବଂ ତାଙ୍କ ପରିବାର ଙ୍କୁ ମିଳିବ ଆଜୀବନ ମାଗଣା ରେଳଯାତ୍ରା ସୁବିଧା । ସାହସିକତା ପୁରସ୍କାର ବିଜେତାଙ୍କ ଜୀବନସାଥୀ ମଧ୍ୟ ଏହି ସୁବିଧା ପାଇଁ ପାରିବେ । ତେବେ ସେ ଯଦି ପୁନଃବିବାହ କରନ୍ତି ଏଥିରୁ ବିରତ ରହିବେ । ସେହିପରି ମରଣୋତ୍ତର ବୀରତା ପୁରସ୍କାର ପାଇଥିବା ଅବିବାହିତ ଯବାନଙ୍କ ପିତାମାତାଙ୍କୁ ମଧ୍ୟ ଏହି ସୁବିଧାର ପରିସରରେ ସାମିଲ କରାଯାଇଛି ।
ସୁବିଧା ପାଇବା ପ୍ରକ୍ରିୟାକୁ ସରଳ କରିବା ପାଇଁ ସମଗ୍ର ବ୍ୟବସ୍ଥାକୁ ଡିଜିଟାଲ୍ ଓ କାଗଜବିହୀନ କରାଯାଇଛି । ଏଥିପାଇଁ ଭାରତୀୟ ରେଳବାଇ ରିହାତି କାର୍ଡ ପୋର୍ଟାଲରେ ଅନଲାଇନ୍ ପଞ୍ଜୀକରଣ କରିବାକୁ ପଡ଼ିବ । ଫାଷ୍ଟକ୍ଲାସ୍, ସେକେଣ୍ଡ କ୍ଲାସ୍ ଏସି, ଏସି ଚେୟାର କାରରେ ଯାତ୍ରା କରିପାରିବେ। https://irccp.indianrail.gov.in/IRCCP ପୋର୍ଟାଲରେ ଆବେଦନ କରିପାରିବେ। ଆବେଦନ କଲେ ଅନଲାଇନରେ ଟ୍ରେନ୍ ଯାତ୍ରା ପାଇଁ ଇ-ପାସ୍ ମିଳିବ । ଆସନ୍ତା ନଭେମ୍ବର ୧ରୁ ମାଗଣା ଟ୍ରେନ୍ ଯାତ୍ରା ନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ ।
ଟିକେଟ୍ ବୁକିଂ ସୁବିଧା ୧ ନଭେମ୍ବର ୨୦୨୬ରୁ ଆଇଆରସିସିପି ୱେବ୍ ପୋର୍ଟାଲ ମାଧ୍ୟମରେ ଆରମ୍ଭ ହେବ । ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ପଦକ୍ଷେପ ବୀର ସୈନିକ ଓ ସେମାନଙ୍କ ପରିବାରର ସେବା ଏବଂ ବଳିଦାନକୁ ସମ୍ମାନ ଦେବା ସହ ଯାତ୍ରା ସୁବିଧାକୁ ଅଧିକ ସରଳ କରିବ ବୋଲି କୁହାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।