ପିରାମିଡରେ ଲୁଚିଛି ଗାଣିତିକ ସଙ୍କେତ
ଇଜିପ୍ଟର ପ୍ରସିଦ୍ଧ 'ଗ୍ରେଟ୍ ପିରାମିଡ୍ ଅଫ୍ ଗିଜା' ମଧ୍ୟରେ ଚନ୍ଦ୍ର, ତାରା ଏବଂ ଗ୍ରହଗୁଡ଼ିକ ସହ ଜଡ଼ିତ ଏକ ଗୁପ୍ତ ଗାଣିତିକ ସଙ୍କେତ ଲୁଚି ରହିଥିବା ନେଇ ଗବେଷକମାନେ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ ପ୍ରାଚୀନ ଇଜିପ୍ଟୀୟ ଗାଣିତିକ ପଦ୍ଧତି ପ୍ରୟୋଗ କରି ପିରାମିଡର ଉଚ୍ଚତା, ଭୂମି ଏବଂ ଗଡ଼ାଣିଆ ପାର୍ଶ୍ୱର ମାପକୁ ହିସାବ କଲେ କିଛି ନିର୍ଦ୍ଦିଷ୍ଟ ସଂଖ୍ୟା ମିଳୁଛି । ଯାହା ମହାଜାଗତିକ ଚକ୍ର ଏବଂ 'ପାଇ' ଓ 'ଗୋଲ୍ଡେନ୍ ରେସିଓ' ଭଳି ଗାଣିତିକ ସ୍ଥିରାଙ୍କ ସହ ପ୍ରାୟ ସମାନ । ଏତଦ୍ବ୍ୟତୀତ ବୃହସ୍ପତି, ଶନି, ଶୁକ୍ର ଓ ମଙ୍ଗଳ ଗ୍ରହର ଗତିବିଧି ସହ ଏହାର ସମ୍ପର୍କ ଥିବା ଦାବି କରାଯାଇଛି । ଏହି ସାଦୃଶ୍ୟ ଆକସ୍ମିକ କି ନୁହେଁ ତାହା ପରୀକ୍ଷା କରିବାକୁ ଲେଭି କମ୍ପ୍ୟୁଟର ଦ୍ୱାରା ୧,୦୦,୦୦୦ ମଡେଲ୍ ସୃଷ୍ଟି କରିଥିବା ବେଳେ ମାତ୍ର ୨.୪ ପ୍ରତିଶତ ମଡେଲରେ ଏପରି ନମୁନା ଦେଖିବାକୁ ମିଳିଥିଲା, ଯାହା ଏହାକୁ ଏକ ଯୋଜନାବଦ୍ଧ ସଂରଚନା ବୋଲି ସଙ୍କେତ ଦେଉଛି। ପ୍ରାୟ ୪,୫୦୦ ବର୍ଷ ପୂର୍ବେ ଫାରୋ ଖୁଫୁଙ୍କ ଶାସନକାଳରେ ନିର୍ମିତ ଏହି ପିରାମିଡକୁ ସାଧାରଣତଃ ଏକ ସମାଧିସ୍ଥଳ ଭାବେ ଗ୍ରହଣ କରାଯାଉଥିବା ବେଳେ, ଗବେଷକମାନେ ଏହାକୁ କେବଳ ଏକ ସମାଧି ନୁହେଁ ବରଂ ପ୍ରାଚୀନ ଜ୍ଞାନର ଏକ ସ୍ଥାୟୀ ନଥିପତ୍ର ଏବଂ ପୌରାଣିକ 'ବେନ୍ବେନ୍' ସହ ଜଡ଼ିତ ସଂରଚନା ବୋଲି ଦର୍ଶାଇଛନ୍ତି । ତେବେ ଏହି ଗବେଷଣାଟିର କୌଣସି ସ୍ବତନ୍ତ୍ର ପ୍ରମାଣ ନଥିବାରୁ ଏହାକୁ ,ସ୍ବୀକୃତି ମିଳିନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।