ଭିଜିଲାନ୍ସ ଜାଲ ରେ ପୋଲିସ ଏଏସଆଇ ଏବଂ ଅବକାରୀ ଅଧୀକ୍ଷକ
ବ୍ରହ୍ମପୁର/ରାଉରକେଲା : ଲାଞ୍ଚୁଆ ସରକାରୀ କର୍ମଚାରୀ । ପ୍ରତି ଦିନ କେହି ନା କେହି ସରକାରୀ ବାବୁଙ୍କୁ ଧରୁଛି ଭିଜିଲାନ୍ସ । ତଥାପି କମୁ ନାହିଁ ଲାଞ୍ଚଖୋର ମନୋଭାବ । ମହିଳା ଅଧିକାରୀ ମାନେ ମଧ୍ୟ ମୋଟା ଅଙ୍କର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଖବର ର ଶିରୋନାମା ପାଲଟୁଥିବା ଦେଖା ଯାଉଛି । କୌଣସି ବିଭାଗରେ ବିନା ଲାଞ୍ଚରେ ଫାଇଲ କାମ କରିବା ଅସମ୍ଭବ ହେଇଗଲାଣି । ଯେମିତିକି ଉପୁରି ଖାଇବା ଟା ଏକ ନିଶା ପାଲଟି ଯାଇଛି ! ଆଇନ ର ରକ୍ଷକ ହୋଇ ପୋଲିସ ଅଧିକାରୀ ମାନେ ବି ଏଥିରୁ ବାଦ ପଡୁ ନାହାନ୍ତି । ସେହିପରି ଜଣେ ବ୍ୟକ୍ତିଙ୍କ ଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ପଡିଛନ୍ତି ଗଂଜାମ ଜିଲା ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ । ତାଙ୍କଠାରୁ ଲାଂଚ ଟଙ୍କା ଜବତ କରାଯିବା ସହ ଥାନା ପରିସର କାର୍ଯ୍ୟାଳୟରେ ଚଢାଉ ଆରମ୍ଭ ହୋଇଛି ।
ସୂଚନାନୁସାରେ, ଖଲ୍ଲିକୋଟ ଥାନାରେ ଜଣେ ବ୍ୟକ୍ତିଙ୍କ ନାଁରେ ଏକ ମାମଲା ରହିଥିଲା । ଏଏସଆଇ ଶ୍ରୀ ପାଣିଗ୍ରାହୀ ଏହାର ତଦନ୍ତକାରି ଅଫିସର ଥିଲେ । ତେବେ ମାମଲାରେ ଗିରଫଦାରୀରୁ ବଂଚିବାକୁ ଶ୍ରୀ ପାଣିଗ୍ରାହୀ ଉକ୍ତ ବ୍ୟକ୍ତିଙ୍କୁ ୧୫,୦୦୦ ଟଙ୍କା ଲାଂଚ ମାଗିଥିଲେ । ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ ହୋଇ ସଂପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତବାକୁ ଶୁକ୍ରବାର ଶ୍ରୀ ପାଣିଗ୍ରାହୀ ଥାନା ପରିସରରେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ଏକ ମାମଲା(କେସ୍ ନଂ ୦୯) ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ।
ଅନ୍ୟପଟେ, ପାଞ୍ଚ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅବକାରୀ ଅଧୀକ୍ଷକ । ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଧରିଛି ରାଉରକେଲା ଭିଜିଲାନ୍ସ । ତାଙ୍କ କାର୍ଯ୍ୟାଳୟରୁ ଟଙ୍କା ଭର୍ତ୍ତି ବ୍ୟାଗ ଜବତ କରାଯାଇଛି । ସେ ଜଣେ ମଦ ଦୋକାନୀକୁ ଲାଇସେନ୍ସ କରାଇଦେବା ବାବଦରେ ଏହି ଟଙ୍କା ଲାଞ୍ଚ ନେଉଥିବା ଜଣାପଡିଛି । ରାଉରକେଲା କାର୍ଯ୍ୟାଳୟରେ ତାଙ୍କୁ ଅଟକ ରଖି ତଦନ୍ତ କରୁଛି ଭିଜିଲାନ୍ସ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।