933 Hydropower Workers Untraced: ନେପାଳରେ ଜଳ ପ୍ରଳୟ: ସୁଡଙ୍ଗ ଭିତରେ ଚାଲିଛି ଜୀବନ ଖୋଜା, ୯୩୩ ଶ୍ରମିକ ନିଖୋଜ
ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପ୍ରଳୟଙ୍କରୀ ବିପର୍ଯ୍ୟୟରେ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକରୁ ୯୩୩ ଜଣ ଶ୍ରମିକ ଓ କର୍ମଚାରୀ ନିଖୋଜ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରକଳ୍ପର ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି।
ଜାତୀୟ ବିପର୍ଯ୍ୟୟ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷ (NDRRMA) ର ତଥ୍ୟ ଅନୁଯାୟୀ, ବିଭିନ୍ନ ଜଳବିଦ୍ୟୁତ୍ ପ୍ରକଳ୍ପରୁ ୯୩୩ ଜଣ କର୍ମଚାରୀ ଏବଂ ଶ୍ରମିକଙ୍କ କୌଣସି ପତ୍ତା ମିଳୁନାହିଁ। ବନ୍ୟାଜଳ ହଠାତ୍ ମାଡ଼ିଆସିବାରୁ ଅନେକ ଶ୍ରମିକ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ଭୂତଳ ସୁଡଙ୍ଗ ମଧ୍ୟରେ ଫସି ରହିଥିବା ସନ୍ଦେହ କରାଯାଉଛି।
ବନ୍ୟାରେ ରାସୁୱା ଓ ନୁୱାକୋଟ୍ ଜିଲ୍ଲାର ଏକାଧିକ ହାଇଡ୍ରୋପାୱାର ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ପାଣି ସହ ମାଟି ଓ ଭଙ୍ଗାବିଲ୍ଡିଂର ଅବଶେଷ ଟନେଲ୍ ମୁହାଣରେ ଜମା ହୋଇଥିବାରୁ ଉଦ୍ଧାରକାରୀଙ୍କ ପାଇଁ ଭିତରକୁ ପହଞ୍ଚିବା ବେଶ୍ କଷ୍ଟକର ହେଉଛି।
ଉଦ୍ଧାରକାରୀ ଦଳ ଦିନରାତି ନିଖୋଜ ଶ୍ରମିକ ଓ କର୍ମଚାରୀଙ୍କୁ ଖୋଜିବା ପାଇଁ ପ୍ରୟାସ କରୁଛନ୍ତି। ବିଶେଷକରି ଅପର୍ ତ୍ରିଶୁଲି-୩ଏ ଜଳବିଦ୍ୟୁତ ପ୍ରକଳ୍ପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ନେପାଳୀ ସେନା ଏବଂ ବିଶେଷଜ୍ଞମାନେ ସୁଡଙ୍ଗର ମୁଖ୍ୟ ଅଂଶ ଚିହ୍ନଟ କରି ସେଠାରେ ଛୋଟ କଣା କରି ଅମ୍ଳଜାନ ସିଲିଣ୍ଡର ସହିତ ଭିତରକୁ ପ୍ରବେଶ କରିବାକୁ ପ୍ରୟାସ ଜାରି ରଖିଛନ୍ତି।
ଏହି ଜଟିଳ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ସରକାର ଏକ ୧୩ ଜଣିଆ ଭାରତୀୟ ସେନା ସୁଡଙ୍ଗ-ଉଦ୍ଧାରକାରୀ ଦଳ ଏବଂ ଅତ୍ୟାଧୁନିକ ଉପକରଣ ନେପାଳକୁ ପଠାଇଛନ୍ତି। ଏହି ଦଳ ଚିଲିମେ ଏବଂ ଲାଙ୍ଗଟାଙ୍ଗ ଅଞ୍ଚଳର ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକରେ ନେପାଳୀ ସେନା ସହ ମିଶି କାର୍ଯ୍ୟ କରୁଛନ୍ତି।
ନେପାଳ ପ୍ରଳୟରେ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ୪ ହଜାର ଉର୍ଦ୍ଧ୍ୱ ଲୋକ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ଓ ପର୍ଯ୍ୟଟକମାନେ ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।