Airstrip: ସ୍ୱପ୍ନରେ ରହିଯିବ କି ଅମର୍ଦା ଏୟାରଷ୍ଟ୍ରିପ୍! ଉଡ଼ାଣ ଯୋଜନାରେ ସାମିଲ ହୋଇଥିଲା
ବାରିପଦା (ବଟକୃଷ୍ଣ ବିହାରୀ): ଉଡ଼ାଣ ଯୋଜନାରେ ସାମିଲ ହୋଇଥିଲା ଅମର୍ଦା ଏୟାରଷ୍ଟ୍ରିପ୍। ହେଲେ ସର୍ଭେରେ ଅଟକିଛି ପୁନରୁଦ୍ଧାର କାମ। ମୟୂରଭଞ୍ଜଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ରେ ଥିବା ଏହି ଏୟାରଷ୍ଟ୍ରିପ୍ ଏସିଆ ମହାଦେଶର ସର୍ବବୃହତ୍ ବିମାନଘାଟି। ମୁଖ୍ୟ ରନ୍ୱେର ଲମ୍ବ ସାଢ଼େ ୩ କିଲୋମିଟର। ୧୩ରୁ ଅଧିକ ସବ୍ରନ୍ୱେ ରହିଛି। ଏହି ବିମାନଘାଟିରୁ ଇଂରେଜମାନେ ଉଡ଼ାଉଥିଲେ ଲଢ଼ୁଆ ଯୁଦ୍ଧବିମାନ। ସେନା, ପାଇଲଟ୍ ଓ କର୍ମଚାରୀଙ୍କୁ ବି ତାଲିମ ପ୍ରଦାନ କରାଯାଉଥିଲା। ଏହା ଦ୍ବିତୀୟ ବିଶ୍ବଯୁଦ୍ଧର ଅପୂର୍ବ ସ୍ମାରକୀ ବୋଲି କୁହାଯାଉଥିଲେ ବି ନିଜ ଅସ୍ତିତ୍ବ ପାଇଁ ଏକପ୍ରକାର ସଂଘର୍ଷ କରୁଛି। ରନ୍ୱେ ଭାଙ୍ଗିଗଲାଣି। କେନ୍ଦ୍ର ସରକାର ଏହାକୁ ଉଡ଼ାଣ ଯୋଜନାରେ ସାମିଲ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁଙ୍କ ଉଦ୍ୟମରେ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଏହାର ପୁନରୁଦ୍ଧାର ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାମଧ୍ୟରେ ୩ ବର୍ଷ ବିତି ଯାଇଥିଲେ ମଧ୍ୟ କିଛି ବି କାମ ଆଗେଇ ପାରିନି।
ଦେଶ ସ୍ବାଧୀନ ହେବା ପର୍ଯ୍ୟନ୍ତ ଏହା ବ୍ରିଟିସ୍ ଅଧୀନରେ ରହିଥିଲା। ପରବର୍ତ୍ତୀ ସମୟରେ ପ୍ରତିରକ୍ଷା ବିଭାଗ ଅଧୀନକୁ ଯାଇଥିଲା। ୨୦୦୭ରେ ଏୟାରଷ୍ଟ୍ରିପ୍କୁ ପୁନରୁଦ୍ଧାର କରାଯାଇ ଏଠାରେ ଏକ ଏୟାର୍ଫୋର୍ସ ଟ୍ରେନିଂ ଏକାଡେମି(ଏଏଫ୍ଟିଏ) ନିର୍ମାଣ ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ସିଦ୍ଧାନ୍ତ ନିଆଯାଇଥିଲା। ସେ ସମୟରେ ଜମିଚିହ୍ନଟ ସହିତ ପ୍ରତିରକ୍ଷା ବିଭାଗର ଅଧିକାରୀମାନେ ଏଠାକୁ ଆସି ଏରିୟଲ୍ ସର୍ଭେ କରିଥିଲେ। ପରେ କ’ଣ ହେଲା କେଜାଣି ଉକ୍ତ ଏଏଫ୍ଟିଏ ପ୍ରକଳ୍ପ ବନ୍ଦ ହୋଇଗଲା।
କିଛିଦିନର ନିରବତା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ‘ଉଡ଼ାଣ’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଏଠାରୁ ବିମାନ ଚଳାଚଳ ପାଇଁ ୨୦୨୨-୨୩ ମସିହାରେ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାର ଜମି ଯୋଗାଇଦେବାକୁ କହିଥିଲେ। ପ୍ରଶାସନ ପକ୍ଷରୁ ଆବଶ୍ୟକ ଜମି ଚିହ୍ନଟ କରାଯାଇ ବିଭିନ୍ନ ପଞ୍ଚାୟତରେ ଗ୍ରାମସଭା ମଧ୍ୟ କରାଯାଇଥିଲା। ହେଲେ କେଉଁ କାରଣରୁ ଏହା ନାଲିଫିତା ତଳେ ବନ୍ଧାହୋଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହାା କାର୍ଯ୍ୟକ୍ଷମ ହୋଇଥିଲେ ସମଗ୍ର ଉତ୍ତର ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟର ଲୋକେ ଉପକୃତ ହୋଇଥାନ୍ତେ। ନିର୍ବାଚନ ଆସିଲେ ଭୋଟ ନେବା ପାଇଁ ବିଜେପିର ଏୟାରଷ୍ଟ୍ରିପ୍ କଥା ମନେପଡ଼େ। ପରେ ଏହାକୁ ଭୁଲି ଯାଉଛନ୍ତି ବୋଲି ବିଜେଡିର ବରିଷ୍ଠ ନେତା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି କହିଛନ୍ତି। ଏହି ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ କିଭଳି ହେବ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।