05 OCTOBER 2026

Welcome!

Unlock your personalized experience.
Sign Up

A Simple View: ସରଳ ବିଚାର: ଦେୟମୁକ୍ତ ‘ୟୁପିଆଇ’ ସପକ୍ଷରେ

Oct 05, 2026 - 02:52
A Simple View: ସରଳ ବିଚାର: ଦେୟମୁକ୍ତ ‘ୟୁପିଆଇ’ ସପକ୍ଷରେ

ସରଳ କୁମାର ଦାସ

ଗତ ପ୍ରାୟ ୬ ବର୍ଷ ଧରି ‘ୟୁପିଆଇ’ରେ ଅର୍ଥ ପ୍ରଦାନ ସମ୍ପୂର୍ଣ୍ଣ ଦେୟମୁକ୍ତ ଥିଲାବେଳେ ଏହାକୁ ପରିଚାଳନା କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ସେପ୍‌ଟେମ୍ୱର ୧୫ ତାରିଖ ଦିନ ଜାରି ହୋଇଥିବା ସର୍କୁଲାରରେ ଅକ୍‌ଟୋବର ୧୫ ତାରିଖଠାରୁ ନିର୍ଦ୍ଦିଷ୍ଟ ଧରଣର ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (ଏମ.ଡି.ଆର.) ଆଦାୟ କରାଯିବ ବୋଲି କୁହାଯାଇଛି। ଏହାକୁ ପ୍ରତ୍ୟାହାର କରିବା ନେଇ ଦାବି ଉଠିଲାଣି। ପ୍ରଶ୍ନ ହେଉଛି ଏହାକୁ ଏଡ଼ାଇ ଦିଆଯାଇପାରିଥାନ୍ତା କି?

ଏମ.ଡି.ଆର. କହିଲେ ଇଲେକ୍ଟ୍ରୋନିକ ମାଧ୍ୟମକୁ ବ୍ୟବହାର କରି ପଠାଯାଉଥିବା ଟଙ୍କା ଉପରେ ଗ୍ରାହକକୁ ଦେବାକୁ ହେଉଥିବା ଦେୟକୁ ବୁଝାଏ। ସର୍କୁଲାର ଅନୁଯାୟୀ ଏଣିକି ବ୍ୟକ୍ତି-ବ୍ୟକ୍ତି (ପି୨ପି) ଓ ୨୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତି-ବ୍ୟବସାୟୀ (ପି୨ଏମ)ଙ୍କ ମଧ୍ୟରେ ହେଉଥିବା କାରବାର ଦେୟଶୂନ୍ୟ। ତା’ଠାରୁ ଅଧିକ ଟଙ୍କାର କାରବାର ଉପରେ ବ୍ୟବସାୟୀଙ୍କଠାରୁ ୦.୪ ପ୍ରତିଶତ ବା ସର୍ବାଧିକ ୩୦୦ ଟଙ୍କା ଆଦାୟ ହେବ। ଆଦାୟ ହେବାକୁ ଥିବା ରାଶିକୁ ୟୁପିଆଇ ପରିମଣ୍ଡଳରେ ଭାଗୀଦାର ପଠାଉଥିବା ବ୍ୟାଙ୍କ, ପାଉଥିବା ବ୍ୟାଙ୍କ, ଦେୟ ସେବା ପ୍ରଦାନକାରୀ ବ୍ୟାଙ୍କ (ପିଏସପି ବ୍ୟାଙ୍କ), ତୃତୀୟ ପକ୍ଷ ଆପ୍ଲିକେସନ୍ ପ୍ରଦାନକାରୀ (ଆପ୍‌)ଙ୍କ ମଧ୍ୟରେ ଯଥାକ୍ରମେ ୪୦, ୩୦, ୧୦ ଓ ୨୦ ପ୍ରତିଶତ ହାରରେ ବଣ୍ଟନର ପ୍ରାବଧାନ ରହିଛି। 

ୟୁପିଆଇ (ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ) ଏକ ତାତ୍କାଳିକ ଡିଜିଟାଲ ଦେୟ ପ୍ରଦାନ ବ୍ୟବସ୍ଥା। ଏହାଦ୍ୱାରା ଆକାଉଣ୍ଟ ନମ୍ୱର ନଜାଣି ମଧ୍ୟ ମୋବାଇଲ ଫୋନ ମାଧ୍ୟମରେ ଗୋଟିଏ ବ୍ୟାଙ୍କ ଖାତାରୁ ଆଉ ଗୋଟିଏ ବ୍ୟାଙ୍କ ଖାତାକୁ ସହଜରେ ଟଙ୍କା ପଠାଇହୁଏ। ଦେଶରେ ଦେୟ ପ୍ରଦାନ ଓ ବନ୍ଦୋବସ୍ତ (ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ) ପ୍ରକ୍ରିୟାକୁ ବ୍ୟବସ୍ଥିତ କରି ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ୨୦୦୮ ମସିହାରେ ‘ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ଆଇନ’ କାର୍ଯ୍ୟକାରୀ ହେଲା। ଏହାକୁ ଆଧାର କରି ସେହି ବର୍ଷ ୧୦ଟି ବ୍ୟାଙ୍କ ଦ୍ୱାରା ‘ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ’ ନାମକ ଏକ ଅଣଲାଭକାରୀ କମ୍ପାନି ପ୍ରତିଷ୍ଠା କରାଗଲା। ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣ ଓ ନିରୀକ୍ଷଣରେ କାର୍ଯ୍ୟ କରୁଥିବା ‘ଏନପିସିଆଇ’ ଦେଶରେ ଖୁଚୁରା ଦେୟ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ଏକ ଶୀର୍ଷସ୍ଥାନୀୟ ସମନ୍ୱୟକାରୀ ସଂସ୍ଥା ପାଲଟିଲା। ଏହାଦ୍ୱାରା ୨୦୧୦ ମସିହାରେ ‘ତତ୍କାଳ ଇଲେକ୍ଟ୍ରୋନିକ ଅର୍ଥ ପ୍ରେରଣ ବ୍ୟବସ୍ଥା’ (ଆଇଏମପିଏସ) ବିକଶିତ ହେବା ପରେ ତା’ର ଭିତ୍ତିଭୂମି ଉପରେ ପ୍ରସ୍ତୁତ ୟୁପିଆଇ ୨୦୧୬ ମସିହାରୁ ବିଧିବଦ୍ଧ ଭାବେ କାର୍ଯ୍ୟ କରୁଛି। 

ଏମ.ଡି.ଆର. ଆଦାୟ ପଛର ଯୁକ୍ତି ହେଉଛି ‘ୟୁପିଆଇ’ର ଭିତ୍ତିଭୂମି ବିକାଶ, ସାଇବର ସିକ୍ୟୁରିଟି ଆଦି ସମସ୍ୟା ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଥିବାରୁ ତା’ର ମୁକାବିଲା କରିବା ପାଇଁ ହଜାର ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି। ବ୍ୟାଙ୍କ ଓ ଅନ୍ୟ ଅଂଶୀଦାରଙ୍କ ବୋଝକୁ ଲାଘବ କରିବାକୁ ହେଲେ ‘ୟୁପିଆଇ’ କାରବାରରୁ ଏମ.ଡି.ଆର. ଜରିଆରେ ଅର୍ଥ ସଂଗ୍ରହ ହୋଇ ଏହା ସ୍ୱୟଂସମର୍ଥ ହେବା ଉଚିତ। 

ଏବେ ‘ୟୁପିଆଇ’ କାରବାରରୁ ବ୍ୟାଙ୍କଗୁଡ଼ିକର ପ୍ରତ୍ୟକ୍ଷ ଆୟ ହେଉ ନଥିଲେ ବି କାରବାର ବଢ଼ିବା ସହିତ ସେମାନଙ୍କ ନିକଟରେ ସେଭିଙ୍ଗସ ବ୍ୟାଙ୍କ ଓ ଚଳନ୍ତିଖାତାରେ କମ୍‌ ସୁଧରେ ବଡ଼ ଧରଣର ପୁଞ୍ଜି ଜମା ହୋଇ ରହୁଛି। ନଗଦ ପରିବହନ ଓ ଏଟିଏମ ପରିଚାଳନା ସଂକ୍ରାନ୍ତ ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି। ଚେକ୍ ଜରିଆରେ ଏବଂ ଅନ୍ୟ ଦେଣନେଣ କାରବାରରେ ହ୍ରାସ ଯୋଗୁଁ ହେଉଥିବା ସଞ୍ଚୟ, ଓ ଗ୍ରାହକ ସଂଗ୍ରହ ପାଇଁ ହେଉଥିବା ବ୍ୟୟରେ ହ୍ରାସ ହେବା ସହିତ ସେମାନେ ଗ୍ରାହକମାନଙ୍କୁ ଋଣ, କାର୍ଡ, ଇନସୁରାନ୍‌ସ ଓ ନିବେଶ ଆଦି ଉତ୍ପାଦ ବିକ୍ରି କରିବାକୁ ସମର୍ଥ ହେଉଛନ୍ତି। ଏକ ଆକଳନ ଅନୁସାରେ ୨୦୨୬ ଆର୍ଥିକ ବର୍ଷରେ ହୋଇଥିବା ‘ୟୁପିଆଇ’ କାରବାର ଯୋଗୁଁ ବ୍ୟାଙ୍କଗୁଡ଼ିକୁ ପରୋକ୍ଷ ଭାବେ ମିଳିଥିବା ଲାଭକୁ ଟଙ୍କା ଆକାରରେ ଗଣନା କଲେ ତାହା ପ୍ରାୟ ୧୪,୫୦୦ କୋଟି ଟଙ୍କା ହେବ। ପୁନଶ୍ଚ, ‘ୟୁପିଆଇ’ ପରିମଣ୍ଡଳରେ ୧୪ଟି ବ୍ୟାଙ୍କ ‘ପେମେଣ୍ଟ ସେବା ପ୍ରଦାନକାରୀ’ (ପିଏସପି) ବ୍ୟାଙ୍କର ଭୂମିକା ନିର୍ବାହ କରୁଛନ୍ତି। ‘ୟୁପିଆଇ’ ଆପ୍‌କୁ ବ୍ୟାଙ୍କ ଭିତ୍ତିଭୂମି ଯୋଗାଇ ଦେବା, କାରବାରର ବୈଧତା ଯାଞ୍ଚ କରିବା ଓ ୟୁପିଆଇ ନେଟୱର୍କ ସହ ସଂଯୁକ୍ତ କରାଇବା ଆଦି ଲାଗି ‘ପିଏସପି’ ବ୍ୟାଙ୍କଗୁଡ଼ିକ ‘ଏନପିସିଆଇ’ ଦ୍ୱାରା ଅଧିକୃତ। ଅର୍ଥାତ୍ ‘ଫୋନ୍‌ପେ’, ‘ଗୁଗଲ୍‌ ପେ’ ପରି ଆପ୍‌ ‘ପିଏସ୍‌ପି’ ବ୍ୟାଙ୍କ ମାଧ୍ୟମରେ ହିଁ ‘ୟୁପିଆଇ’ କାରବାର କରିବାକୁ ସମର୍ଥ ହୋଇଥାନ୍ତି। ଏଥିପାଇଁ ‘ପିଏସ୍‌ପି’ ବ୍ୟାଙ୍କ ଚୁକ୍ତି ଅନୁଯାୟୀ ଫି ଆଦାୟ କରିଥାନ୍ତି। ଏକ ଆକଳନ ଅନୁଯାୟୀ ଏହାର ପରିମାଣ ବାର୍ଷିକ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ଉଲ୍ଲେଖଯୋଗ୍ୟ ଯେ ୨୦୨୬ ଆର୍ଥିକ ବର୍ଷରେ ଭାରତୀୟ ବ୍ୟାଙ୍କସମୂହଙ୍କ ମୋଟ ଲାଭ ପ୍ରାୟ ୪ ଲକ୍ଷ କୋଟି ଟଙ୍କା, ଯହିଁରୁ କେବଳ ସରକାରୀ ନିୟନ୍ତ୍ରଣାଧୀନ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକର ଲାଭ ପ୍ରାୟ ୧.୯୮ ଲକ୍ଷ କୋଟି ଟଙ୍କା। କହିବା ବାହୁଲ୍ୟ ଯେ ‘ୟୁପିଆଇ’ କାରବାରର ସିଂହଭାଗ ଏହି ବ୍ୟାଙ୍କଗୁଡ଼ିକ ଜରିଆରେ ହୋଇଥାଏ।

‘ୟୁପିଆଇ’ ପରିମଣ୍ଡଳରେ ଆପ୍‌ଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଗୁଡ଼ିକ ‘ୟୁପିଆଇ’ କାରବାର ଲାଗି ଗ୍ରାହକଙ୍କୁ ବ୍ୟାଙ୍କ ସହ ଯୋଡ଼ିଥାନ୍ତି। ଏଥିପାଇଁ କ୍ଲାଉଡ, ସର୍ଭର, ଡେଟା ଭିତ୍ତିଭୂମି, ବୈଷୟିକ ଜ୍ଞାନକୌଶଳ ଓ ସଫ୍‌ଟୱେର ବିକାଶ, ସାଇବର ସୁରକ୍ଷା, ଗ୍ରାହକ ସେବା ସହ ଗ୍ରାହକ ସଂଗ୍ରହ ଲାଗି ପ୍ରୋତ୍ସାହନ ପ୍ରଦାନ, ପ୍ରଚାର ଆଦି ଲାଗି ମଧ୍ୟ ସେମାନଙ୍କୁ ମୋଟା ଅଙ୍କର ରାଶି ବ୍ୟୟ କରିବାକୁ ହୋଇଥାଏ। ବର୍ତ୍ତମାନ ଦେଶରେ ସକ୍ରିୟ ଥିବା ପ୍ରାୟ ୪୦ଟି ଆପ୍‌ ମଧ୍ୟରୁ ‘ଫୋନ୍‌ପେ’ ଓ ‘ଗୁଗଲ୍‌ ପେ’ କମ୍ପାନି ଦୁଇଟି ଜରିଆରେ ତିନି-ଚତୁର୍ଥାଂଶ ‘ୟୁପିଆଇ’ କାରବାର ହୋଇଥାଏ ଏବଂ ଦୁଇଟି ଯାକ କମ୍ପାନି ବିଦେଶୀ ନିୟନ୍ତ୍ରଣାଧୀନ। ତେଣୁ ଏମ.ଡି.ଆର. ଆଦାୟ ହୋଇ ତାହାର ୨୦ ପ୍ରତିଶତ ଆପ୍‌ଗୁଡ଼ିକୁ ଦିଆଗଲେ ତହିଁରୁ ଏହି ବିଦେଶ ନିୟନ୍ତ୍ରଣାଧୀନ କମ୍ପାନିଗୁଡ଼ିକ ହିଁ ସର୍ବାଧିକ ଲାଭବାନ୍‌ ହେବେ।

‘ୟୁପିଆଇ’ କାରବାର ଯୋଗୁଁ ରିଜର୍ଭ ବ୍ୟାଙ୍କ ମଧ୍ୟ ପରୋକ୍ଷରେ ଲାଭାନ୍ୱିତ ହେଉଛି। କାରବାର ବଢ଼ିବା ସହିତ ଆନୁପାତିକ ଭାବେ ନଗଦ ଟଙ୍କାର ଆବଶ୍ୟକତା ହ୍ରାସ ପାଇ ଅପେକ୍ଷାକୃତ କମ୍‌ ପରିମାଣର ମୁଦ୍ରା ଛପାଇବାକୁ ହେଉଛି। ତେଣୁ ମୁଦ୍ରା ପରିବହନ କମ୍‌ ହୋଇ ସେ ବାବଦ ଖର୍ଚ୍ଚ ହ୍ରାସ ପାଉଛି। ନୋଟ୍ ବାଛିବା, ମେଳ କରିବା, ନଷ୍ଟ କରିବାର ଚାପ ମଧ୍ୟ କମିଛି। ଡିଜିଟାଲ ସ୍ୱୟଂକ୍ରିୟ ପେମେଣ୍ଟ ବ୍ୟବସ୍ଥା କାର୍ଯ୍ୟ କରିବା ଫଳରେ ରିଜର୍ଭ ବ୍ୟାଙ୍କ ଉପରେ ନିରୀକ୍ଷଣ ଓ ପରିଚାଳନାଗତ ଚାପ କମିଛି। ୨୦୨୬ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କକୁ ମିଳିଥିବା ଏସବୁ ପରୋକ୍ଷ ଲାଭକୁ ଟଙ୍କା ଆକାରରେ ଗଣନା କଲେ ତାହା ପ୍ରାୟ ୫୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଏ।

୨୦୨୬ ଆର୍ଥିକ ବର୍ଷରେ ‘ୟୁପିଆଇ’ କାରବାର, ସଂଖ୍ୟା ଦୃଷ୍ଟିରୁ ୨୪,୧୬୨ କୋଟି ଓ ମୂଲ୍ୟ ଦୃଷ୍ଟିରୁ ୩୧୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି। ‘ପେମେଣ୍ଟ ଶିଳ୍ପ’ର ତଥ୍ୟ ଅନୁଯାୟୀ ପ୍ରତିଟି କାରବାରରେ ହାରାହାରି ୦.୦୩ରୁ ୦.୦୪ ପ୍ରତିଶତ ଖର୍ଚ୍ଚ ହେଉଛି। ତଦନୁଯାୟୀ ୨୦୨୬ ଆର୍ଥିକ ବର୍ଷରେ ‘ୟୁପିଆଇ’ କାରବାର ବାବଦରେ ପ୍ରାୟ ୧୦,୭୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବ। ଏକ ଆକଳନ ଅନୁସାରେ ଏଥିରୁ ପ୍ରାୟ ୧୨୫୦ କୋଟି ‘ଏନପିସିଆଇ’ ବହନ କରିଥାଏ। ବ୍ୟାଙ୍କସମୂହ ପ୍ରାୟ ୬୦୦୦ କୋଟି ଟଙ୍କା ବହନ କରୁଥିବାବେଳେ ଆପ୍‌ଗୁଡ଼ିକ ପ୍ରାୟ ୨୦୦୦ କୋଟି ଟଙ୍କା ବହନ କରନ୍ତି। ଏତଦ୍‌ଭିନ୍ନ ବୈଷୟିକ ଜ୍ଞାନକୌଶଳ, କ୍ଲାଉଡ, ଡେଟା-ସେଣ୍ଟର, ଠକେଇ, ସାଇବର ସୁରକ୍ଷା ଆଦି ବାବଦରେ ପ୍ରାୟ ୧୦୦୦-୧୫୦୦ କୋଟି ଟଙ୍କା ବ୍ୟୟ ହୋଇଥାଏ। ଅର୍ଥାତ୍ ବ୍ୟାଙ୍କସମୂହଙ୍କର ‘ୟୁପିଆଇ’ ବାବଦ ହେଉଥିବା ଖର୍ଚ୍ଚ ସେମାନଙ୍କୁ ‘ୟୁପିଆଇ’ ଜନିତ ପରୋକ୍ଷ ଲାଭରୁ ମିଳିବାର ସମ୍ଭାବନା ଥିବାରୁ ଏମ.ଡି.ଆର. ଲଗାଇ ସେଥିରୁ ୮୦ ପ୍ରତିଶତ ଅଲଗା ଭାବେ ଦେବା ଯୁକ୍ତିଯୁକ୍ତ ନୁହେଁ।

କୁହାଯାଉଛି ଯେ ୨୦୦୦ ଟଙ୍କାରୁ ଅଧିକ ମାତ୍ର ୪ ପ୍ରତିଶତ ‘ପି୨ଏମ’ କାରବାର ଉପରେ ଏମ.ଡି.ଆର. ଲାଗୁ ହେବ। ତେବେ ମୂଲ୍ୟ ଦୃଷ୍ଟିରୁ ୨୦୨୬ ଆର୍ଥିକ ବର୍ଷରେ ଏହି ଧରଣର କାରବାରର ପରିମାଣ ଥିଲା ପ୍ରାୟ ୬୨ ଲକ୍ଷ କୋଟି ଟଙ୍କା ବା ପ୍ରାୟ ୨୦ ପ୍ରତିଶତ। ଏହି କାରବାର ଉପରେ ଏମ.ଡି.ଆର. ଆଦାୟ ହେଲେ ପ୍ରାୟ ୨୦ରୁ ୨୪ ହଜାର କୋଟି ଟଙ୍କା ସଂଗ୍ରହ ହେବ। ସେଥିରୁ ବ୍ୟାଙ୍କସମୂହ ପ୍ରାୟ ୧୬ରୁ ୨୦ ହଜାର କୋଟି ଓ ଆପ୍‌ଗୁଡ଼ିକ ୪ରୁ ୫ ହଜାର କୋଟି ଟଙ୍କା ପାଇବେ। 

ବ୍ୟବସାୟୀଙ୍କଠାରୁ ଏମ.ଡି.ଆର. ଆଦାୟ ହେବାର ଥିଲେ ବି ସେମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ତାହା ଗ୍ରାହକଙ୍କଠାରୁ ହିଁ ଆଦାୟ କରିବେ। ଅନ୍ୟଥା ୨୦୦୦ ଟଙ୍କାରୁ ଅଧିକ ରାଶିର କାରବାର ହେଲେ ନଗଦ ପ୍ରଦାନ କରିବାକୁ ଗ୍ରାହକଙ୍କ ଉପରେ ଚାପ ପଡ଼ିପାରେ। ଫଳରେ ଗ୍ରାହକମାନେ ‘ୟୁପିଆଇ’ରୁ ବିମୁଖ ହେବାର ଆଶଙ୍କା ସୃଷ୍ଟି ହେବ, ଯାହା ଅର୍ଥନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ। ଯେଉଁ ବ୍ୟବସାୟୀଙ୍କ ମାସିକ ‘ୟୁପିଆଇ’ ପ୍ରାପ୍ୟ ରାଶି ୧ ଲକ୍ଷ ଟଙ୍କା (ଦୈନିକ ୩୩୩୫ ଟଙ୍କା) ମଧ୍ୟରେ ସୀମିତ ଥିବ ସେମାନେ କ୍ଷୁଦ୍ର ବ୍ୟବସାୟୀ ଶ୍ରେଣୀଭୁକ୍ତ ହେବେ ଏବଂ ସେମାନଙ୍କଠାରୁ ଏମ.ଡି.ଆର. ଆଦାୟ ହେବନାହିଁ। ତେଣୁ ଏମ.ଡି.ଆର.କୁ ଏଡ଼ାଇବା ଲାଗି ବ୍ୟବସାୟୀଙ୍କଠାରେ ୟୁପିଆଇ କାରବାର ହ୍ରାସ କରିବାର ପ୍ରବୃତ୍ତି ବଢ଼ି ନଗଦ କାରବାର ବୃଦ୍ଧି ପାଇପାରେ। ଅନ୍ୟ ପକ୍ଷରେ ଏମ.ଡି.ଆର. ଦେୟକୁ ଏଡ଼ାଇବା ପାଇଁ କିଛି ବ୍ୟବସାୟୀ ‘ପି୨ଏମ’ କାରବାର ନ କରି ବ୍ୟକ୍ତିଗତ ଖାତାରେ ଜମା କରିବାକୁ ଗ୍ରାହକଙ୍କୁ ପ୍ରବର୍ତ୍ତାଇପାରନ୍ତି। ଫଳରେ ଡିଜିଟାଲ କାରବାର ଯୋଗୁଁ ଆର୍ଥିକ କାରବାରରେ କ୍ରମଶଃ ଯେଉଁ ସ୍ୱଚ୍ଛତା ଫେରିଆସୁଥିଲା, ତାହା ପୁନଶ୍ଚ ଧୂମିଳ ହେବାର ସଂଶୟ ସୃଷ୍ଟି ହେବ। 

‘ୟୁପିଆଇ’ କାରବାରରେ ପରୋକ୍ଷରେ ଲାଭବାନ ହେଉଥିବା ବ୍ୟାଙ୍କଗୁଡ଼ିକୁ ସହାୟତା ରାଶି ପ୍ରଦାନ କରା ନଯାଇ କେବଳ କ୍ଷତି ସହୁଥିବା ଆପ୍‌ଗୁଡ଼ିକୁ ସହାୟତା ପ୍ରଦାନ କରାଗଲେ ହୁଏତ ସର୍ବାଧିକ ୨ ହଜାର କୋଟି ଟଙ୍କାର ବାର୍ଷିକ ବୋଝ ପଡ଼ିପାରେ। ତେଣୁ ‘ୟୁପିଆଇ’ କାରବାରକୁ ଏକ କଲ୍ୟାଣମୂଳକ କାର୍ଯ୍ୟ ମନେ କରି ସରକାର ବର୍ଷକୁ ମାତ୍ର ୨ ହଜାର କୋଟି ଟଙ୍କା ଅନୁଦାନର ପ୍ରାବଧାନ କଲେ ଏହା ଦେୟମୁକ୍ତ ଭାବେ ଚାଲିପାରିବ। ଇତିମଧ୍ୟରେ ଏମ.ଡି.ଆର. ଆଦାୟର ପ୍ରତିବାଦରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଏହା ଟିକସ ନା ସେବା ପାଇଁ ଦେୟ ଏବଂ ଏହାର ଆଇନଗତ ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁ କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ ଓ ‘ଏନପିସିଆଇ’କୁ ନୋଟିସ ଜାରି କରିଛନ୍ତି। ତେବେ ଦେଶକୁ ନଗଦ ଅର୍ଥନୀତିରୁ ଡିଜିଟାଲ ଅର୍ଥନୀତିରେ ପରିଣତ କରିବାକୁ ହେଲେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେଇ ୟୁପିଆଇ କାରବାରକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବାର ଆବଶ୍ୟକତା ରହିଛି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୩୮୦୧୫

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।