ରାହୁଲ ଗାନ୍ଧୀଙ୍କୁ ଛାଡ଼ିଲା ପୁଲିସ ;ଭୋଟର ତାଲିକାକୁ ନେଇ ତେଜିଲା ରାଜନୈତିକ ଲଢ଼େଇ
ନୂଆଦିଲ୍ଲୀ:ଭୋଟର ତାଲିକା ସଂଶୋଧନକୁ ନେଇ ବିରୋଧୀ ଇଣ୍ଡିଆ ବ୍ଲକ୍ର ଆନ୍ଦୋଳନ ବୁଧବାର ଆହୁରି ତୀବ୍ର ହୋଇଛି। କଂଗ୍ରେସ ସୂତ୍ର ଅନୁସାରେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ଅନେକ ନେତା ଜନ୍ତର ମନ୍ତର ଅଭିମୁଖେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କ ଇସ୍ତଫା ଦାବି କରିଛି ବିରୋଧୀ ଶିବିର।
କଂଗ୍ରେସ ନେତାମାନେ ମଧ୍ୟାହ୍ନ ଭୋଜନ ପରେ ଜନପଥସ୍ଥିତ ଏକ ରେଷ୍ଟୁରାଣ୍ଟରୁ ବସ୍ ଯୋଗେ ଜନ୍ତର ମନ୍ତର ଯିବାକୁ ବାହାରିଥିଲେ। ତେବେ ପୁଲିସ ରାସ୍ତାରେ ବ୍ୟାରିକେଡ୍ ଲଗାଇ ବସ୍ଗୁଡ଼ିକୁ ଅଟକାଇଥିଲା। ଜନ୍ତର ମନ୍ତରରେ ପ୍ରତିବାଦ ପାଇଁ ପୂର୍ବ ଅନୁମତି ନିଆଯାଇନଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଥିଲା। ପୁଲିସ ନେତାମାନଙ୍କୁ ବସ୍ରେ ବସାଇବାକୁ ଉଦ୍ୟମ କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କିଛି ନେତା ରାସ୍ତାରେ ବସି ପ୍ରତିବାଦ କରିଥିଲେ। ପରେ ପୁଲିସ ସେମାନଙ୍କୁ ହଟାଇ ବସ୍ରେ ନେଇଯାଇଥିଲା। କିଛି ସମୟ ପରେ ରାହୁଲ ଗାନ୍ଧୀଙ୍କ ସମେତ ଅଟକ ଥିବା ନେତାମାନଙ୍କୁ ଛାଡ଼ି ଦିଆଯାଇଥିଲା।
ବିରୋଧୀ ଦଳଗୁଡ଼ିକ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସମସ୍ତ ସାଂସଦଙ୍କୁ ଦିଲ୍ଲୀରେ ରହିବାକୁ କହିଥିବାରୁ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବାର ସଙ୍କେତ ମିଳିଛି। ଖାର୍ଗେ କହିଛନ୍ତି ଯେ, ବିରୋଧୀ ଦଳ ‘ଭୋଟ ଚୋରି’ ପ୍ରସଙ୍ଗକୁ ଦେଶର ଲୋକଙ୍କ ପାଖକୁ ନେବ। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଜନ୍ତର ମନ୍ତରରେ ପ୍ରତିବାଦ କରିବା ନେଇ ଦୃଢ଼ ମତ ରଖିଛନ୍ତି।
ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବିରୋଧୀ ସାଂସଦମାନେ ଆକାଶବାଣୀ ଭବନ ନିକଟରେ ଧାରଣା ଦେଇଥିଲେ। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଯିବାକୁ ଅନୁମତି ନମିଳିବା ପରେ ସେମାନେ ସେଠାରେ ଦୀର୍ଘ ସମୟ ଧରି ପ୍ରତିବାଦ କରିଥିଲେ। ପରେ ପୁଲିସ ସେମାନଙ୍କୁ ହଟାଇ ଅଟକ ରଖିଥିଲା।ବୁଧବାରର ଘଟଣାକ୍ରମ ପରେ ଇଣ୍ଡିଆ ବ୍ଲକ୍ର ପରବର୍ତ୍ତୀ ରଣନୀତି ନେଇ ମଧ୍ୟ ଆଲୋଚନା ହୋଇଛି। ବିରୋଧୀ ନେତାମାନେ ଏକାଠି ହୋଇ ନିର୍ବାଚନ କମିଶନ ବିରୋଧରେ ଆନ୍ଦୋଳନକୁ ଆଗକୁ ବଢ଼ାଇବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।ଜନ୍ତର ମନ୍ତରରେ ପ୍ରତିବାଦ କରିବା ପାଇଁ ପୂର୍ବ ଅନୁମତି ଆବଶ୍ୟକ। ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଅତି କମ୍ରେ ୧୦ ଦିନ ପୂର୍ବରୁ ନୂଆଦିଲ୍ଲୀ ଜିଲ୍ଲାର ଡିସିପିଙ୍କ ନିକଟରେ ଅନୁମତି ପାଇଁ ଆବେଦନ କରିବାକୁ ପଡ଼େ। ଅନୁମତି ନଥିବାରୁ ପୁଲିସ ବିରୋଧୀ ନେତାମାନଙ୍କୁ ଜନ୍ତର ମନ୍ତର ଯିବାରୁ ରୋକିଥିବା କହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।