ମେସିନ୍‌ ଓକିଲ 

Oct 27, 2026 - 14:02
ମେସିନ୍‌ ଓକିଲ 

 

ଚୀନ ବର୍ତ୍ତମାନ ବୈଶୟିକ ଜ୍ଞାନକୌଶଳରେ ଢେର ଉନ୍ନତ୍ତି କରିଛି । ବିଭିନ୍ନ ସମୟରେ ଏହାର ବୈଜ୍ଞାନିକମାନେ ନୂଆନୂଆ ଉଦଦ୍ଭାବନ କରୁଛନ୍ତି । ସେହିକ୍ରମରେ ସାମିଲ ହୋଇଛି ଏକ ମେସିନ୍‌ । ତେବେ ଏହି ମେସିନ୍‌ ଟି ଏମିତି ସେମିତି ମେସିନ୍‌ ନୁହେଁ, ଏହା ଜଣେ ଓକିଲ । କଥାଟି ଆଶ୍ଚର୍ଯ୍ୟକର ହେଲେ ବି ସତ । ଚୀନର ବୈଜ୍ଞାନିକଙ୍କ ଦାବି ଅନୁସାରେ ଏହି ମେସିନ୍‌ଟ ବିଭିନ୍ନ ଅଭିଯୋଗର ବିଚାର କରି ଦଣ୍ଡ ବିଧାନ କରିପାରିବ । ମେସିନ୍‌ଟି ଏ ସମସ୍ତ କାର୍ଯ୍ୟ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସିର ସହାୟତା ନେବ । ଏଭଳି ମେସିନ ଓକିଲ ଦୁନିଆର ପ୍ରଥମ । ବୈଜ୍ଞାନିକଙ୍କ ଦାବି ଅନୁସାରେ ଏହି ଓକିଲ ସମାଧାନ କରୁଥିବା କେସ୍‌ର ସଠିକତା ପ୍ରାୟ ୯୭ ପ୍ରତିଶତ ରହିବ । ଏହାର ଟେଷ୍ଟ ମଧ୍ୟ କରାଯାଇ ସାରିଛି । ଏହାର ପରୀକ୍ଷା ଚୀନର ସବୁଠାରୁ ବ୍ୟସ୍ତବହୁଳ କାର୍ଯ୍ୟାଳୟରେ କରାଯାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ବର୍ତ୍ତମାନ ଓକିଲଙ୍କ ଉପରେ ବଢୁଥିବା କାର୍ଯ୍ୟଚାପକୁ କମାଇବା ପାଇଁ ସେମାନେ ଏଭଳି ମେସିନ୍‌ର ଡିଜାଇନ୍‌ କରିଛନ୍ତି । ମେସିନ୍‌କୁ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯାଇ ପ୍ରସ୍ତୁତ କରାଯାଇଛି । ଏହି ସମୟରେ ବିଭିନ୍ନ ସାଧାରଣ ଅପରାଧର ସମାଧାନ କରି ଦଣ୍ଡ ବିଧାନ କରିବାରେ ମେସିନ୍‌ଟି ସକ୍ଷମ ବୋଲି ଜଣାପଡିଛି । ଟ୍ରେନିଂ ସମୟରେ ମେସିନ୍‌କୁ କ୍ରେଡିଟ୍‌ କାର୍ଡ ହେରଫେର୍‌, ଅସୁରକ୍ଷିତ ଗାଡି ଚାଳନା, ଚୋରି, ଜୁଆ ଭଳି କେସ୍‌କୁ ସଫଳତାର ସହ ସମାଧାନ କରିଥିବା ବୈଜ୍ଞାନିକ ମାନେ ମତ ଦେଇଛନ୍ତି । ଆଗକୁ ଚୀନ ବୈଜ୍ଞାନିକମାନେ ଏହାକୁ ପ୍ରତ୍ୟକ୍ଷ ଭାବରେ କୋର୍ଟରେ ବ୍ୟବହାର କରିବାର ଯୋଜନା ରଖିଛନ୍ତି । ତେବେ ଯଦି କୌଣସି କେସ୍‌ରେ ଭୁଲ ନିଷ୍ପତ୍ତି ନିଆଯାଏ ତେବେ ତାହାର ଉତ୍ତରଦାୟିତ୍ୱ କିଏ ନେବ ବୋଲି ପ୍ରଶ୍ନ ଉଠିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।