ଭୂକମ୍ପ ନିରୋଧୀ ଘର
ଭୂକମ୍ପପ୍ରବଣ ଜାପାନରେ ଘରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ଅଭିନବ ପ୍ରଯୁକ୍ତିବିଦ୍ୟାର ବିକାଶ କରାଯାଇଛି । ଯାହା ଭୂକମ୍ପ ସମୟରେ ଘରକୁ ଶୂନ୍ୟରେ ଭାସମାନ କରାଇ ସୁରକ୍ଷିତ ରଖିଥାଏ । ଏହି ବୈପ୍ଳବିକ ଭୂକମ୍ପ-ନିରୋଧୀ ମଡେଲକୁ ଜାପାନୀ କମ୍ପାନୀ ‘ଏୟାର ଡାନସିନ୍ ସିଷ୍ଟମ୍ସ ଇଙ୍କ’ର ଶୋଇଚି ସାକାମୋଟୋ ଉଦ୍ଭାବନ କରିଛି । ଭାରତୀୟ ବ୍ୟବସାୟୀ ହର୍ଷ ଗୋଏଙ୍କା ଏହାର ଏକ ଫଟୋ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି | ଏହି ପ୍ରଯୁକ୍ତିବିଦ୍ୟାରେ ଭୂକମ୍ପ ଆସିବା ମାତ୍ରେ ସେନ୍ସରଗୁଡ଼ିକ ସକ୍ରିୟ ହୋଇ ଏୟାର କମ୍ପ୍ରେସର ମାଧ୍ୟମରେ ଘର ତଳେ ବାୟୁଚାପ ସୃଷ୍ଟି କରନ୍ତି। ଯାହାଫଳରେ ସମ୍ପୂର୍ଣ୍ଣ ଗୃହ ଭୂପୃଷ୍ଠରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯାଇ କମ୍ପନର ପ୍ରଭାବରୁ ରକ୍ଷାପାଇଥାଏ । ଭୂକମ୍ପ କମିଯିବାପରେ ପୁନର୍ବାର ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଆସିଥାଏ । ବିଦ୍ୟୁତ କାଟ ସମୟରେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ ରଖିବା ପାଇଁ ବ୍ୟାଟେରୀ ବ୍ୟାକଅପ୍ ବ୍ୟବସ୍ଥା ରହିଛି । ପରୀକ୍ଷଣ ସମୟରେ ସୃଷ୍ଟି କରାଯାଇଥିବା କୃତ୍ରିମ ଭୂକମ୍ପ କମ୍ପନରେ ଘରଟି ଶୂନ୍ୟରେ ରହିବା ସହ ଭିତରର କୌଣସି ଜିନିଷପତ୍ର ନଷ୍ଟ ହୋଇନଥିଲା । ବର୍ତ୍ତମାନ ଜାପାନର ପ୍ରାୟ ୯୦ଟି ଘରେ ଏହି ସିଷ୍ଟମ୍ କାର୍ଯ୍ୟକାରୀ ହେଉଥିବାବେଳେ ଅତ୍ୟନ୍ତ ତୀବ୍ର ଭୂକମ୍ପ ସମୟରେ ଏହାର ପ୍ରଭାବଶାଳୀତା କିପରି ରହିବ, ତାହା ଦେଖିବାକୁ ବାକି ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।