ରିଲ୍ସ ଦେଖିବାକୁ ମିଳିବ ଦରମା

Nov 07, 2026 - 15:18
ରିଲ୍ସ ଦେଖିବାକୁ ମିଳିବ ଦରମା

 

 ସାଧାରଣତଃ ରିଲ୍ସ ଦେଖିଲେ ଘରେ ବଡମାନେ ବିରକ୍ତି ପ୍ରକାଶ କରିଥାଆନ୍ତି । ପାଠ ପଢା କିମ୍ବା ଅନ୍ୟକାମରେ ମନ ନଦେଇ ଖାଲି ରିଲ୍ସ ଦେଖିବାକୁ କେହି ପସନ୍ଦ କରନ୍ତି ନାହିଁ । ହେଲେ ରାଜସ୍ଥାନରେ ରିଲ୍ସ ଦେଖିବାକୁ ଏକ ଚାକିରି ବାହାରିଛି । ଦିନସାରା ସୋସିଆଲ୍ ମିଡିଆରେ ଇନ୍‌ଷ୍ଟାଗ୍ରାମ୍ ରିଲ୍ସ ଦେଖିବା ଏବେ କେବଳ ମନୋରଞ୍ଜନ ନୁହେଁ, ବରଂ ଟଙ୍କା ରୋଜଗାରର ଏକ ସୁଯୋଗ ପାଲଟିଛି । ରାଜସ୍ଥାନର ଉଦୟପୁରସ୍ଥିତ 'ଇନ୍‌ଫ୍ଲୁଇସ୍'  ନାମକ ଏକ କମ୍ପାନୀ ପ୍ରତିଦିନ ସୋସିଆଲ୍ ମିଡିଆ ରିଲ୍ସ ଦେଖି ଭାଇରାଲ୍ ଟ୍ରେଣ୍ଡଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏକ ନିଆରା ଚାକିରିର ବିଜ୍ଞାପନ ଦେଇଛି । କମ୍ପାନୀ ଏହି ନୂତନ ପଦବୀର ନାମ 'ପ୍ରୋଫେସନାଲ୍ ଡୁମ୍‌ସ୍କ୍ରୋଲର୍' ରଖିଛି । ଏକ ଇନ୍‌ଷ୍ଟାଗ୍ରାମ୍ ଭିଡିଓ ମାଧ୍ୟମରେ ଏହି ଚାକିରି ପାଇଁ ଆବେଦନ ପ୍ରକ୍ରିୟା ଘୋଷଣା କରାଯାଇଛି, ଯେଉଁଥିରେ ଆବେଦନକାରୀଙ୍କୁ କମ୍ପାନୀର ଉକ୍ତ ଭିଡିଓରେ 'ହାଏ' କମେଣ୍ଟ କରିବାକୁ କୁହାଯାଇଛି । ଉଦୟପୁରର ଆବେଦନକାରୀଙ୍କୁ ମେସେଜ୍ ମାଧ୍ୟମରେ ଆବେଦନ ଲିଙ୍କ୍ ପଠାଯାଉଛି । ଏହି ସୂଚନା ଭାଇରାଲ୍ ହେବା ପରେ ଭିଡିଓଟିକୁ ୩.୪ ମିଲିୟନ୍‌ରୁ ଅଧିକ ଭ୍ୟୁ ମିଳିସାରିଥିବା ବେଳେ ୧୧,୦୦୦ରୁ ଅଧିକ ଲୋକ ଆବେଦନ ଫର୍ମ ପାଇଁ ଅନୁରୋଧ କରିସାରିଛନ୍ତି । ତେବେ ଏହି ପଦବୀ ପାଇଁ କେତେ ଦରମା ଦିଆଯିବ, ସେ ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।