96 Planes In India At Risk: ବୋଇଂ ବିମାନରେ ତ୍ରୁଟି, ସମ୍ଭାବ୍ୟ ବିପଦ ପାଇଁ ପାଇଲଟ୍ଙ୍କୁ ଏପରି ନିର୍ଦ୍ଦେଶ
ବୋଇଂ ୭୩୭ ମ୍ୟାକ୍ସ ବିମାନର ଅଟୋପାଇଲଟ୍ ସିଷ୍ଟମରେ ସଫ୍ଟୱେର୍ ସମସ୍ୟା ଚିହ୍ନଟ ହୋଇଛି। ଏହାର ପ୍ରଭାବ ଭାରତର ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଆକାସା ଏୟାରର ପ୍ରାୟ ୯୬ଟି ୭୩୭ ମ୍ୟାକ୍ସ ବିମାନ ଉପରେ ପଡ଼ିପାରେ।
ବୋଇଂ ଅନୁସାରେ, ଲ୍ୟାଣ୍ଡିଂ ସମୟରେ ଯଦି ବିମାନକୁ ପୁଣି ଉପରକୁ ଉଠାଇବାକୁ ପଡ଼େ ଏବଂ ପରବର୍ତ୍ତୀ ଫ୍ଲାଇଟ୍ ପାଥ୍ ପୂର୍ବ ଯୋଜନାଠାରୁ ଭିନ୍ନ ହୁଏ, ତେବେ ଅଟୋମେଟେଡ୍ ଫ୍ଲାଇଟ୍ ଗାଇଡାନ୍ସ ସିଷ୍ଟମ୍ ବନ୍ଦ ହୋଇପାରେ। ତେବେ ଏହାର ଅର୍ଥ ବିମାନକୁ ଉଡ଼ାଇବା ସମ୍ଭବ ନୁହେଁ, ତାହା ନୁହେଁ। ପାଇଲଟ୍ ମାନୁଆଲ୍ ଭାବେ ବିମାନ ନିୟନ୍ତ୍ରଣ କରିପାରିବେ।
ବୋଇଂ କହିଛି, ଗତ ମାସରେ ସମସ୍ତ ୭୩୭ ବିମାନ ଅପରେଟରଙ୍କୁ ଏନେଇ ସୂଚନା ଦିଆଯାଇଛି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସଫ୍ଟୱେର୍ ଅପଡେଟ୍ ଉପରେ କାମ ଚାଲିଛି। ସେପର୍ଯ୍ୟନ୍ତ ପାଇଲଟ୍ଙ୍କୁ ନିର୍ଦ୍ଦିଷ୍ଟ ସୁରକ୍ଷା ପ୍ରକ୍ରିୟା ପାଳନ କରିବାକୁ କୁହାଯାଇଛି।
ଭାରତରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପାଖରେ ପ୍ରାୟ ୫୩ଟି ଏବଂ ଆକାସା ଏୟାର ପାଖରେ ୪୩ଟି ବୋଇଂ ୭୩୭ ମ୍ୟାକ୍ସ ବିମାନ ରହିଛି। ଆକାସା ଏୟାର କହିଛି, ବୋଇଂ ସହ ଏୟାରଲାଇନ୍ ଯୋଗାଯୋଗରେ ଅଛି ଏବଂ ଏହି ସମସ୍ୟା ଯୋଗୁଁ ଏହାର ବିମାନ ଚଳାଚଳର ସୁରକ୍ଷା ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଏହି ଘଟଣାରେ ଡିଜିସିଏ ପକ୍ଷରୁ ଭାରତୀୟ ଏୟାରଲାଇନ୍ଗୁଡ଼ିକୁ କୌଣସି ନୂଆ ନିର୍ଦ୍ଦେଶ ଦିଆଯାଇଛି କି ନାହିଁ, ସେନେଇ ତୁରନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ବୋଇଂର ୭୩୭ ମ୍ୟାକ୍ସ ବିମାନ ସମ୍ପର୍କରେ ପୂର୍ବରୁ ମଧ୍ୟ ବିଶ୍ୱସ୍ତରରେ ସୁରକ୍ଷା ନେଇ ଯାଞ୍ଚ ହୋଇଆସୁଛି।
ତେବେ ଏହି ନୂଆ ସଫ୍ଟୱେର୍ ସମସ୍ୟାକୁ ୨୦୨୫ ମସିହାର ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସହ ଯୋଡ଼ିବା ଠିକ୍ ନୁହେଁ। ସେହି ଘଟଣାରେ ବୋଇଂ ୭୮୭ ଡ୍ରିମଲାଇନର୍ ବିମାନ ସାମିଲ ଥିଲା, ଯେତେବେଳେ ବର୍ତ୍ତମାନର ସଫ୍ଟୱେର୍ ସମସ୍ୟା କିଛି ୭୩୭ ମ୍ୟାକ୍ସ ବିମାନ ସହ ଜଡ଼ିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।