700 Grams Changed Suchika Tariyal’s Fate: ୭୦୦ ଗ୍ରାମ୍ ଓଜନ ବଦଳାଇଦେଲା ସୁଚିକାଙ୍କ ଭାଗ୍ୟ, ଭାରତକୁ ଝଟକା
ଭାରତୀୟ ଏମ୍ଏମ୍ଏ ଖେଳାଳି ସୁଚିକା ତରିୟାଲଙ୍କ ସହ ଘଟିଲା ଏକ ଅଜବ ଘଟଣା। ମହିଳା ପାରମ୍ପରିକ ୬୦ କିଲୋଗ୍ରାମ୍ ବର୍ଗରେ ଐତିହାସିକ ବ୍ରୋଞ୍ଜ୍ ପଦକ ଜିତିଥିଲେ ମଧ୍ୟ, ମାତ୍ର ୭୦୦ ଗ୍ରାମ୍ ଓଜନ ତାଙ୍କୁ ଫାଇନାଲ୍ରୁ ବଞ୍ଚିତ କରିଦେଲା।
ସିଙ୍ଗାପୁରର ହୁଇ ହୁନ୍ ତେଓଙ୍କ ବିପକ୍ଷରେ ସୁଚିକାଙ୍କ ମୁକାବିଲା ବେଶ୍ ରୋମାଞ୍ଚକର ଥିଲା। ପ୍ରଥମ ରାଉଣ୍ଡ ତେଓଙ୍କ ସପକ୍ଷରେ ଯାଇଥିବା ବେଳେ, ଦ୍ୱିତୀୟ ରାଉଣ୍ଡରେ ସୁଚିକା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ଫଳରେ ମୁକାବିଲା ଅତିରିକ୍ତ ଏକ ମିନିଟ୍ର ଟାଇମ୍କୁ ଯାଇଥିଲା।
ଏହି ଅତିରିକ୍ତ ସମୟରେ ତେଓ ନିଜ ନିୟନ୍ତ୍ରଣ ବଜାୟ ରଖିଥିଲେ। ପ୍ରଥମେ ତିନିଜଣ ବିଚାରକଙ୍କ ନିଷ୍ପତ୍ତିରେ ସୁଚିକା ପରାସ୍ତ ହୋଇଥିଲେ। କିନ୍ତୁ ଭାରତୀୟ ଦଳ ଏହି ନିଷ୍ପତ୍ତି ବିରୋଧରେ ଚ୍ୟାଲେଞ୍ଜ କରିଥିଲା। ପୁନଃ ଫୁଟେଜ୍ ଯାଞ୍ଚ ପରେ ମୁକାବିଲାକୁ ଡ୍ର’ ଘୋଷଣା କରାଯାଇଥିଲା।
କିନ୍ତୁ ଏଠି ହିଁ ନିୟମ ଆସିଲା ନିର୍ଣ୍ଣାୟକ ଭୂମିକାରେ। ଟାଇ ହେଲେ ପ୍ରଥମେ ଚେତାବନୀ, ପରେ ରେଫରିଙ୍କ ନିର୍ଦ୍ଦେଶ ଏବଂ ଶେଷରେ ଖେଳାଳିଙ୍କ ପ୍ରତିଯୋଗିତା ପୂର୍ବ ଓଜନ ଦେଖାଯାଏ। ଏଠାରେ ତେଓ ସୁଚିକାଙ୍କଠାରୁ ପ୍ରାୟ ୭୦୦ ଗ୍ରାମ୍ ହାଲୁକା ଥିବାରୁ ତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।
ଫଳରେ ତେଓ ଫାଇନାଲ୍କୁ ଯାଇଥିବା ବେଳେ ସୁଚିକାଙ୍କୁ ବ୍ରୋଞ୍ଜ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ଫଳାଫଳ ଘୋଷଣା ସମୟରେ ସୁଚିକା ଭାବବିହ୍ୱଳ ହୋଇ ନିଷ୍ପତ୍ତିରେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ।
ତଥାପି ୩୬ ବର୍ଷୀୟ ସୁଚିକାଙ୍କ ଏହି ବ୍ରୋଞ୍ଜ୍ ପଦକ ଭାରତୀୟ ଏମ୍ଏମ୍ଏ ପାଇଁ ଏକ ଐତିହାସିକ ସଫଳତା। ୭୦୦ ଗ୍ରାମ୍ ତାଙ୍କୁ ଫାଇନାଲ୍ରୁ ରୋକିଥିଲେ ମଧ୍ୟ, ତାଙ୍କ ଲଢ଼େଇ ଓ ଦୃଢ଼ତା ଅନେକ ନୂଆ ଖେଳାଳିଙ୍କୁ ପ୍ରେରଣା ଦେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।