ମର୍ମନ୍ତୁଦ ସଡକ ଦୁର୍ଘଟଣା , ୬ ମୃତ
ଜଟଣୀ/ସମ୍ବଲପୁର/କେନ୍ଦୁଝର/ସୋରଡ଼ା : ଦୁର୍ଘଟଣାର ଦିନ । ଗତ ୧୨ ଘଣ୍ଟା ମଧ୍ୟରେ ସଡକ ଦୁର୍ଘଟଣାରେ ଚାଲି ଯାଇଛି ୬ ଅମୁଲ୍ୟ ଜୀବନ । ଗତ ବିଳମ୍ବିତ ରାତିରେ ଜଟଣୀରେ ଭୟଙ୍କର ସଡକ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ଜଟଣୀ କୁଦିଆରୀ ଅଞ୍ଚଳର ଓମ୍ ପ୍ରକାଶ ସିଂହ ଏବଂ ଶକ୍ତି ରଞ୍ଜନ ବେହେରା । ଦ୍ରୁତ ଗତିରେ ଗାଡି ଚଳାଇ ଯାଉଥିବାବେଳେ ଜଟଣୀ ହରି ଭାଇନା ଛକ ନିକଟରେ ଡିଭାଇଡରରେ ପିଟି ହୋଇ ରାସ୍ତାରେ ଛିଟିକି ପଡ଼ିଥିଲେ ମୃତକ ୨ ଜଣ ।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଜଟଣୀ ପୁଲିସ। ଦୁଇ ମୃତକଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ଖୋର୍ଦ୍ଧା ମେଡିକାଲକୁ ପଠାଇଛି। ଘଟଣାକୁ ନେଇ ଜଟଣୀ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ସେହିପରି,ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଖିଣ୍ଡାର ସିଟିଆର୍ ଛକରେ ଘଟିଛି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ରେ ଯାଉଥିବାବେଳେ କୋଇଲା ବୋଝେଇ ଟ୍ରକ ଧକ୍କାରେ ମାଆ ଓ ଶିଶୁ କନ୍ୟାଙ୍କର ମୃତ୍ୟୁ ଘଟିଛି ଏବଂ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରକ୍ ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।
ଅନ୍ୟପଟେ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଅନ୍ତର୍ଗତ ବାୟାପଣ୍ଡାଧର ନିକଟରେ ଘଟିଛି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗଣେଶ ପୂଜା ପାଇଁ ପୁଅ ପାଖକୁ ନଡ଼ିଆ ଓ ପୂଜା ସାମଗ୍ରୀ ନେଇ ଯାଉଥିବା ବେଳେ ମାଆଙ୍କ ଉପରେ ଚଢ଼ିଗଲା କାଳ ଟ୍ରକ୍ । ଘଟଣାସ୍ଥଳରେ ହିଁ ମାଆଙ୍କର ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ମୃତ ମହିଳା ଜଣକ ବାୟାପଣ୍ଡାଧର ଗାଁର ପଟେଲ ସେନାପତିଙ୍କ ସ୍ତ୍ରୀ ପାନ ସେନାପତି ବୋଲି ଜଣାପଡ଼ିଛି ।
ପଟେଲ ସେନାପତିଙ୍କ ପୁଅ ଗୋନାଶିକା ସ୍କୁଲରେ ପଢୁଥିଲେ । ଆଜି ପବିତ୍ର ଗଣେଶ ପୂଜା ଥିବାରୁ ପୁଅ ପାଇଁ ନଡ଼ିଆ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇ ସ୍କୁଲ ରେ ଦେବା ପାଇଁ ପାନ ସେନାପତି ଘରୁ ବସ୍ ଷ୍ଟାଣ୍ଡକୁ ଯାଉଥିଲେ । ବସ-ଷ୍ଟାଣ୍ଡରେ ପହଞ୍ଚି ସେଠାରୁ ଗୋନାଶିକା ଯିବାର କାର୍ଯ୍ୟକ୍ରମ ଥିଲା । ହେଲେ ବସ୍ ଷ୍ଟାଣ୍ଡରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଚାଲି ଯିବା ସମୟରେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ପାନଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକମାନେ କ୍ଷତିପୂରଣ ଓ ଦୋଷୀ ଟ୍ରକ୍ ଚାଳକଙ୍କୁ ଗିରଫ ଦାବିରେ ସମ୍ବଲପୁର-କୋଲକାତା NH-୪୯କୁ ଅବରୋଧ କରିଥିଲେ । ଖବର ପାଇ ଶୁଆକାଟି ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତାରୋକ ହଟାଇବାକୁ ଚେଷ୍ଟା ଚଳାଇଛି ।
ସେପଟେ, ଗଞ୍ଜାମ ଜିଲ୍ଲା ସୋରଡ଼ାରେ ବସ ଚକା ତଳେ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି । ମୃତକ ହେଲେ ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମର କୃଷ୍ଣ ନାୟକଙ୍କର ୬ ବର୍ଷର ଶିଶୁକନ୍ୟା କଳ୍ପନା ନାୟକ । ଘରୋଇ ବସ୍ଟି ବ୍ରହ୍ମପୁରରୁ ସୋରଡ଼ା ଆସୁଥିବାବେଳେ ଢଉପଦା ନିକଟରେ ଝିଅଟିକୁ ଧକ୍କା ଦେଇଥିଲା । ଫଳରେ ସେ ଚକାତଳେ ଚାପି ହୋଇଯାଇଥିଲା । ଦୁର୍ଘଟଣା ଘଟିବା ପରେ ବସ୍ଟି ଦ୍ରୁତଗତିରେ ସେଠାରୁ ପଳାଇ ଆସି ବଡ଼ଗଡ଼ ଥାନା ନିକଟରେ ଅଟକିଥିଲା । ଏହି ଘଟଣାକୁ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ଗ୍ରାମବାସୀ ରାସ୍ତାରୋକୋ କରିଛନ୍ତି । ଘଟଣାସ୍ଥଳରେ ଆସିକା ଏସ୍ଡିପିଓ ପହଞ୍ଚି ଲୋକଙ୍କୁ ବୁଝଶୁଝା କରୁଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।