Air France Follows Israel’s Crew Restrictions: ଇସ୍ରାଏଲ୍‌ର ନୂଆ ନିୟମ ମାନିଲା Air France, ୩୧ ଦେଶର କ୍ରୁଙ୍କ ଉପରେ କଟକଣା

Oct 14, 2026 - 18:01
Air France Follows Israel’s Crew Restrictions: ଇସ୍ରାଏଲ୍‌ର ନୂଆ ନିୟମ ମାନିଲା Air France, ୩୧ ଦେଶର କ୍ରୁଙ୍କ ଉପରେ କଟକଣା

ଇସ୍ରାଏଲ୍‌ ଯାତ୍ରା କରୁଥିବା ବିମାନର କ୍ରୁ ସଦସ୍ୟଙ୍କ ପାଇଁ ନୂଆ କଟକଣା ଲାଗୁ କରିଛି ଇସ୍ରାଏଲ୍‌। ଏହି ନିୟମ ଅନୁସାରେ, ଇସ୍ରାଏଲ୍‌ ସହ କୂଟନୈତିକ ସମ୍ପର୍କ ନଥିବା ଦେଶର ନାଗରିକ କିମ୍ବା ସେହି ଦେଶର ଦ୍ୱୈତ ନାଗରିକତା ଥିବା ପାଇଲଟ୍‌ ଓ କ୍ୟାବିନ୍‌ କ୍ରୁ ସଦସ୍ୟ ଇସ୍ରାଏଲ୍‌ ଯାଉଥିବା ବିମାନରେ କାର୍ଯ୍ୟ କରିପାରିବେ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଏହି ନିୟମର ପ୍ରଭାବ ୩୧ଟି ଦେଶର ନାଗରିକଙ୍କ ଉପରେ ପଡ଼ିପାରେ, ଯେଉଁଥିରେ ଅଧିକାଂଶ ମୁସଲିମ୍‌ ବହୁଳ ଦେଶ ରହିଛନ୍ତି।

ଫ୍ରାନ୍ସର ବିମାନ କମ୍ପାନୀ Air France ଏହି ନିୟମ ପାଳନ କରୁଥିବା ସ୍ପଷ୍ଟ କରିଛି। ଗଣମାଧ୍ୟମକୁ ଦେଇଥିବା ବିବୃତିରେ କମ୍ପାନୀ କହିଛି, ଯେଉଁ ଦେଶକୁ ବିମାନ ଚଳାଚଳ କରେ, ସେହି ଦେଶର କର୍ତ୍ତୃପକ୍ଷଙ୍କ ପ୍ରବେଶ ନିୟମକୁ ଯାତ୍ରୀଙ୍କ ସହ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ପାଳନ କରିବାକୁ ପଡ଼େ। ତେଲ୍ ଆଭିଭ୍‌ ଯାଉଥିବା ବିମାନରେ ପ୍ରଭାବିତ ହେଉଥିବା କର୍ମଚାରୀଙ୍କୁ ନୂଆ ନିୟମ ବିଷୟରେ ଅବଗତ କରାଯାଇଛି ବୋଲି କମ୍ପାନୀ କହିଛି।

୩୧ ଦେଶର କ୍ରୁ ସଦସ୍ୟଙ୍କ ଉପରେ ପ୍ରଭାବ

ଇସ୍ରାଏଲ୍‌ର ଗଣମାଧ୍ୟମ N12ର ରିପୋର୍ଟ ଅନୁସାରେ, ଦେଶର ପରିବହନ ଓ ସଡ଼କ ସୁରକ୍ଷା ମନ୍ତ୍ରଣାଳୟ ଅକ୍ଟୋବର ୧ରେ ବିଦେଶୀ ବିମାନ କମ୍ପାନୀଗୁଡ଼ିକୁ ଏହି ନିର୍ଦ୍ଦେଶ ଦେଇଥିଲା। ଇସ୍ରାଏଲ୍‌ ସହ କୂଟନୈତିକ ସମ୍ପର୍କ ନଥିବା ଦେଶର ନାଗରିକତା କିମ୍ବା ଦ୍ୱୈତ ନାଗରିକତା ଥିବା ପାଇଲଟ୍‌ ଓ କ୍ୟାବିନ୍‌ କ୍ରୁ ଇସ୍ରାଏଲ୍‌ ଯାଉଥିବା ବିମାନରେ କାମ କରିପାରିବେ ନାହିଁ ବୋଲି ଏଥିରେ କୁହାଯାଇଛି।

ଏହି ତାଲିକାରେ ପାକିସ୍ତାନ, ଇରାନ, ଓମାନ, ସାଉଦି ଆରବ, ଆଲଜେରିଆ, ଟ୍ୟୁନିସିଆ ଓ ନାଇଜର ଭଳି ଦେଶ ରହିଥିବା ରିପୋର୍ଟରେ ଦାବି କରାଯାଇଛି। ଏହା ଫଳରେ ଇସ୍ରାଏଲ୍‌କୁ ବିମାନ ଚଳାଚଳ କରୁଥିବା ଅନେକ ଅନ୍ତର୍ଜାତୀୟ ଏୟାରଲାଇନ୍ସର କ୍ରୁ ନିଯୁକ୍ତି ଓ ଡ୍ୟୁଟି ବଣ୍ଟନ ପ୍ରଭାବିତ ହୋଇପାରେ।

ଫ୍ଲାଇଦୁବାଇ ବିମାନ ଘଟଣା ପରେ ନିଷ୍ପତ୍ତି!

ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ୍ ଆଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନର ଜଣେ ଓମାନୀ ସହ-ପାଇଲଟ୍‌ ବିମାନ ଅପହରଣ କରି ଇସ୍ରାଏଲ୍‌ର ବେନ୍‌ ଗୁରିଅନ୍‌ ବିମାନବନ୍ଦରରେ ଧକ୍କା ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ସେ ବିମାନର ଭାରତୀୟ ପାଇଲଟ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ରହିଛି। ଆହତ ପାଇଲଟ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।