୧୫ ହଜାର ଟଙ୍କା ଲାଂଚ ନେଇ ଧରା ପଡ଼ିଲେ ଖଲ୍ଲିକୋଟ ଥାନା ଏଏସ୍‌ଆଇ

Sep 12, 2026 - 02:40

ସମାଜ ଡେସ୍କ: ଜଣେ ବ୍ୟକ୍ତିଙ୍କ ଠାରୁ ୧୫,୦୦୦ ଟଙ୍କା ଲାଂଚ ନେଉଥିବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି ଗଂଜାମ ଜିଲା ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ । ତାଙ୍କଠାରୁ ଲାଂଚ ଟଙ୍କା ଜବତ କରାଯିବା ସହ ସେ ସଂପୃକ୍ତ ଥିବା ସ୍ଥାନଗୁଡିକରେ ଭିଜିଲାନ୍ସ ଚଢାଉ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ଖଲ୍ଲିକୋଟ ଥାନାରେ ଜନୈକ ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା । ଏଏସଆଇ ଶ୍ରୀ ପାଣିଗ୍ରାହୀ ଏହାର ତଦନ୍ତକାରି ଅଫିସର ଥିଲେ । ତେବେ ମାମଲାରେ ଗିରଫଦାରୀରୁ ବଂଚିବାକୁ ଶ୍ରୀ ପାଣିଗ୍ରାହୀ ଉକ୍ତ ବ୍ୟକ୍ତିଙ୍କୁ ୧୫,୦୦୦ ଟଙ୍କା ଲାଂଚ ମାଗିଥିଲେ । ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ ହୋଇ ସଂପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତବାକୁ ଶୁକ୍ରବାର ଶ୍ରୀ ପାଣିଗ୍ରାହୀ ଥାନା ପରିସରରେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ଏକ ମାମଲା(କେସ୍ ନଂ ୦୯) ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।