Africa Now Bigger In World Map: ପୁରୁଣା ମାନଚିତ୍ରକୁ ବଦଳାଇବ ‘ଇକୁଆଲ ଆର୍ଥ’, ବଡ଼ ଦେଖାଯିବ ଆଫ୍ରିକା, ଛୋଟ ହୋଇଯିବେ ଏହି ଦୁଇ ମହାଦେଶ!

Sep 05, 2026 - 13:57
Africa Now Bigger In World Map: ପୁରୁଣା ମାନଚିତ୍ରକୁ ବଦଳାଇବ ‘ଇକୁଆଲ ଆର୍ଥ’, ବଡ଼ ଦେଖାଯିବ ଆଫ୍ରିକା, ଛୋଟ ହୋଇଯିବେ ଏହି ଦୁଇ ମହାଦେଶ!

ଗତ ଶୁକ୍ରବାର ଜାତିସଂଘ ସାଧାରଣ ସଭା ଆଫ୍ରିକା ମହାଦେଶକୁ ତୁଳନାତ୍ମକ ଭାବେ ବଡ଼ ଦେଖାଇବା ପାଇଁ ଏକ ନୂଆ ବିଶ୍ୱ ମାନଚିତ୍ରକୁ ଗ୍ରହଣ କରିବାକୁ ଏକ ପ୍ରସ୍ତାବ ପାରିତ କରିଥିଲା। ଏହି ମାନଚିତ୍ରରେ ଉତ୍ତର ଆମେରିକା ଓ ୟୁରୋପକୁ ତୁଳନାତ୍ମକ ଭାବେ ଛୋଟ ପ୍ରଦର୍ଶିତ କରାଯାଇଛି। ତେବେ ଏହାର ସମର୍ଥନରେ ୧୬୪ ଦେଶ ଭୋଟ ଦେଇଥିବା ବେଳେ ଆମେରିକା ଏହା ବିରୋଧରେ ଭୋଟ ଦେଇଛି ଏବଂ ୬ଟି ଦେଶ ଭୋଟଦାନରୁ ବିରତ ରହିଛି।

ବିଶ୍ୱ ମାନଚିତ୍ରକୁ ନେଇ ଜାତିସଂଘରେ ଏଭଳି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜାତିସଂଘ ସାଧାରଣ ସଭା ପାରମ୍ପରିକ ମର୍କେଟର ପ୍ରୋଜେକ୍ସନ୍‌ ବଦଳରେ ଅଧିକ ବାସ୍ତବସମ୍ମତ ମାନଚିତ୍ର ବ୍ୟବହାରକୁ ସମର୍ଥନ କରି ଏହି ପ୍ରସ୍ତାବ ପାରିତ କରିଛି। 

କାହିଁକି ବଦଳିବ ବିଶ୍ୱ ମାନଚିତ୍ରର ଚେହେରା?

ଏଠାରେ ଦେଶଗୁଡ଼ିକର ବାସ୍ତବ ଆକାର ବଦଳିବ ନାହିଁ। ବଦଳିବ କେବଳ ମାନଚିତ୍ରରେ ସେଗୁଡ଼ିକୁ ଦେଖାଇବାର ପ୍ରଣାଳୀ। ଏବେ ସାରା ବିଶ୍ୱରେ ବହୁଳ ଭାବେ ବ୍ୟବହୃତ ମର୍କେଟର ପ୍ରୋଜେକ୍ସନ୍‌ ୧୫୬୯ ମସିହାରେ ନୌପରିବହନ ପାଇଁ ତିଆରି ହୋଇଥିଲା। ଏହି ପ୍ରଣାଳୀରେ ଭୂମଧ୍ୟରେଖାଠାରୁ ଦୂରକୁ ଯିବା ସହିତ ଅଞ୍ଚଳଗୁଡ଼ିକର ଆକାର ଅଧିକ ବଡ଼ ଦେଖାଯାଏ। 

ଫଳରେ ଆଫ୍ରିକା ତୁଳନାମୂଳକ ଛୋଟ, ଯେତେବେଳେ ୟୁରୋପ, ଉତ୍ତର ଆମେରିକା ଓ ଗ୍ରୀନଲ୍ୟାଣ୍ଡ ଭଳି ଅଞ୍ଚଳ ମାନଚିତ୍ରରେ ବାସ୍ତବ ଆକାରଠାରୁ ବଡ଼ ଦେଖାଯାଏ। ଉଦାହରଣ ସ୍ୱରୂପ, ମର୍କେଟର ମାନଚିତ୍ରରେ ଗ୍ରୀନଲ୍ୟାଣ୍ଡ ଓ ଆଫ୍ରିକା ପ୍ରାୟ ସମାନ ଆକାରର ଲାଗିପାରେ। କିନ୍ତୁ ବାସ୍ତବରେ ଆଫ୍ରିକା ଗ୍ରୀନଲ୍ୟାଣ୍ଡଠାରୁ ପ୍ରାୟ ୧୪ ଗୁଣ ବଡ଼। ଏହି ନୂଆ ମାନଚିତ୍ରରେ ସୀମା ବଦଳିବନି। କେବଳ ପ୍ରଦର୍ଶିତ ଚେହେରାର ଆକାର ବଦଳିବ।

ଆସୁଛି ‘ଇକୁଆଲ ଆର୍ଥ’ ପ୍ରୋଜେକ୍ସନ

ଜାତିସଂଘର ନୂଆ ପ୍ରସ୍ତାବରେ ଆସିଥିବା ଏହି ନୂଆ ମାନଚିତ୍ରର ନାଁ ରହିଛି ‘ଇକୁଆଲ ଆର୍ଥ’ କାର୍ଟୋଗ୍ରାଫିକ୍ ପ୍ରୋଜେକ୍ସନ୍‌। ଏହି ମାନଚିତ୍ରରେ ବିଭିନ୍ନ ଭୂଖଣ୍ଡର କ୍ଷେତ୍ରଫଳକୁ ଅଧିକ ବାସ୍ତବ ଅନୁପାତରେ ଦେଖାଯାଏ। ତେଣୁ ନୂଆ ମାନଚିତ୍ରରେ ଆଫ୍ରିକା ଅଧିକ ବଡ଼ ଦେଖାଯିବ, ଯେତେବେଳେ ୟୁରୋପ ଓ ଉତ୍ତର ଆମେରିକା ତୁଳନାମୂଳକ ଛୋଟ ଦେଖାଯିବ।

ପ୍ରସ୍ତାବ ଆଣିଥିଲା ଟୋଗୋ

ଆଫ୍ରିକୀୟ ଦେଶ ଟୋଗୋ ପ୍ରଥମେ ଏହି ପ୍ରସ୍ତାବ ଆଣିଥିଲା। ପରେ ଆଫ୍ରିକୀୟ ୟୁନିୟନ୍‌ ଏହାକୁ ସମର୍ଥନ କରିଥିଲା। ଟୋଗୋର ବୈଦେଶିକ ମନ୍ତ୍ରୀ ରବର୍ଟ ଡୁସେ କହିଛନ୍ତି ଯେ ମାନଚିତ୍ର କେବଳ ଭୌଗୋଳିକ ତଥ୍ୟ ଦେଖାଏ ନାହିଁ; ଏହା ଶିକ୍ଷା ଓ ବିଶ୍ୱକୁ ଦେଖିବାର ଆମର ଧାରଣାକୁ ମଧ୍ୟ ପ୍ରଭାବିତ କରେ।

ଆଫ୍ରିକା କହିଛି ଯେ, ଦୀର୍ଘଦିନ ଧରି ଚାଲିଆସୁଥିବା ମାନଚିତ୍ରର ବିକୃତ ଚିତ୍ରଣ ଯୋଗୁଁ ଆଫ୍ରିକାର ବାସ୍ତବ ଭୌଗୋଳିକ ଆକାର ସମ୍ପର୍କରେ ବିଶ୍ୱରେ ଭୁଲ ଧାରଣା ସୃଷ୍ଟି ହୋଇଛି। ତେଣୁ ‘କରେକ୍ଟ ଦି ମ୍ୟାପ’ ଅଭିଯାନ ମାଧ୍ୟମରେ ଅଧିକ ସଠିକ୍ ଚିତ୍ରଣ ପାଇଁ ଦାବି କରାଯାଇଥିଲା। 

ତେବେ ୧୬୪ଟି ଦେଶ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ଆମେରିକା ଏକମାତ୍ର ଦେଶ ଭାବେ ବିରୋଧ କରିଛି। ଆମେରିକୀୟ ପ୍ରତିନିଧି ଏହି ପ୍ରସ୍ତାବକୁ ଅନାବଶ୍ୟକ ବୋଲି କହିବା ସହ ଜାତିସଂଘ ବିଶ୍ୱର ଅନ୍ୟ ଗୁରୁତର ସମସ୍ୟାଠାରୁ ଧ୍ୟାନ ହଟାଉଛି ବୋଲି କହିଛନ୍ତି।

ପୁରୁଣା ମାନଚିତ୍ର ସମ୍ପୂର୍ଣ୍ଣ ବନ୍ଦ ହେବ କି?

ନୂଆ ମାନଚିତ୍ରକୁ ଆପଣେଇବା ଆଇନଗତ ଭାବେ ବାଧ୍ୟତାମୂଳକ ନିଷ୍ପତ୍ତି ନୁହେଁ। ଜାତିସଂଘ ସଦସ୍ୟ ଦେଶଗୁଡ଼ିକୁ ଇକୁଆଏ ଆର୍ଥ ଭଳି ଅଧିକ ସଠିକ୍ ପ୍ରୋଜେକ୍ସନ୍‌ ବ୍ୟବହାର ପାଇଁ ଉତ୍ସାହିତ କରୁଛି। ମର୍କେଟର ମାନଚିତ୍ର ନୌପରିବହନ ଭଳି କିଛି କ୍ଷେତ୍ରରେ ଏବେ ମଧ୍ୟ ଉପଯୋଗୀ ରହିବ। ଏହା ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।