27 OCTOBER 2026

Welcome!

Unlock your personalized experience.
Sign Up

AIIMS: ଡାକ୍ତର ଅଭାବ ସମସ୍ୟାରୁ ମୁକୁଳିପାରୁନି ଏମ୍‌ସ: ୧୦ ଟଙ୍କାର ଓପିଡି ଟିକଟ, ଗଣୁଛନ୍ତି ୪ ହଜାର!

Oct 27, 2026 - 03:02
AIIMS: ଡାକ୍ତର ଅଭାବ ସମସ୍ୟାରୁ ମୁକୁଳିପାରୁନି ଏମ୍‌ସ: ୧୦ ଟଙ୍କାର ଓପିଡି ଟିକଟ, ଗଣୁଛନ୍ତି ୪ ହଜାର!

ଭୁବନେଶ୍ୱର (ଦେବଦଳନ ରଥ): ଏମ୍‌ସ ଭାରତର ଅନ୍ୟତମ ଭରସାଯୋଗ୍ୟ ଚିକିତ୍ସା ପ୍ରତିଷ୍ଠାନ। ଏଠାରେ କେବଳ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳେନାହିଁ, ଦେଶର ଅନ୍ୟତମ ଶ୍ରେଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ପାଇବା ଆଶାରେ ମଧ୍ୟ ରୋଗୀ ଏଠାକୁ ଧାଇଁ ଆସନ୍ତି। ହେଲେ ଏହି ଭରସାଯୋଗ୍ୟ ପ୍ରତିଷ୍ଠାନରେ ଏବେ ଚିକିତ୍ସା ପୂର୍ବରୁ ଟିକଟ ଖଣ୍ଡିଏ ପାଇବା ହିଁ ବଡ଼ ଆହ୍ୱାନ। ଡାକ୍ତରଙ୍କ ଅଭାବରୁ ୮ଟି ବିଭାଗରେ ନୂଆ ରୋଗୀଙ୍କ ପାଇଁ ଓପିଡି ଟିକଟ ସଂଖ୍ୟା ସୀମିତ ରହୁଛି। ଏପଟେ ଟିକଟ ନପାଇ ରୋଗୀ ନିରାଶ, ସେପଟେ ସକ୍ରିୟ ଦଲାଲ। ମାତ୍ର ୧୦ ଟଙ୍କାର ଓପିଡି ଟିକଟ ପାଇଁ ଗଣିବାକୁ ପଡ଼ୁଛି ୩ରୁ ୪ ହଜାର ଟଙ୍କା। ରୋଗୀ ସେବାର ଏହି ବିକଳ ଚିତ୍ର ବର୍ତ୍ତମାନ ଭୁବନେଶ୍ୱର ଏମ୍‌ସର ଚିନ୍ତା ବଢ଼ାଇଛି।

୩୩ ବିଭାଗରୁ ୮ଟିରେ ନୂଆ ରୋଗୀଙ୍କ ପାଇଁ କଟକଣା
ରୋଗୀଙ୍କ ଅସହାୟତାରୁ ଫାଇଦା ଉଠାଉଛନ୍ତି ଦଲାଲ
ଖାଲି ପଦବି ପୂରଣ ପାଇଁ ଚାଲିଛି ପ୍ରକ୍ରିୟା: ଅଧୀକ୍ଷକ

ଦିଲ୍ଲୀ ଏମ୍‌ସ ପରେ ସମଗ୍ର ଦେଶରେ ଖ୍ୟାତି ଅର୍ଜନ କରିଥିବା ଭୁବନେଶ୍ୱର ଏମ୍‌ସରେ ଡାକ୍ତର ଅଭାବ ରୋଗୀ ସେବାକୁ ପ୍ରଭାବିତ କରୁଛି। କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ଏହି ୧୪ ବର୍ଷର ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ପଦ ଖାଲିପଡ଼ିଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ନୂଆ ରୋଗୀଙ୍କ ପାଇଁ ଓପିଡି ଟିକଟ ସଂଖ୍ୟା କମାଇ ଦିଆଯାଇଛି। ଫଳରେ ଦୂରଦୂରାନ୍ତରୁ ଉନ୍ନତ ଚିକିତ୍ସା ଆଶାରେ ଆସୁଥିବା ରୋଗୀ ଟିକଟ ନପାଇ ନିରାଶ ହୋଇ ଫେରୁଛନ୍ତି। ଏମ୍‌ସର ମୋଟ ୩୩ଟି ବିଭାଗ ମଧ୍ୟରୁ ୨୫ଟିରେ ଓପିଡି ଟିକଟ ସଂଖ୍ୟା ଅସୀମିତ ରହିଛି। କିନ୍ତୁ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଏଣ୍ଡୋକ୍ରିନୋଲୋଜି, ଜେନେରାଲ ମେଡିସିନ୍‌, ନେଫ୍ରୋଲୋଜି, ୟୁରୋଲୋଜି, ନ୍ୟୁରୋଲୋଜି, ମେଡିକାଲ ଅଙ୍କୋଲୋଜି ଓ ରେଡିଏସନ୍‌ ଅଙ୍କୋଲୋଜି ଭଳି ୮ଟି ବିଭାଗରେ ଟିକଟ ସଂଖ୍ୟା ସୀମିତ ରଖାଯାଇଛି। ୨୦୨୫ ଡିସେମ୍ବରରୁ ଏମ୍‌ସର ପ୍ରାୟ ସମସ୍ତ ବିଭାଗର ଓପିଡି ଟିକଟ ସଂଖ୍ୟା ଅସୀମିତ କରାଯାଇଥିଲେ ମଧ୍ୟ ଏହି ୮ଟି ବିଭାଗରେ କଟକଣା ଜାରି ରହିଛି। ବିଭାଗ ଅନୁଯାୟୀ ନୂଆ ରୋଗୀଙ୍କ ପାଇଁ ଟିକଟ ସଂଖ୍ୟା ଭିନ୍ନ ଭିନ୍ନ। ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିରେ ପୁରୁଣା ରୋଗୀଙ୍କ ସହ ୧୦୦ ଜଣ ନୂଆ ରୋଗୀଙ୍କୁ ଟିକଟ ମିଳୁଛି। ଜେନେରାଲ ମେଡିସିନ୍‌ରେ ଏହି ସଂଖ୍ୟା ୨୦୦ ଥିବା ବେଳେ ନେଫ୍ରୋଲୋଜି ଓ ନ୍ୟୁରୋଲୋଜିରେ ୬୦ ଜଣ ଲେଖାଏଁ, ୟୁରୋଲୋଜିରେ ୭୫ ଜଣ, ଏଣ୍ଡୋକ୍ରିନୋଲୋଜିରେ ୪୦ ଜଣ ଏବଂ ରେଡିଏସନ୍‌ ଅଙ୍କୋଲୋଜିରେ ୩୦ ଜଣ ନୂଆ ରୋଗୀଙ୍କ ପାଇଁ ଟିକଟ ଉପଲବ୍ଧ ହେଉଛି। ଅନ୍ୟ ବିଭାଗ ତୁଳନାରେ ମେଡିକାଲ ଅଙ୍କୋଲୋଜିରେ ସ୍ଥିତି ଅଧିକ ଗମ୍ଭୀର। ଏଠାରେ ମାତ୍ର ୧୦ ଜଣ ନୂଆ ରୋଗୀଙ୍କୁ ଟିକଟ ମିଳୁଛି।

ମେଡିକାଲ ଅଙ୍କୋଲୋଜି ବିଭାଗରେ ବର୍ତ୍ତମାନ ମାତ୍ର ଜଣେ ଡାକ୍ତର ଅଛନ୍ତି। ପୁରୁଣା ରୋଗୀଙ୍କ ଚିକିତ୍ସା ପରେ ସେ ନୂଆ ରୋଗୀଙ୍କ ମଧ୍ୟରୁ ମାତ୍ର ୧୦ ଜଣଙ୍କୁ ପରାମର୍ଶ ଦେଇ ପାରୁଛନ୍ତି। ପୂର୍ବରୁ ଏହି ବିଭାଗରେ ୪ ଜଣ ଡାକ୍ତର ଥିଲେ। ସେହିପରି ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ନେଫ୍ରୋଲୋଜିରେ ୨ ଜଣ ଲେଖାଏଁ, ନ୍ୟୁରୋଲୋଜିରେ ୩ ଜଣ, ଜେନେରାଲ ମେଡିସିନ୍‌ରେ ୪ ଜଣ, ରେଡିଏସନ୍‌ ଅଙ୍କୋଲୋଜିରେ ୪ ଜଣ ଏବଂ ୟୁରୋଲୋଜିରେ ୫ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଏହି ବିଭାଗଗୁଡ଼ିକରେ ଡାକ୍ତର ପଦ ଖାଲି ପଡ଼ିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ଡାକ୍ତର ଅଭାବ ଓ ଟିକଟ ସଂଖ୍ୟାରେ କଟକଣା ଯୋଗୁଁ ରୋଗୀମାନେ ହଇରାଣ ହେଉଥିବା ବେଳେ ଫାଇଦା ଉଠାଉଛନ୍ତି ଦଲାଲ। ଅଭିଯୋଗ ଅନୁଯାୟୀ, ମାତ୍ର ୧୦ ଟଙ୍କାର ଓପିଡି ଟିକଟ ପାଇଁ ରୋଗୀଙ୍କୁ ୩ରୁ ୪ ହଜାର ଟଙ୍କା ଗଣିବାକୁ ପଡ଼ୁଛି। ଖାଲି ଅଧିକ ଟଙ୍କା ଆଦାୟ ନୁହେଁ, ବେଳେବେଳେ ଦଲାଲମାନେ ବ୍ଲାକ୍‌ମେଲ୍‌ କରି ରୋଗୀଙ୍କୁ ଶୋଷଣ ମଧ୍ୟ କରୁଛନ୍ତି। ଏ ସମ୍ପର୍କରେ ଏମ୍‌ସ ଭୁବନେଶ୍ୱରର ମେଡିକାଲ ଅଧୀକ୍ଷକ ଡା. ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି, ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପାଇଁ ପ୍ରକ୍ରିୟା ଚାଲିଛି। ଖୁବ୍‌ଶୀଘ୍ର ସମସ୍ତ ପଦ ପୂରଣ କରାଯିବ ଏବଂ ଏହାଦ୍ୱାରା ସମସ୍ୟାର ସମାଧାନ ହୋଇଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।