ଶେଷ ହେଲା ବ୍ରିକ୍ସ ଶିଖର ସମ୍ମିଳନୀ

Sep 13, 2026 - 23:31
ଶେଷ ହେଲା ବ୍ରିକ୍ସ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ ପରିସରରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆଜି ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିଲେ। ଏହି ସମ୍ମିଳନୀରେ ସର୍ବସମ୍ମତ ନୂଆଦିଲ୍ଲୀ ଘୋଷଣାନାମା ଗୃହୀତ ହେବା ଭାରତ ପାଇଁ ଏକ ବିଶାଳ କୂଟନୈତିକ ଉପଲବ୍ଧି। ସମ୍ମିଳନୀର ଶେଷ ଦିବସ ମୁକ୍ତ ଅଧିବେଶନରେ ବିଶ୍ୱନେତାଙ୍କ ଏକ ଉଚ୍ଚସ୍ତରୀୟ ସମାବେଶ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବ୍ରିକ୍ସର ମୁଖ୍ୟ ରାଷ୍ଟ୍ରମୁଖ୍ୟମାନେ ଯୋଗଦେଇଥିଲେ, ଯେଉଁଥିରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍-ସିସି, ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲ୍ଲୀ ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ ସାମିଲ ଥିଲେ। ବ୍ରାଜିଲର ପ୍ରତିନିଧିତ୍ୱ ବୈଦେଶିକ ମନ୍ତ୍ରୀ ମୌରୋ ଭିଏରା କରିଥିଲେ। ସମ୍ମିଳନୀରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍, ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର. ମାର୍କୋସ ଜୁନିୟର, କାଜାଖସ୍ତାନ ରାଷ୍ଟ୍ରପତି କାସିମ୍-ଜୋମାର୍ଟ ଟୋକାୟେଭ୍ ଏବଂ ବୁରୁଣ୍ଡି ରାଷ୍ଟ୍ରପତି ଏଭାରିଷ୍ଟ ନଦାୟିସିମିୟେଙ୍କ ସମେତ ପ୍ରମୁଖ ସହଯୋଗୀ ଦେଶର ନେତାମାନଙ୍କୁ ସ୍ୱାଗତ କରାଯାଇଥିଲା। ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟରେ ନାଇଜେରିଆ ଉପରାଷ୍ଟ୍ରପତି କାସିମ୍ ସେଟ୍ଟିମା, ଉଗାଣ୍ଡା ଉପରାଷ୍ଟ୍ରପତି ଜେସିକା ଅଲୁପୋ ଏବଂ ସାଉଦି ଆରବ ବୈଦେଶିକ ମନ୍ତ୍ରୀ ଶେହଜାଦା ଫୈଜଲ ବିନ୍ ଫରହାନ ଅଲ୍ ସାଉଦଙ୍କ ସହ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ନେତାମାନେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବା ସହ ସୀମାପାର ଆତଙ୍କବାଦକୁ କଠୋର ଭାବେ ନିନ୍ଦା କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଗମ୍ଭୀର ବିଶ୍ୱସ୍ତରୀୟ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଏକ ମିଳିତ ସହମତି ସୃଷ୍ଟି କରିବାର କୂଟନୈତିକ ସଫଳତାକୁ ପ୍ରଶଂସା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।