8.23 Lakh Government Posts Vacant: କେନ୍ଦ୍ର ସରକାରରେ ୮.୨୩ ଲକ୍ଷ ପଦ ଖାଲି, ରାଷ୍ଟ୍ରପତି ସଚିବାଳୟରୁ PMO ପର୍ଯ୍ୟନ୍ତ...

Aug 23, 2026 - 16:31
8.23 Lakh Government Posts Vacant: କେନ୍ଦ୍ର ସରକାରରେ ୮.୨୩ ଲକ୍ଷ ପଦ ଖାଲି, ରାଷ୍ଟ୍ରପତି ସଚିବାଳୟରୁ PMO ପର୍ଯ୍ୟନ୍ତ...

ଦେଶରେ ସରକାରୀ ଚାକିରି ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଦୌଡ଼ ଜାରି ଥିବା ବେଳେ ସାମ୍ନାକୁ ଆସିଛି ଚିନ୍ତାଜନକ ତଥ୍ୟ। ଏକ RTI ଉତ୍ତର ଅନୁସାରେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ସିଭିଲିଆନ୍ ପ୍ରତିଷ୍ଠାନରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି ପଡ଼ିଛି। ଏହି ତଥ୍ୟରେ ସରକାରୀ ବ୍ୟାଙ୍କ ଓ PSUର ଖାଲି ପଦ ସାମିଲ ନାହିଁ।

ସରକାରୀ ତଥ୍ୟ ଅନୁସାରେ, ମୋଟ ୩୯ ଲକ୍ଷ ୨୩ ହଜାର ୨୧୨ଟି ପଦ ଅନୁମୋଦିତ ଥିବା ବେଳେ ୨୦୨୪ ମାର୍ଚ୍ଚ ୧ ତାରିଖ ସୁଦ୍ଧା ୩୦ ଲକ୍ଷ ୯୯ ହଜାର ୫୫୬ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ। ଅର୍ଥାତ୍ ଅନୁମୋଦିତ ପଦର ପ୍ରାୟ ୨୧ ପ୍ରତିଶତ ଖାଲି ରହିଛି। ସରଳ ଭାଷାରେ କହିଲେ, ସରକାର ଅନୁମୋଦନ କରିଥିବା ପ୍ରତି ୫ଟି ପଦରୁ ପ୍ରାୟ ଗୋଟିଏ ପଦରେ କେହି କାମ କରୁନାହାନ୍ତି। ନୀମଚର RTI କର୍ମୀ ଚନ୍ଦ୍ରଶେଖର ଗୌରଙ୍କ ଆବେଦନର ଉତ୍ତରରେ ଏହି ତଥ୍ୟ ମିଳିଛି। 

ରେଳବାଇ ଓ ପ୍ରତିରକ୍ଷାରେ ସର୍ବାଧିକ ପଦ ଖାଲି 

ଖାଲି ପଦର ସବୁଠୁ ବଡ଼ ଅଂଶ ରହିଛି ପ୍ରତିରକ୍ଷା ମନ୍ତ୍ରଣାଳୟର ସିଭିଲିଆନ୍ ପ୍ରତିଷ୍ଠାନ ଓ ରେଳବାଇରେ। ପ୍ରତିରକ୍ଷାରେ ୫ ଲକ୍ଷ ୫୬ ହଜାର ୨୪୮ଟି ପଦ ଅନୁମୋଦିତ ଥିବା ବେଳେ ୩ ଲକ୍ଷ ୧୪ ହଜାର ୫ ଜଣ କାର୍ଯ୍ୟରତ ଅଛନ୍ତି। ଫଳରେ ୨ ଲକ୍ଷ ୪୨ ହଜାର ୨୪୩ଟି ପଦ ଖାଲି, ଯାହା ପ୍ରାୟ ୪୩.୫ ପ୍ରତିଶତ। ଏଠାରେ ସ୍ପଷ୍ଟ କରିବା ଜରୁରୀ ଯେ ଏହି ସଂଖ୍ୟା କେବଳ ପ୍ରତିରକ୍ଷା ବିଭାଗର ସିଭିଲିଆନ୍ କର୍ମଚାରୀଙ୍କ ପଦ ସମ୍ପର୍କିତ। ସେନା, ନୌସେନା କିମ୍ବା ବାୟୁସେନାର ଖାଲି ପଦ ଏଥିରେ ସାମିଲ ନୁହେଁ।

ସେହିପରି ରେଳବାଇରେ ୧୪ ଲକ୍ଷ ୭୯ ହଜାର ୭୦୧ଟି ପଦ ଅନୁମୋଦିତ ଥିବା ବେଳେ ୧୨ ଲକ୍ଷ ୩୯ ହଜାର ୫୭୬ ଜଣ କାର୍ଯ୍ୟରତ। ଅର୍ଥାତ୍ ୨ ଲକ୍ଷ ୪୦ ହଜାର ୧୨୫ଟି ପଦ ଖାଲି। ମୋଟ ଖାଲି ପଦର ପ୍ରାୟ ୩୦ ପ୍ରତିଶତ କେବଳ ରେଳବାଇରେ ରହିଛି।

ଗୃହ ମନ୍ତ୍ରଣାଳୟରେ ମଧ୍ୟ ୧ ଲକ୍ଷରୁ ଅଧିକ ଖାଲି

ଆଭ୍ୟନ୍ତରୀଣ ସୁରକ୍ଷା ଓ ପ୍ରଶାସନ ସହ ଜଡ଼ିତ ଗୃହ ମନ୍ତ୍ରଣାଳୟରେ ୧ ଲକ୍ଷ ୧୦ ହଜାର ୮୮୫ଟି ପଦ ଖାଲି ରହିଛି। ମୋଟ ୧୧ ଲକ୍ଷ ୧୮ ହଜାର ୨୩୩ଟି ଅନୁମୋଦିତ ପଦ ମଧ୍ୟରୁ ୧୦ ଲକ୍ଷ ୭ ହଜାର ୩୪୮ ଜଣ କାର୍ଯ୍ୟରତ ଅଛନ୍ତି।

ରାଜସ୍ୱ, ଡାକ ଓ ଅନ୍ୟ ବିଭାଗରେ ମଧ୍ୟ ଅଭାବ

ଡାକ ବିଭାଗରେ ୨ ଲକ୍ଷ ୫୩ ହଜାର ୧୨୪ଟି ପଦ ଅନୁମୋଦିତ ଥିବା ବେଳେ ୧ ଲକ୍ଷ ୯୧ ହଜାର ୫୭୮ ଜଣ କାର୍ଯ୍ୟରତ। ଫଳରେ ୬୧ ହଜାର ୫୪୬ଟି ପଦ ଖାଲି।

ରାଜସ୍ୱ ବିଭାଗରେ ୧ ଲକ୍ଷ ୭୯ ହଜାର ୩୭୪ଟି ପଦ ମଧ୍ୟରୁ ୧ ଲକ୍ଷ ୯ ହଜାର ୭୧୨ ଜଣ କାର୍ଯ୍ୟରତ ଅଛନ୍ତି। ଏଠାରେ ୬୯ ହଜାର ୬୬୨ଟି ପଦ ଖାଲି, ଅର୍ଥାତ୍ ପ୍ରାୟ ୩୯ ପ୍ରତିଶତ ପଦରେ କର୍ମଚାରୀ ନାହାନ୍ତି।

କୃଷି ଓ କୃଷକ କଲ୍ୟାଣ ବିଭାଗରେ ୫,୪୨୦ଟି ଅନୁମୋଦିତ ପଦ ମଧ୍ୟରୁ ୧,୮୫୫ଟି ଖାଲି। ପଶୁପାଳନ ଓ ଦୁଗ୍ଧ ବିଭାଗରେ ୨,୩୯୩ଟି ପଦରୁ ୧,୩୭୮ଟି ଖାଲି, ଅର୍ଥାତ୍ ପ୍ରାୟ ୫୮ ପ୍ରତିଶତ ପଦରେ କେହି ନାହାନ୍ତି। ମତ୍ସ୍ୟ ବିଭାଗରେ ମଧ୍ୟ ୨୦୦ଟି ପଦ ଖାଲି ରହିଛି।

ପରିବେଶ, ଶ୍ରମ ଓ ଶିକ୍ଷା ବିଭାଗର ଚିତ୍ର

ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ୫,୧୨୭ଟି ପଦ ମଧ୍ୟରୁ ୧,୯୫୭ଟି ଖାଲି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟରେ ୬,୩୦୨ଟି ପଦ ମଧ୍ୟରୁ ୨,୬୧୮ଟି ଖାଲି, ଯାହା ୪୧ ପ୍ରତିଶତରୁ ଅଧିକ।

ଉଚ୍ଚଶିକ୍ଷା ବିଭାଗରେ ୧,୪୧୪ଟି ପଦ ମଧ୍ୟରୁ ୫୨୨ଟି ଖାଲି ଥିବା ବେଳେ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗରେ ୮୭ଟି ପଦ ଖାଲି ରହିଛି।

ସ୍ୱାସ୍ଥ୍ୟ ଓ ବୈଜ୍ଞାନିକ ବିଭାଗରେ ମଧ୍ୟ ପଦ ଖାଲି 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୨୭,୪୨୭ଟି ପଦ ମଧ୍ୟରୁ ୧,୫୮୨ଟି ଖାଲି। ସ୍ୱାସ୍ଥ୍ୟ ଗବେଷଣା ବିଭାଗରେ ୬୨ଟି ଅନୁମୋଦିତ ପଦ ମଧ୍ୟରୁ ମାତ୍ର ୨୮ ଜଣ କାର୍ଯ୍ୟରତ। ଅର୍ଥାତ୍ ୩୪ଟି ପଦ ଖାଲି। AYUSH ବିଭାଗରେ ମଧ୍ୟ ୪୩୨ଟି ପଦ ମଧ୍ୟରୁ ୨୩୩ଟି ଖାଲି ରହିଛି।

ବୈଜ୍ଞାନିକ ଓ ରଣନୀତିକ ପ୍ରତିଷ୍ଠାନଗୁଡ଼ିକରେ ମଧ୍ୟ ଖାଲି ପଦର ଚିତ୍ର ଛୋଟ ନୁହେଁ। ପରମାଣୁ ଶକ୍ତି ବିଭାଗରେ ୧୦,୨୩୪ଟି, ମହାକାଶ ବିଭାଗରେ ୪,୧୨୬ଟି ଏବଂ ଇଲେକ୍ଟ୍ରୋନିକ୍ସ ଓ IT ମନ୍ତ୍ରଣାଳୟରେ ୧,୬୮୧ଟି ପଦ ଖାଲି ରହିଛି।

ସହର ବିକାଶ ଓ ଜଳସମ୍ପଦ କ୍ଷେତ୍ରରେ ମଧ୍ୟ ମାନବ ସମ୍ବଳ ଅଭାବ ଦେଖାଯାଇଛି। ହାଉସିଂ ଓ ଅର୍ବାନ୍ ଆଫେୟାର୍ସରେ ୪,୫୯୨ଟି ଏବଂ ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ବିଭାଗରେ ୩,୧୯୧ଟି ପଦ ଖାଲି ଅଛି।

ରାଷ୍ଟ୍ରପତି ଭବନରୁ PMO ପର୍ଯ୍ୟନ୍ତ ପଦ ଖାଲି 

ଚମକାଇବା ଭଳି ତଥ୍ୟ ହେଉଛି, ଦେଶର ସର୍ବୋଚ୍ଚ ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ପଦ ଖାଲି ରହିଛି। ରାଷ୍ଟ୍ରପତି ସଚିବାଳୟରେ ୮୦୩ଟି ଅନୁମୋଦିତ ପଦ ମଧ୍ୟରୁ ୫୧୬ ଜଣ କାର୍ଯ୍ୟରତ, ଫଳରେ ୨୮୭ଟି ପଦ ଖାଲି। ଏହା ମୋଟ ଅନୁମୋଦିତ ପଦର ପ୍ରାୟ ୩୫.୭୪ ପ୍ରତିଶତ। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୪୪୧ଟି ପଦ ମଧ୍ୟରୁ ୩୧୫ ଜଣ କାର୍ଯ୍ୟରତ, ଅର୍ଥାତ୍ ୧୨୬ଟି ପଦ ଖାଲି। ଏଠାରେ ଖାଲି ପଦର ହାର ୨୮.୫୭ ପ୍ରତିଶତ।

ଅର୍ଥାତ୍, ଦେଶର ପ୍ରଶାସନିକ ବ୍ୟବସ୍ଥାର ଶୀର୍ଷସ୍ତରରୁ ଆରମ୍ଭ କରି ରେଳବାଇ, ପ୍ରତିରକ୍ଷା, ଗୃହ, ରାଜସ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବୈଜ୍ଞାନିକ ବିଭାଗ ପର୍ଯ୍ୟନ୍ତ ମାନବ ସମ୍ବଳର ବଡ଼ ଅଭାବ ରହିଛି।

ବିଭାଗ ଅନୁସାରେ ଖାଲି ପଦ ପୂରଣ ହେଲେ ଏକପଟେ ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ସୁଯୋଗ ବଢ଼ିବ, ଅନ୍ୟପଟେ ସରକାରୀ କାର୍ଯ୍ୟାଳୟରେ କାମର ଚାପ କମିବା ସହ ପ୍ରଶାସନିକ କାର୍ଯ୍ୟକ୍ଷମତା ବଢ଼ିପାରେ। ତେଣୁ ଏହି ୮.୨୩ ଲକ୍ଷ ଖାଲି ପଦ କେବଳ ଏକ ସଂଖ୍ୟା ନୁହେଁ, ବରଂ ଦେଶର ରୋଜଗାର ଓ ପ୍ରଶାସନ ଉଭୟ ପାଇଁ ଏକ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।