‘ବଞ୍ଜାରା ଗ୍ୟାଙ୍ଗ୍’ର ୭ ଜଣ ସଦସ୍ୟ ଗିରଫ

Oct 21, 2026 - 19:38
‘ବଞ୍ଜାରା ଗ୍ୟାଙ୍ଗ୍’ର ୭ ଜଣ ସଦସ୍ୟ ଗିରଫ

ଭୁବନେଶ୍ୱର : ଦଶହରା ପର୍ବର ଧୁମ୍‌ଧାମ୍ ଓ ଭିଡ଼ ମଧ୍ୟରେ ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ଲୁଟେରା ଗ୍ୟାଙ୍ଗକୁ ଧରିଛି। ଏଥିରେ ଲୁଟ୍‌ପାଟ୍ ଓ ମୋବାଇଲ୍ ଚୋରି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ମହିଳାଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଭିଡ଼ର ସୁଯୋଗ ନେଇ ଶ୍ରଦ୍ଧାଳୁମାନଙ୍କୁ ଟାର୍ଗେଟ୍ କରୁଥିବା ଏକ କୁଖ୍ୟାତ ୫ ଜଣିଆ ଅନ୍ତଃରାଜ୍ୟ ‘ବଞ୍ଜାରା ଗ୍ୟାଙ୍ଗ୍’କୁ ମଧ୍ୟ ପୋଲିସ୍ ଓଲ୍ଡ ଷ୍ଟେସନ୍ ବଜାର ପୂଜା ମଣ୍ଡପ ନିକଟରୁ ଧରିଛି । ପୋଲିସ୍ ଦୁଇ ଜଣ ବି.ଟେକ୍ ଛାତ୍ରଙ୍କୁ ଗିରଫ କରିଛି, ଯେଉଁମାନେ ‘ଇନ୍‌ଫୋ ଭ୍ୟାଲି’ ଥାନା ଅଞ୍ଚଳର ନିଛାଟିଆ ରାସ୍ତାରେ ଅସ୍ତ୍ରଶସ୍ତ୍ର ଦେଖାଇ ଲୁଟ୍‌ପାଟ୍ କରୁଥିବା ଅଭିଯୋଗ ରହିଛି । ଘଟଣାର ମାତ୍ର ୧୨ ଘଣ୍ଟା ମଧ୍ୟରେ ସେମାନଙ୍କୁ ଧରାଯାଇଥିଲା ଏବଂ ସେମାନଙ୍କ ନିକଟରୁ ଲୁଟ୍ ସାମଗ୍ରୀ ସହ ଏକ ବାଇକ୍ ଓ ଏକାଧିକ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

ଅନ୍ୟ ଏକ ଘଟଣାରେ ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ନିକଟରୁ ପୋଲିସ୍ ୫ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ୪ ଜଣ ମହିଳା ଅଛନ୍ତି। ଅଭିଯୋଗ ଅନୁଯାୟୀ, ସେମାନେ ପୂଜା ସମୟରେ ହେଉଥିବା ଭିଡ଼ର ଫାଇଦା ଉଠାଇ ଲୋକଙ୍କ ପକେଟ୍ ମାର୍ କରି ସ୍ମାର୍ଟଫୋନ୍ ଚୋରି କରୁଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ୫ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍, ଅନ୍ୟାନ୍ୟ ଚୋରା ସାମଗ୍ରୀ, ଦୁଇ ଚକିଆ ଗାଡ଼ି ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି ।

ସେହିପରି ଦୁର୍ଗା ପୂଜା ପାଇଁ ଜମା ହୋଇଥିବା ପ୍ରବଳ ଭିଡ଼ ଭିତରେ ‘ବଞ୍ଜାରା ଗ୍ୟାଙ୍ଗ୍’ ଲୋକଙ୍କୁ ଟାର୍ଗେଟ୍ କରୁଥିଲା ଏବଂ ସେମାନଙ୍କ ଠାରୁ ସୁନା ଚେନ୍, ପର୍ସ ଓ ମୋବାଇଲ୍ ଫୋନ୍ ଛଡ଼ାଇ ନେଉଥିଲା। ଅପରପକ୍ଷରେ ଭିଡ଼ ଭିତରେ ଜଣେ ମହିଳାଙ୍କୁ ଟାର୍ଗେଟ୍ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଧରି ପକାଇଥିଲେ ଲୋକମାନେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ହେପାଜତକୁ ନେବା ପୂର୍ବରୁ ସେମାନଙ୍କୁ ଛେଚିଥିଲେ ସ୍ଥାନୀୟ ଲୋକେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।