Actor Koel Mallick Joins BJP: ବିଜେପିରେ ମିଶିଲେ ଅଭିନେତ୍ରୀ କୋଏଲ, ରାଜ୍ୟସଭାକୁ ଟିକେଟ ପାଇଲେ

Oct 05, 2026 - 12:48
Actor Koel Mallick Joins BJP: ବିଜେପିରେ ମିଶିଲେ ଅଭିନେତ୍ରୀ କୋଏଲ, ରାଜ୍ୟସଭାକୁ ଟିକେଟ ପାଇଲେ

ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ତୃଣମୂଳ କଂଗ୍ରେସ ରାଜ୍ୟସଭା ସଦସ୍ୟ କୋଏଲ ମଲ୍ଲିକ ବିଜେପିରେ ଯୋଗ ଦେଇଛନ୍ତି। ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦଳ ତାଙ୍କୁ ମନୋନୀତ କରିବାର ଗୋଟିଏ ଦିନ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। ସେ ଏପ୍ରିଲ୬ ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଟିଏମସି ରାଜ୍ୟସଭା ସାଂସଦ ଭାବରେ ଅଳ୍ପ ସମୟ ପାଇଁ କାର୍ଯ୍ୟ କରିଥିଲେ। 

ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳର ନିର୍ବାଚନୀ ପରାଜୟ ପରେ ସେ ଇସ୍ତଫା ଦେଇଛନ୍ତି। କୋଏଲ ମଲ୍ଲିକଙ୍କୁ ବିଜେପିରେ ସ୍ୱାଗତ କରି ଦଳର ପଶ୍ଚିମବଙ୍ଗ ସାଧାରଣ ସମ୍ପାଦକ ଶଶି ଅଗ୍ନିହୋତ୍ରୀ କହିଛନ୍ତି ଯେ କୋଏଲ ସୋମବାର ରାଜ୍ୟସଭା ଆସନ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିବେ।

ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା କୋଏଲ ମଲ୍ଲିକ କହିଛନ୍ତି ଯେ ସେ ପଶ୍ଚିମବଙ୍ଗର ପ୍ରଥମ ବିଜେପି ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିକାଶମୂଳକ ପଦକ୍ଷେପର ଅଂଶ ହେବାକୁ ଚାହାଁନ୍ତି। ରାଜ୍ୟସଭା ପ୍ରାର୍ଥୀ ପାଇଁ ତାଙ୍କୁ ଚୟନ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗର ୧୨ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ସ୍ପଷ୍ଟ ବହୁମତ ପାଇଛି। 

ବରିଷ୍ଠ ବଙ୍ଗଳା ଅଭିନେତା ରଞ୍ଜିତ ମଲ୍ଲିକଙ୍କ ଝିଅ କୋଏଲ ୨୦୦୩ ମସିହାରେ ‘ନଟେର ଗୁରୁ’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ। ପରେ ‘ବନ୍ଧନ’, ‘ଶୁଭଦୃଷ୍ଟି’, ‘ଏମ୍‌ଏଲ୍‌ଏ ଫଟାକେଷ୍ଟୋ’, ‘ପ୍ରେମର କାହାଣୀ’, ‘ପଗଲୁ’, ‘ଅରୁନ୍ଧତୀ’ ଓ ‘ମିଟିନ ମାସି’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ବଙ୍ଗଳା ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି।

କେବଳ ବଙ୍ଗଳା ନୁହେଁ, କୋଏଲ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ୨୦୦୫ ମସିହାରେ ସେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତିଙ୍କ ସହ ‘ପ୍ରେମୀ ନମ୍ବର ୱାନ୍‌’ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ। ପରବର୍ତ୍ତୀ ସମୟରେ ‘ମହାନାୟକ’ ଭଳି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।