ମହାରାଷ୍ଟ୍ରର ୭୪% ଅଞ୍ଚଳରେ ମରୁଡ଼ି ଘୋଷଣା, ୩୫୮ରୁ ୨୬୫ ତାଲୁକା ପ୍ରଭାବିତ

Sep 26, 2026 - 15:50
ମହାରାଷ୍ଟ୍ରର ୭୪% ଅଞ୍ଚଳରେ ମରୁଡ଼ି ଘୋଷଣା, ୩୫୮ରୁ ୨୬୫ ତାଲୁକା ପ୍ରଭାବିତ

ମୁମ୍ବାଇ: ମହାରାଷ୍ଟ୍ର ସରକାର ରାଜ୍ୟର ୩୫୮ଟି ତାଲୁକା ମଧ୍ୟରୁ ୨୬୫ଟିକୁ ମରୁଡ଼ି ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଏହି ତାଲୁକାଗୁଡ଼ିକ ରାଜ୍ୟର ମୋଟ ତାଲୁକାର ପ୍ରାୟ ୭୪ ପ୍ରତିଶତ। ମରୁଡ଼ି ପରିଚାଳନା ପାଇଁ ୨୦୧୬ରେ ପ୍ରସ୍ତୁତ ଏବଂ ୨୦୨୦ରେ ଅଦ୍ୟତନ ହୋଇଥିବା ମାନୁଆଲ୍ ଓ ମରୁଡ଼ି ପରିଚାଳନା କୋଡ୍‌ ଅନୁସାରେ ରାଜ୍ୟ ସରକାର ‘ଟ୍ରିଗର-୧’ ସକ୍ରିୟ କରିଛନ୍ତି। ଏହା ମରୁଡ଼ି ପରିସ୍ଥିତି ଘୋଷଣା କରି ରିଲିଫ୍ ବ୍ୟବସ୍ଥା ଆରମ୍ଭ କରିବାର ପ୍ରଥମ ପର୍ଯ୍ୟାୟ। ଟ୍ରିଗର-୧ ସେତେବେଳେ ସକ୍ରିୟ କରାଯାଏ, ଯେତେବେଳେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ୨୫ ପ୍ରତିଶତରୁ ଅଧିକ କମ୍ ହୋଇଥାଏ ଏବଂ ଏଥିସହ ୨୧ ଦିନ ଧରି ଦୀର୍ଘ ଶୁଖିଲା ପାଗ ରହିଥାଏ। ଏହି ଅଞ୍ଚଳଗୁଡ଼ିକ ପାଇଁ ସରକାର ବିଭିନ୍ନ ରିଲିଫ୍ ପଦକ୍ଷେପ ଘୋଷଣା କରିଛନ୍ତି। ଜିଲ୍ଲାପାଳମାନଙ୍କୁ ତୁରନ୍ତ ଫସଲ କ୍ଷୟକ୍ଷତିର ଆକଳନ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫସଲର ପ୍ରକୃତ ସ୍ଥିତି ରେକର୍ଡ କରିବା ଏବଂ କ୍ଷୟକ୍ଷତି ଆକଳନରେ ସ୍ୱଚ୍ଛତା ନିଶ୍ଚିତ କରିବା ପାଇଁ ଫଟୋ ଓ ଜିପିଏସ୍‌ ସ୍ଥାନାଙ୍କ ସଂଗ୍ରହ କରିବାକୁ ମଧ୍ୟ ଅଧିକାରୀମାନଙ୍କୁ କୁହାଯାଇଛି। ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କୁ ଜମି ରାଜସ୍ୱ ସମ୍ପୂର୍ଣ୍ଣ ଛାଡ଼ ଦିଆଯିବ। ଏହା ସହିତ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି ମଧ୍ୟ ଛାଡ଼ କରାଯିବ। ସରକାର କୃଷି ସମ୍ପର୍କିତ ଋଣର ଆଦାୟ ତୁରନ୍ତ ବନ୍ଦ କରିବା ସହିତ ଫସଲ ଋଣର ପୁନର୍ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ବିଦ୍ୟୁତ ବିଲ୍‌ରେ ମଧ୍ୟ ରିଲିଫ୍ ଘୋଷଣା କରାଯାଇଛି। ପୂର୍ବରୁ ୭.୫ ହର୍ସପାୱାର ପର୍ଯ୍ୟନ୍ତ କ୍ଷମତାର କୃଷି ପମ୍ପର ବିଦ୍ୟୁତ ବିଲ୍ ଛାଡ଼ କରାଯାଇଥିଲା। ଏବେ ତା’ଠାରୁ ଅଧିକ କ୍ଷମତାର ପମ୍ପଗୁଡ଼ିକୁ ମଧ୍ୟ ରିହାତି ଦିଆଯିବ। ଜଳାଭାବ ଥିବା ଗାଁଗୁଡ଼ିକରେ କୃଷି ପମ୍ପର ବିଦ୍ୟୁତ ସଂଯୋଗ କଟାଯିବ ନାହିଁ। ରୋଜଗାର ଗ୍ୟାରେଣ୍ଟି ଯୋଜନା ଅଧୀନରେ ଅଧିକ ରୋଜଗାର ସୃଷ୍ଟି ପାଇଁ ନିୟମଗୁଡ଼ିକୁ କୋହଳ କରାଯିବ। ଚାଷ ଉପରେ ନିର୍ଭରଶୀଳ ଚାଷୀ ଏବଂ କୃଷି ଶ୍ରମିକମାନଙ୍କୁ ଖାଦ୍ୟଶସ୍ୟ ମଧ୍ୟ ଯୋଗାଇ ଦିଆଯିବ। ସରକାର ପାନୀୟ ଜଳ ଏବଂ ପଶୁଖାଦ୍ୟର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ଆବଶ୍ୟକ ହେବ, ସେଠାକୁ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ। ଏହା ସହିତ ଗୋରୁ ଓ ଅନ୍ୟାନ୍ୟ ପଶୁଙ୍କ ପାଇଁ ପଶୁଖାଦ୍ୟ ଏବଂ ପାଣିର ଆଗୁଆ ବ୍ୟବସ୍ଥା କରାଯିବ। ମରୁଡ଼ି ମୁକାବିଲା ପାଇଁ ରିଲିଫ୍ ପଦକ୍ଷେପର ଅଂଶ ଭାବେ ରାଜ୍ୟ ସରକାର ବ୍ୟାପକ ଜଳ ସଂରକ୍ଷଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀ, କୃଷି ଶ୍ରମିକ, ପଶୁପାଳକ ଏବଂ ସାଧାରଣ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।