ଭୁବନେଶ୍ୱର ପୂର୍ତ୍ତ ବିଭାଗ ରେ ବଡ଼ ଧରଣର ଜାଲିଆତି , ଗିରଫଦାରୀ ୯କୁ ବୃଦ୍ଧି
ଭୁବନେଶ୍ୱର : ଭୁବନେଶ୍ବର ପୂର୍ତ୍ତ ବିଭାଗ ୧ ନମ୍ବର ଡିଭିଜନରେ ମହା ଦୁର୍ନୀତି । ୯ କୋଟି ୨୪ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ହଡ଼ପ ମାମଲାରେ ଭିଜିଲାନ୍ସର ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ । ଆଜି ଆଉ ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ଫଳରେ ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ପୁରୀ ଡିଭିଜନର ବରିଷ୍ଠ ସହାୟକ ବିଶ୍ବନାଥ ଦାସ, ଭୁବନେଶ୍ବର ଟ୍ରେଜରି ଅଫିସ ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ଭୁବନେଶ୍ବର R & B ବିଭାଗ ପିଅନ କୁମୁଦ ସାହୁ ଗିରଫ ହୋଇଛନ୍ତି । ଆଜି ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏମାନଙ୍କ ଆକାଉଣ୍ଟ୍ ରେ ଟଙ୍କା କାରବାର ହୋଇଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିଲା । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ ହାତରେ ୩୭୭ଟି ବିଲ ଦ୍ଵାରା ଏହି ଟଙ୍କା ଉଠାଯାଇଥିବା ତଥ୍ୟ ହସ୍ତଗତ ହୋଇଛି । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଏହି ୩ଜଣଙ୍କ ଆକାଉଣ୍ଟକୁ ଅର୍ଥ ଯାଇଥିଲା ।
ପୂର୍ବରୁ ଏହି ମାମଲାରେ ୬ ଜଣ ଗିରଫ ହୋଇଥିବା ବେଳେ ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଗତ ସେପ୍ଟେମ୍ବର ୨୭ ତାରିଖରେ R & B ଡିଭିଜନ ୧ର ସେକ୍ସନ ଅଫିସର ତଥା ମୁଖ୍ୟ ଅଭିଯୁକ୍ତ ବନଲତା ମହାନ୍ତି, କନିଷ୍ଠ ସହାୟକ ଭିଭୁଦତ୍ତ ନାୟକଙ୍କ ସହ ଅନ୍ୟ ଜଣେ ସହଯୋଗୀ ଗିରଫ ହୋଇଥିଲେ । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଗକୁ ଗିରଫ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ଭିଜିଲାନ୍ସ ଏସପି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।