Air India Takes Strict Action: ଫୁକେଟ୍‌-ଦିଲ୍ଲୀ ବିମାନର ପାଇଲଟ୍‌ଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ, ଚାକିରି ଗଲା

Sep 04, 2026 - 20:02
Air India Takes Strict Action: ଫୁକେଟ୍‌-ଦିଲ୍ଲୀ ବିମାନର ପାଇଲଟ୍‌ଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ, ଚାକିରି ଗଲା

ନିଶା ଦ୍ରବ୍ୟ ବା ସାଇକୋଆକ୍ଟିଭ୍ ସବଷ୍ଟାନ୍ସ ପରୀକ୍ଷାରେ ପଜିଟିଭ୍‌ ଆସିବା ପରେ ଫୁକେଟ୍‌-ଦିଲ୍ଲୀ ବିମାନର ପାଇଲଟ୍-ଇନ୍-କମାଣ୍ଡଙ୍କୁ ଚାକିରିରୁ ବରଖାସ୍ତ କରିଛି ଏୟାର ଇଣ୍ଡିଆ। ଶୁକ୍ରବାର ଏୟାର ଇଣ୍ଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି, “ଫୁକେଟ୍‌-ଦିଲ୍ଲୀ ବିମାନର ପାଇଲଟ୍-ଇନ୍-କମାଣ୍ଡଙ୍କ ସାଇକୋଆକ୍ଟିଭ୍ ସବଷ୍ଟାନ୍ସ ପରୀକ୍ଷା ପଜିଟିଭ୍‌ ଆସିଛି। ସୁରକ୍ଷା, ଫିଟନେସ୍‌ କିମ୍ବା ନିୟାମକ ନିୟମର ଉଲ୍ଲଂଘନ ପ୍ରତି ଏୟାର ଇଣ୍ଡିଆର ଶୂନ୍ୟ ସହନଶୀଳତା ନୀତି ଅନୁସାରେ ପାଇଲଟଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।”

ଅଗଷ୍ଟ ୪ ତାରିଖରେ ଘଟିଥିବା ଏୟାର ଇଣ୍ଡିଆର AI-2379 ବିମାନ ସମ୍ପର୍କିତ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB)ର ପ୍ରାଥମିକ ରିପୋର୍ଟ ପରେ ଏହି ପଦକ୍ଷେପ ନିଆଯାଇଛି। ରିପୋର୍ଟରେ ପାଇଲଟ୍-ଇନ୍-କମାଣ୍ଡଙ୍କ ସାଇକୋଆକ୍ଟିଭ୍ ସବଷ୍ଟାନ୍ସ  ପରୀକ୍ଷାର କନଫର୍ମେସନ ଟେଷ୍ଟରେ ମଧ୍ୟ ଫଳାଫଳ ‘ନନ୍-ନେଗେଟିଭ୍‌’ ଥିବା ଜଣାପଡ଼ିଛି।

AAIBର ପ୍ରାଥମିକ ତଦନ୍ତ ଅନୁସାରେ, ବିମାନଟି ଦିଲ୍ଲୀରେ ଅବତରଣ କରିବା ପରେ ଉଭୟ ପାଇଲଟଙ୍କର ଫ୍ଲାଇଟ୍‌ ପରବର୍ତ୍ତୀ ମେଡିକାଲ୍‌ ଯାଞ୍ଚ କରାଯାଇଥିଲା। ଉଭୟଙ୍କ ବ୍ରିଥ୍ ଆନାଲାଇଜର ପରୀକ୍ଷା ସନ୍ତୋଷଜନକ ଥିଲା।
ତେବେ ପାଇଲଟ୍-ଇନ୍-କମାଣ୍ଡଙ୍କ ନମୁନାରେ ସାଇକୋଆକ୍ଟିଭ୍ ସବଷ୍ଟାନ୍ସ  ଚିହ୍ନଟ ପରୀକ୍ଷାର ଫଳାଫଳ ‘ନନ୍-ନେଗେଟିଭ୍‌’ ଆସିଥିଲା। ପରେ କରାଯାଇଥିବା ରକ୍ତ ପରୀକ୍ଷାରେ ମଧ୍ୟ ଫଳାଫଳ ‘ନନ୍-ନେଗେଟିଭ୍‌’ ରହିଥିଲା। ଅନ୍ୟପକ୍ଷରେ, ସହ-ପାଇଲଟଙ୍କ ପରୀକ୍ଷା ନେଗେଟିଭ୍‌ ଆସିଥିଲା।

ସାଇକୋଆକ୍ଟିଭ୍ ସବଷ୍ଟାନ୍ସ  ବ୍ୟବହାର ନିଶ୍ଚିତ ହେବା ଏକ “ଗୁରୁତର ଚିନ୍ତାର ବିଷୟ” ବୋଲି AAIB କହିଛି। ଏଭଳି ପଦାର୍ଥର ଦୁରୁପଯୋଗ ରୋକିବା ପାଇଁ ଡିଜିସିଏ (DGCA)କୁ ପ୍ରାଥମିକତା ଭିତ୍ତିରେ ଉପଯୁକ୍ତ ପଦକ୍ଷେପ ନେବାକୁ ମଧ୍ୟ AAIB ସୁପାରିସ କରିଛି।

ତେବେ ପ୍ରାଥମିକ ରିପୋର୍ଟରେ ପାଇଲଟଙ୍କ ଶରୀରରେ ସାଇକୋଆକ୍ଟିଭ୍ ସବଷ୍ଟାନ୍ସ  ମିଳିବା ଏବଂ ବିମାନର ଉଚ୍ଚତାରେ ଅସ୍ୱାଭାବିକ ପରିବର୍ତ୍ତନ ମଧ୍ୟରେ କୌଣସି ସମ୍ପର୍କ ସ୍ଥାପିତ ହୋଇନାହିଁ। ଘଟଣାର ବୈଷୟିକ ଓ ଅନ୍ୟାନ୍ୟ ଦିଗ ନେଇ ବିସ୍ତୃତ ତଦନ୍ତ ଜାରି ରହିଛି।

ବିମାନରେ ଏକାଧିକ ହାଇଡ୍ରଲିକ୍‌ ସମସ୍ୟା

AAIBର ପ୍ରାଥମିକ ରିପୋର୍ଟ ଅନୁସାରେ, ଏୟାରବସ୍‌ A320 ବିମାନଟି ୩୬,୦୦୦ ଫୁଟ୍‌ ଉଚ୍ଚତାରେ ଉଡ଼ୁଥିବା ସମୟରେ ଫ୍ଲାଇଟ୍‌-କଣ୍ଟ୍ରୋଲ୍‌ ସିଷ୍ଟମ୍‌ରେ ସମସ୍ୟା ଦେଖାଦେଇଥିଲା।
୦୪:୦୨:୪୩ UTCରେ ଗ୍ରୀନ୍‌ ହାଇଡ୍ରଲିକ୍‌ ସିଷ୍ଟମ୍‌ରେ ଚାପ କମିଯିବା ଚିହ୍ନଟ ହୋଇଥିଲା। ଏହାର ମାତ୍ର ୪ ସେକେଣ୍ଡ ପରେ ବ୍ଲୁ ଏବଂ ୟେଲୋ ହାଇଡ୍ରଲିକ୍‌ ସିଷ୍ଟମ୍‌ରେ ମଧ୍ୟ ଚାପ କମିବା ଚିହ୍ନଟ ହୋଇଥିଲା।
୦୪:୦୨:୪୮ UTCରେ ଅଟୋପାଇଲଟ୍‌ ଡିସଏନଗେଜ୍‌ ହୋଇଥିଲା। ଏହାପରେ ଦୁଇ ସେକେଣ୍ଡ ଧରି ଷ୍ଟଲ୍‌ ୱାର୍ଣ୍ଣିଂ ଶୁଣାଯାଇଥିଲା। ବିମାନ ଚଳାଉଥିବା ସହ-ପାଇଲଟ୍‌ ପ୍ରଥମେ ପରିସ୍ଥିତି ସମ୍ଭାଳିଥିଲେ ଏବଂ ପରେ ପାଇଲଟ୍-ଇନ୍-କମାଣ୍ଡ ନିୟନ୍ତ୍ରଣକୁ ନେଇଥିଲେ।

ଏହି ସମୟରେ ବିମାନଟି ନିର୍ଦ୍ଧାରିତ ଫ୍ଲାଇଟ୍‌ ଲେଭେଲ୍‌ଠାରୁ ୩୭୨ ଫୁଟ୍‌ ଉପରକୁ ଉଠିଥିଲା ଏବଂ ପରେ ୨୯୨ ଫୁଟ୍‌ ତଳକୁ ଖସିଥିଲା।
ପ୍ରାୟ ୦୪:୦୨:୫୨ UTCରେ ବ୍ଲୁ ହାଇଡ୍ରୋଲିକ୍‌ ସିଷ୍ଟମ୍‌ ପୁଣି ସକ୍ରିୟ ହୋଇଥିଲା। ଏହାର କିଛି ସମୟ ପରେ ୟେଲୋ ଏବଂ ଗ୍ରୀନ୍‌ ସିଷ୍ଟମ୍‌ ମଧ୍ୟ ସ୍ୱାଭାବିକ ହୋଇଥିଲା। ଫଳରେ ବିମାନର ଫ୍ଲାଇଟ୍‌-କଣ୍ଟ୍ରୋଲ୍‌ ସର୍ଫେସ୍‌ଗୁଡ଼ିକ ପୁଣି କାର୍ଯ୍ୟକ୍ଷମ ହୋଇଥିଲା ଏବଂ ବିମାନଟି ସ୍ୱାଭାବିକ ଅପରେଟିଂ ସ୍ଥିତିକୁ ଫେରିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।