ସଡକ ଦୁର୍ଘଟଣାରେ ଅନ୍ତର୍ଜାତୀୟ ପର୍ବତାରୋହୀଙ୍କ ମୃତ୍ୟୁ
ଭୁବନେଶ୍ୱର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅନ୍ତର୍ଜାତୀୟ ପର୍ବତାରୋହୀଙ୍କ ମୃତ୍ୟୁ । ଭୁବନେଶ୍ୱର ୱିପ୍ରୋ କମ୍ପାନୀରେ କାର୍ଯ୍ୟରତ ଥିବା ସଫ୍ଟୱେର ଇଂଜିନିୟର ଥିବା ଅନ୍ତର୍ଜାତୀୟ ପର୍ବତାରୋହୀ ଜଗନ୍ନାଥ ମହନ୍ତଙ୍କ ଦୁଃଖଦ ମୃତ୍ୟୁ ଘଟଣା ସୂଚନା ମିଳିଛି । ତାଙ୍କ ଘର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ପଞ୍ଚାୟତର ନୂଆଗାଁ ଗ୍ରାମରେ । ଗତ ଗୁରୁବାର ସନ୍ଧ୍ୟାରେ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ୨ ଶହ ଫୁଟିଆ ବାଇପାସ ରାସ୍ତାରେ ଅଚାନକ ଏକ ଷଣ୍ଢ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିବାରୁ ତା’ ସହ ଜଗନ୍ନାଥଙ୍କ ବାଇକର ଜୋରଦାର ଧକ୍କା ହୋଇଥିଲା । ଷଣ୍ଢ ଶିଙ୍ଘଟି ତାଙ୍କ ବେକରେ ପଶିଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ଜଗନ୍ନାଥଙ୍କୁ ଉଦ୍ଧାର କରି ନିକଟସ୍ଥ ଘରୋଇ ଉତ୍କଳ ହସ୍ପିଟାଲ୍କୁ ନେଇଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଗନ୍ନାଥ ଅବସର ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଶ୍ୟାମସୁନ୍ଦର ମହାନ୍ତ ଓ ଶୈଳେନ୍ଦ୍ରୀ ମହାନ୍ତଙ୍କ ଏକମାତ୍ର ପୁତ୍ର ଥିଲେ ।
ଜୀବନରେ କିଛି ଭିନ୍ନ ଓ ଦୁଃସାହସିକ କାର୍ଯ୍ୟ କରିବାର ନିଶା ଜଗନ୍ନାଥଙ୍କୁ ଜଣେ ସଫଳ ପର୍ବତାରୋହୀ ଭାବେ ଗଢ଼ି ତୋଳିଥିଲା । ୨୦୨୧ରେ ଭାରତୀୟ ଦୁଃସାହସିକ ସଂସ୍ଥାନ (ଆଇ ଏ ଏଫ୍) ପକ୍ଷରୁ ସର୍ବଭାରତୀୟ ସ୍ତରର ୩୦ ଜଣଙ୍କୁ ନେଇ ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାର ଗଡ଼ୱାଲ ହିମାଳୟର ଗୋବିନ୍ଦ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ କେଦାରକଣ୍ଠ ଠାରେ ଜାତୀୟ ପର୍ବତାରୋହଣ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
୨୦୨୧ ଡିସେମ୍ବର ୩୦ରୁ ୨୦୨୨ ଜାନୁଆରି ୪ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ଜାନୁଆରି ୩ ତାରିଖ ସୂର୍ଯ୍ୟୋଦୟ ପୂର୍ବରୁ ସେ ୧୨,୫୦୦ ଫୁଟ ଉଚ୍ଚ କେଦାରକଣ୍ଠ ପର୍ବତ ଶୃଙ୍ଗର ଶୀର୍ଷରେ ପହଞ୍ଚିଥିଲେ। ସେଠାରେ ବିଯୁକ୍ତ ୧୬ ଡିଗ୍ରି ସେଲସିୟସ୍ ପ୍ରତିକୂଳ ତାପମାତ୍ରାରେ ଓଡ଼ିଶାର ଏକମାତ୍ର ବ୍ୟକ୍ତି ଭାବେ ସେ ୨୮୦ ଫୁଟ ଲମ୍ବର ତ୍ରିରଙ୍ଗା ଜାତୀୟ ପତାକା ଉଡ଼ାଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିଲେ ।
ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ ସେ ନବମ ସ୍ଥାନ ଅଧିକାର କରିଥିଲେ। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କ ନାମ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସ୍, ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ ଏବଂ ୟୁନିଭର୍ସାଲ ବୁକ୍ ଅଫ୍ ରେକର୍ଡସ ରେ ସ୍ଥାନ ପାଇଥିଲା । ଆଗକୁ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ “କିଲିମଞ୍ଜାରୋ” ଆରୋହଣ କରିବା ପାଇଁ ତାଙ୍କର ସ୍ୱପ୍ନ ବିଧିର ବିଧାନ ଆଗରେ ଅଧୁରା ରହିଗଲା । ଯୁବ ପ୍ରତିଭା ଜଗନ୍ନାଥଙ୍କ ଅକାଳ ବିୟୋଗରେ ପରିବାର ସହିତ ସମଗ୍ର କେନ୍ଦୁଝର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।