୬ ଲେନ୍ ବିଶିଷ୍ଟ ହେବ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ

Nov 02, 2026 - 15:42
୬ ଲେନ୍ ବିଶିଷ୍ଟ ହେବ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ

ପୁରୀ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ-୩୧୬ ଶୀଘ୍ର ୬ ଲେନ୍ ବିଶିଷ୍ଟ ହେବାକୁ ଯାଉଛି । ଏଥିପାଇଁ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ ମାଟି ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ଜମି ଅଧିଗ୍ରହଣ ପ୍ରସ୍ତାବ ଆସିବ ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଜବରଦଖଲ ଉଚ୍ଛେଦ କରାଯିବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି । ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ଦ୍ୱାରା ପୁରୀରୁ ଭୁବନେଶ୍ୱର ମଧ୍ୟରେ ଯାତାୟାତ ସମୟ ଯଥେଷ୍ଟ କମିବ । ‘ଜିଓ ଡିଜାଇନ୍ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ୍‌’ ସଂସ୍ଥା ପକ୍ଷରୁ ୩୧୬ ନଂ ଜାତୀୟ ରାଜପଥର ପଟ୍ଟନାୟକିଆ, ସାତଶଙ୍ଖ ଓ ଚନ୍ଦନପୁର ବାଇପାସ୍ ଅଞ୍ଚଳରେ ମାଟି ପରୀକ୍ଷଣ କରାଯାଉଛି। ଏହା ସହିତ ୬ ଲେନ୍ ବିଶିଷ୍ଟ ପ୍ରକଳ୍ପ ପାଇଁ ପଥ ପରିଷ୍କାର ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖାଦେଇଛି । ରଥଯାତ୍ରା, ସୁନାବେଶ, ଓ ସାପ୍ତାହିକ ଛୁଟିଦିନଗୁଡ଼ିକରେ ଏହି ଜାତୀୟ ରାଜପଥରେ ସୃଷ୍ଟି ହେଉଥିବା ଘଣ୍ଟା ଘଣ୍ଟାର ଟ୍ରାଫିକ୍ ଜାମ୍‌ରୁ ଏବେ ଯାତ୍ରୀଙ୍କୁ ମୁକ୍ତି ମିଳିବ । ୬୭ କିଲୋମିଟର ଦୀର୍ଘ ଏହି ରାଜପଥର କେତେକ ପ୍ରମୁଖ ସ୍ଥାନରେ ୮ ଲେନ୍ କରିବା ପାଇଁ ମଧ୍ୟ ଜମି ଅଧିଗ୍ରହଣ ଯୋଜନା ରହିଛି । ରାସ୍ତା କଡ଼ରେ ୱେ-ସାଇଡ୍ ଅମେନିଟିଜ୍ (ଯାତ୍ରୀ ସୁବିଧା କେନ୍ଦ୍ର) ସହ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଶ୍ରଦ୍ଧାଳୁମାନେ ମାତ୍ର ୪୫ ମିନିଟ୍‌ରେ ଭୁବନେଶ୍ୱରରୁ ପୁରୀରେ ପହଞ୍ଚିପାରିବେ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।