ସରକାରଙ୍କ ବିରୋଧରେ ପ୍ରତିବାଦ ପଞ୍ଜୀକରଣ ପାଇଁ ‘ସତ୍ୟାଗ୍ରହ’ ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କଲେ ରାହୁଲ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଅଭିଯୋଗ କରିଛନ୍ତି ଯେ ଦେଶରେ ସତ୍ୟକୁ ଦମନ କରାଯାଉଛି ଏବଂ ଏପରି ନହେବାକୁ ନିଶ୍ଚିତ କରିବା ତାଙ୍କର ଦାୟିତ୍ୱ। ସେ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ବିଭିନ୍ନ ପ୍ରସଙ୍ଗଭିତ୍ତିକ ବିକ୍ଷୋଭଗୁଡ଼ିକୁ ଏକତ୍ର କରିବା ପାଇଁ ‘ସତ୍ୟାଗ୍ରହ’ ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀର ଗୋଟିଏ ଦିନ ପରେ ଆରମ୍ଭ କରାଯାଇଥିବା ଏହି ‘ସତ୍ୟାଗ୍ରହ’ ପ୍ଲାଟଫର୍ମରେ ସରକାର ବିରୋଧରେ ନିଜର ବିକ୍ଷୋଭକୁ ପଞ୍ଜୀକରଣ କରିବାକୁ ରାହୁଲ ଗାନ୍ଧୀ ଲୋକମାନଙ୍କୁ ଆହ୍ୱାନ କରିଛନ୍ତି। ‘ସତ୍ୟକୁ ଦମନ କରାଯାଉଥିବା’ ସ୍ଥାନରେ ଲୋକମାନଙ୍କୁ ସହାୟତା ଦେବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ରାହୁଲ କହିଛନ୍ତି, ‘ଦେଶର ସବୁଠାରେ ଲୋକମାନେ ନିଜ ଅଧିକାର ପାଇଁ ଲଢ଼ୁଛନ୍ତିଜ ଏବଂ ଅନେକ ସମୟରେ ଏକାକୀ ଲଢ଼ୁଛନ୍ତି। ଜେନ୍ ଜି , ଛାତ୍ରଛାତ୍ରୀ, କୃଷକ, ଆଦିବାସୀ, ଦଳିତ, ମହିଳା ପ୍ରତ୍ୟେକ ସଂଘର୍ଷର ନିଜସ୍ୱ କାହାଣୀ ରହିଛି। କିନ୍ତୁ ଏକାକୀ ସ୍ୱରକୁ ଦମନ କରିବା ସହଜ। ସେ କହିଛନ୍ତି, ସତ୍ୟାଗ୍ରହ ହେଉଛି ଏହି ସମସ୍ତ ସ୍ୱରକୁ ଗୋଟିଏ ମାନଚିତ୍ରରେ ଏକତ୍ର କରିବାର ଏକ ପ୍ରୟାସ। ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି କଂଗ୍ରେସ ସାଂସଦ କହିଛନ୍ତି, ‘ବାପୁ ଆମକୁ ଶିଖାଇଥିଲେ ଯେ ସତ୍ୟ ହେଉଛି ଆମର ସବୁଠାରୁ ବଡ଼ ଅସ୍ତ୍ର। କିନ୍ତୁ ତା’ଠାରୁ ଆହୁରି ବଡ଼ ଅସ୍ତ୍ର ହେଉଛି ସତ୍ୟ ସହିତ ଏକାଠି ଠିଆ ହେବା। ଯଦି ଆପଣ ମଧ୍ୟ କୌଣସି ଅନ୍ୟାୟ ବିରୋଧରେ ଲଢ଼ୁଛନ୍ତି, ତେବେ ଆପଣଙ୍କ କାହାଣୀ ଆମ ସହିତ ସେୟାର କରନ୍ତୁ। ଏଥିପାଇଁ ମାତ୍ର ଦୁଇ ମିନିଟ୍ ସମୟ ଲାଗିବ। ଗାନ୍ଧୀ କହିଛନ୍ତି ଯେ ସେମାନଙ୍କ ବିକ୍ଷୋଭ ‘ସତ୍ୟାଗ୍ରହ’ ମାନଚିତ୍ରରେ ସ୍ଥାନ ପାଇବ। ସେ କହିଛନ୍ତି, ‘ଆପଣଙ୍କ ଭଳି ଆଉ କିଏ ନିଜ ନିଜ ସଂଘର୍ଷ ପାଇଁ ଲଢ଼ୁଛି, ତାହା ଆପଣ ଦେଖିପାରିବେ’। ସେ ଆହୁରି କହିଛନ୍ତି, ‘ମୁଁ ଯାହା କରିପାରିବି, ତାହା କରିବି—ସଂସଦରେ, ରାସ୍ତାରେ, ଚିଠି ମାଧ୍ୟମରେ କିମ୍ବା ଯେଉଁଠାରେ ମୋର ଆବଶ୍ୟକତା ରହିବ, ସେଠାରେ—ଆପଣଙ୍କ ସହିତ ଠିଆ ହେବା ପାଇଁ। ବିରୋଧୀ ଦଳର ନେତା ଭାବେ ଏହା ମୋର ଦାୟିତ୍ୱ। ଆପଣଙ୍କ ସତ୍ୟାଗ୍ରହର କାହାଣୀ ମୋତେ କୁହନ୍ତୁ’। ଏଥିସହ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ରାଏବରେଲିର ସାଂସଦ କହିଛନ୍ତି, ‘ଆପଣମାନେ ସମସ୍ତେ ଜାଣନ୍ତି, ସମଗ୍ର ଦେଶରେ ସତ୍ୟକୁ ଦମନ କରାଯାଉଛି ଏବଂ ଦେଶର ବିଭିନ୍ନ ସ୍ଥାନରେ ଅନେକ ବିକ୍ଷୋଭ ଚାଲିଛି। ଜମି, ମହିଳାଙ୍କ ଅଧିକାର, ଦଳିତଙ୍କ ଅଧିକାର , ଓବିସିଙ୍କ ଅଧିକାର, ଶିକ୍ଷା ଏବଂ ପରୀକ୍ଷା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବିକ୍ଷୋଭ ଚାଲିଥିବା ଉଲ୍ଲେଖ କରି ସେ କହିଛନ୍ତି, ‘ଆମେ ଏହି ବିକ୍ଷୋଭଗୁଡ଼ିକୁ ସଂଗଠିତ କରିବାରେ, ସେଗୁଡ଼ିକୁ ଗୋଟିଏ ମାନଚିତ୍ରରେ ଏକାଠି କରିବାରେ ଏବଂ ଆପଣମାନଙ୍କ ସହିତ ମିଶି ଆପଣମାନେ ଯେଉଁ ସମସ୍ୟା ପାଇଁ ଲଢ଼ୁଛନ୍ତି, ତାହାର ସମାଧାନରେ କିପରି ସହାୟତା କରିପାରିବୁ ତାହା ଦେଖିବାକୁ ଚାହୁଁଛୁ। ସତ୍ୟାଗ୍ରହ’ ୱେବସାଇଟ୍କୁ ଦେଖନ୍ତୁ। ଫର୍ମ ପୂରଣ କରନ୍ତୁ। ୱେବସାଇଟ୍ରେ ଆପଣଙ୍କ ଆନ୍ଦୋଳନକୁ ପଞ୍ଜୀକରଣ କରନ୍ତୁ। ଆମେ ଆପଣଙ୍କୁ କିପରି ସହାୟତା କରିପାରିବୁ, ତାହା ଦେଖିବାକୁ ଚେଷ୍ଟା କରିବୁ। ଆମେ ଆପଣଙ୍କ ସହିତ ଯୋଗାଯୋଗରେ ରହିବୁ।ଗାନ୍ଧୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ବିରୋଧୀ ଦଳର ନେତା ଭାବେ, ଯେଉଁଠାରେ ସତ୍ୟକୁ ଦମନ କରାଯାଉଛି, ସେଠାରେ ଲୋକମାନଙ୍କୁ ପ୍ରତିରୋଧ କରିବାରେ ସହାୟତା କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ସତ୍ୟ ଗୁରୁତ୍ୱପୂର୍ଣ୍ଣ। ଦେଶର ସର୍ବୋଚ୍ଚ ସ୍ତରରେ ଏହା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଦେଶର ପ୍ରତ୍ୟେକ କୋଣରେ ଏହା ପାଇଁ ଲଢ଼ିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।’
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।