ମୁଁ ଏବେ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବରେ ଅଛି - ନୂତନ ରାଜ୍ୟପାଳ ବ୍ରଜମୋହନ ରାମ
ଭୁବନେଶ୍ୱର : ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ବ୍ରଜମୋହନ ରାମ । କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ନୂଆ ରାଜ୍ୟପାଳଙ୍କ ମନ୍ତବ୍ୟକୁ ନେଇ ମୁଣ୍ଡ ଟେକିଛି ବିବାଦ । ତାଙ୍କର ଏକ ରିପୋର୍ଟରେ ସେ ଓଡ଼ିଶାରେ ବିଜେପି ସଂଗଠନକୁ ମଜବୁତ କରିବା ପାଇଁ କାମ କରିବା ବୋଲି କହୁଥିବାର ଚର୍ଚ୍ଚା ଏବଂ ଆଲୋଚନା ହୋଇଥିଲା । ଯାହାକୁ ନେଇ ଏବଂ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟପାଳ ବ୍ରଜମୋହନ ରାମ ।
ସେ କହିଛନ୍ତି ଯେ, ଏପରି କୌଣସି ମନ୍ତବ୍ୟ ମୁଁ ଦେଇନାହିଁ । ମୁଁ କହିଥିଲି ଯେ ସମସ୍ତଙ୍କ ସହିତ ସମନ୍ୱୟ ରଖି କାମ କରିବି । ମୁଁ ଏବେ ଦଳୀୟ ରାଜନୀତିରୁ ଉଦ୍ଧ୍ୱରେ ଅଛି । କିନ୍ତୁ ମୁଁ ଯେଉଁ ଦଳରେ ଥିଲେ, ସେ ମୋର ପୁଞ୍ଜି । ସେହି ଦଳ ପ୍ରତି ମୋର ସର୍ବଦା ଆଗ୍ରହ ଓ ପ୍ରେମ ରହିବ । କିନ୍ତୁ ଏବେ ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବି ନାହିଁ । ହମ୍ ସବକେ ହୈ, ସବ ହମାରେ ହୈ ବୋଲି କହିଛନ୍ତି ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ।
ସୂଚନାନୁସାରେ, ରାଜ୍ୟପାଳଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ତୀବ୍ର ସମାଲୋଚନା କରିଥିଲେ ।
ନବୀନ ଏକ୍ସରେ ଲେଖିଛନ୍ତି, ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ମନୋନୀତ ବ୍ରଜ ମୋହନ ରାମ ଜୀଙ୍କୁ ହାର୍ଦ୍ଦିକ ସ୍ୱାଗତ । ଦଳୀୟ କାମ କରିବାକୁ ତାଙ୍କୁ ମନୋନୀତ କରାଯାଇଛି । ରାଜ୍ୟପାଳଙ୍କ ଉତ୍ସାହକୁ ଓଡ଼ିଶାବାସୀ ଦେଖୁଛନ୍ତି ବୋଲି ସେ କଟାକ୍ଷ କରି ଲେଖିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଓଡ଼ିଶାବାସୀଙ୍କ ସେବା କରିବାକୁ ଉତ୍ସାହ ଓ ଶକ୍ତି ଦିଅନ୍ତୁ । ଏହାଦ୍ୱାରା ସେ ନିରପେକ୍ଷ ଭାବେ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରି ନିଜ ଦାୟିତ୍ୱ ତୁଲାଇବେ ବୋଲି ନବୀନ ଲେଖିଛନ୍ତି ।
ସେହିପରି , ଭକ୍ତ ଦାସ କହିଥିଲେ ,ରାଜ୍ୟପାଳଙ୍କ ସାମ୍ବିଧାନିକ ଦାୟିତ୍ୱ ହେଉଛି ନିରପେକ୍ଷ ଭାବେ ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରିବା । ରାଜନୈତିକ ଦଳର ନିର୍ବାଚନୀ ସ୍ୱାର୍ଥକୁ ଆଗକୁ ବଢ଼ାଇବା ତାଙ୍କ ଦାୟିତ୍ୱ ନୁହେଁ । ସାମ୍ବିଧାନିକ ପଦବି ସବୁବେଳେ ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରହିବା ଆବଶ୍ୟକ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।