30-Foot Cockroach Effigy to Be Burnt at Ramlila: ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା, ରାଜଧାନୀରେ ଜୋରଦାର ହେଉଛି ପ୍ରସ୍ତୁତି

Oct 16, 2026 - 11:19
30-Foot Cockroach Effigy to Be Burnt at Ramlila: ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା, ରାଜଧାନୀରେ ଜୋରଦାର ହେଉଛି ପ୍ରସ୍ତୁତି

ଦିଲ୍ଲୀରେ ଏବେ ଅସରପାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ରାସ୍ତାକୁ ଓହ୍ଲାଇଥିବା ବେଳେ, ଅନ୍ୟପଟେ ଦିଲ୍ଲୀର ଏକ ରାମଲୀଳା ଉତ୍ସବରେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ସହ ୩୦ ଫୁଟ୍‌ ଉଚ୍ଚର ଏକ ଅସରପା ପ୍ରତିକୃତି ଦହନ କରାଯିବାକୁ ଯୋଜନା କରାଯାଇଛି। ସ୍ୱଚ୍ଛତାର ବାର୍ତ୍ତା ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଆୟୋଜକ କମିଟି କହିଛି।

ଦିଲ୍ଲୀର ପିତମପୁରାରେ ବାର୍ଷିକ ରାମଲୀଳା ଆୟୋଜନ କରୁଥିବା ଶ୍ରୀ କେଶବ ରାମଲୀଳା କମିଟି ଏହି ନିଷ୍ପତ୍ତି ନେଇଛି। କମିଟିର ଅଧ୍ୟକ୍ଷ ତଥା ବିଜେପି ବିଧାୟକ ଅଶୋକ ଗୋଏଲଙ୍କ କହିବା ଅନୁସାରେ, ଏହି ପ୍ରତିକୃତି ଦହନ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ଅସରପାକୁ ଅପରିଷ୍କାର ଓ ଅସ୍ୱଚ୍ଛତାର ପ୍ରତୀକ ଭାବେ ଦର୍ଶାଇ ସ୍ୱଚ୍ଛ ଭାରତ ଓ ସ୍ୱଚ୍ଛ ଦିଲ୍ଲୀ ଅଭିଯାନର ବାର୍ତ୍ତା ପ୍ରଚାର କରିବା ଏହାର ଲକ୍ଷ୍ୟ। ରାବଣର ସେନାରେ ମଧ୍ୟ ଅସରପାକୁ ଅନ୍ୟ ଅସୁରମାନଙ୍କ ସହ ସ୍ଥାନ ଦିଆଯିବ ବୋଲି ସେ କହିଛନ୍ତି।

ଅସରପାକୁ ପ୍ରତୀକ କରି ଗଠିତ କକ୍ରୋଚ୍ ଜନତା ପାର୍ଟି ଏବେ ଦିଲ୍ଲୀରେ ରାଜନୈତିକ ଓ ନିର୍ବାଚନୀ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଚଳାଇଛି। ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ ଅକ୍ଟୋବର ୧୬ ତାରିଖରେ ଦିଲ୍ଲୀର କନଟ୍ ପ୍ଲେସ୍‌ସ୍ଥିତ ସେଣ୍ଟ୍ରାଲ ପାର୍କରେ ଜାତୀୟ ପତାକା ଧରି ଏକ ପ୍ରତିବାଦ କାର୍ଯ୍ୟକ୍ରମ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଆନ୍ଦୋଳନକୁ ‘ଲହରା ଦୋ ତିରଙ୍ଗା’ ନାମ ଦିଆଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ସହିତ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଅନିୟମିତତାକୁ ନେଇ ଏହି ପ୍ରତିବାଦ କରାଯାଉଛି। ସିଜେପି ସହ ବିଭିନ୍ନ ବିରୋଧୀ ଦଳ ଓ ଛାତ୍ର ସଂଗଠନ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। 

ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀରେ ପ୍ରତିବାଦ କାର୍ଯ୍ୟକ୍ରମ ପୂର୍ବରୁ ପୁଲିସ ମୁମ୍ବାଇରୁ ଆସିଥିବା ଏକ ଏୟାର ଇଣ୍ଡିଆ ବିମାନରୁ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅଟକ ରଖିଥିଲା। ପରେ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଜନ୍ତରମନ୍ତରରେ ବ୍ୟାରିକେଡ୍ ଡେଇଁବା ଏବଂ ନିର୍ଦ୍ଧାରିତ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ପାଞ୍ଚ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇ ତିହାର ଜେଲ୍‌ରେ ରଖାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ସିଜେପି ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।