Andhra Bananas Demand: କୋରାପୁଟ ବଜାରରେ ବଢ଼ୁଛି ଆନ୍ଧ୍ର କଦଳୀର ଚାହିଦା
"ଜୟପୁର (ଦେବାଶିଷ ସାହୁ): କୋରାପୁଟର ମାଟି ଉର୍ବର ଏବଂ ଜଳବାୟୁ ଅନୁକୂଳ।
ପାହାଡ଼ିଆ ଭୂଇଁରୁ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ଚାଷର ବିବିଧତା ବି ରହିଛି।
ତଥାପି ନିଜ ମାଟିରେ ଚାହିଦା ଅନୁଯାୟୀ କଦଳୀ ଉତ୍ପାଦନ ହେଉନାହିଁ।
ଫଳରେ ଜିଲ୍ଲାର ଦୈନନ୍ଦିନ ଚାହିଦା ପୂରଣ ପାଇଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି।
ସକାଳ ହେଲେ ଜୟପୁର ସମେତ ଜିଲ୍ଲାର ବିଭିନ୍ନ ବଜାରରେ ପ୍ରବେଶ କରୁଛି ଆନ୍ଧ୍ର କଦଳୀ ବୋଝେଇ ଟ୍ରକ।
କଦଳୀ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ପ୍ରତିଦିନ ପ୍ରାୟ ୫୦ ଟନ୍ କଦଳୀ ଆନ୍ଧ୍ରପ୍ରଦେଶରୁ କୋରାପୁଟ ଜିଲ୍ଲାକୁ ଆସୁଛି।
ଅର୍ଥାତ୍ ଘରର ଜଳଖିଆ ଥାଳିଠାରୁ ଆରମ୍ଭ କରି ମନ୍ଦିରର ଭୋଗ ଓ ପୂଜା ପର୍ଯ୍ୟନ୍ତ କଦଳୀ ପାଇଁ ଜିଲ୍ଲାବାସୀଙ୍କ ଏକ ବଡ଼ ଅଂଶର ନିର୍ଭରତା ଏବେ ପଡ଼ୋଶୀ ରାଜ୍ୟ ଉପରେ।Advertisment ପ୍ରତିଦିନ ସକାଳୁ ଜୟପୁର ଦୈନିକ ବଜାରରେ ଥିବା ଗୋଦାମରେ ପ୍ରତିଦିନ ପ୍ରାୟ ୪ରୁ ୫ ଟନ୍ କଦଳୀ ଆସୁଥିବା ବ୍ୟବସାୟୀମାନେ କହିଛନ୍ତି।
ଆନ୍ଧ୍ରରୁ ଆସୁଥିବା କଦଳୀ ମଧ୍ୟରେ ବିଭିନ୍ନ କିସମ ଯଥା- କର୍ପୂରା, ଅମୃତପାତି, ଚମ୍ପା ଓ ମୋଟା ଭୂସାବଳୀ ଭଳି କଦଳୀ ରହିଛି।
ପୂଜା, ଭୋଗ ଓ ପର୍ବପର୍ବାଣୀରେ ଚମ୍ପା ଓ ମୋଟା ଭୂସାବଳୀ କିସମର ଚାହିଦା ଅଧିକ ରହିଥାଏ।
ହେଲେ ଏହି କିସମର ସ୍ଥାନୀୟ ଉତ୍ପାଦନ ନଗଣ୍ୟ ହୋଇଥିବାରୁ ଯୋଗାଣ ପାଇଁ ବ୍ୟବସାୟୀଙ୍କୁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି।
ସୂଚନା ଅନୁସାରେ, ବୁଧବାର ପାଇକାରୀ ବଜାରରେ କଦଳୀ କାନ୍ଧି ପିଛା ହାରାହାରି ୪୦୦ ଟଙ୍କା ରହୁଥିବା ବେଳେ ଖୁଚୁରା ବଜାରରେ ଡଜନ୍ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି।
ସ୍ଥାନୀୟ ଅଞ୍ଚଳରେ ଅଳ୍ପ ପରିମାଣରେ ଦେଶୀ କଦଳୀ ଚାଷ ହେଉଥିବା ବେଳେ ଏହାର ଡଜନ୍ ୬୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି।
ଗୋଦାମରେ ପ୍ରତିଦିନ ଆସୁଛି ପ୍ରାୟ ୪ରୁ ୫ ଟନ୍ କଦଳୀ ଜୟପୁରର ପାଇକାରୀ କଦଳୀ ବ୍ୟବସାୟୀ ପି.
ତେଜେଶ୍ୱର ରାଓଙ୍କ କହିବା ଅନୁସାରେ ସ୍ଥାନୀୟ ଅଞ୍ଚଳରେ କଦଳୀ ଯଥେଷ୍ଟ ଉତ୍ପାଦନ ନଥିବାରୁ ପ୍ରତିଦିନ କଦଳୀ ବ୍ୟବସାୟ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ।
ଆନ୍ଧ୍ରରୁ ଗାଡ଼ି ନ ଆସିଲେ ବଜାରରେ କଦଳୀର ଅଭାବ ଦେଖାଦେବ ଏବଂ ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ପୂଜା ସମୟରେ ସମସ୍ୟା ଆହୁରି ବଢ଼ିବ।
ଜୟପୁର ସହରରେ ଥିବା କଦଳୀ ଗୋଦାମରେ ନଡ଼ିଆ କତା ଓ କାଗଜ ଜାଳି ଧୂଆଁ ଦେଇ ପାରମ୍ପରିକ ଉପାୟରେ କଦଳୀ ପଚାଯାଉଥିବା ବ୍ୟବସାୟୀମାନେ କହିଛନ୍ତି।
ତେବେ ପର୍ବପର୍ବାଣୀ ସମୟରେ କଦଳୀ ଚାହିଦା ବଢ଼ିଲେ ବ୍ୟବସାୟୀମାନେ କଞ୍ଚା କଦଳୀକୁ ଶୀଘ୍ର ପଚାଇବା ପାଇଁ କେମିକାଲ ସ୍ପ୍ରେ କରିବାର ନଜିର ମଧ୍ୟ ରହିଛି।
ଯାହା ଖାଉଟିଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଚିନ୍ତାର ବିଷୟ।
କୋରାପୁଟର ମାଟି ଓ ଜଳବାୟୁ କଦଳୀ ଚାଷ ପାଇଁ ଅନୁକୂଳ ହୋଇଥିଲେ ମଧ୍ୟ ଏହାର ଚାଷ ଆଖିଦୃଶିଆ ବଢ଼ିପାରିନାହିଁ।
ଚାଷୀଙ୍କ ପାରମ୍ପରିକ ଫସଲ ପ୍ରତି ଅଧିକ ନିର୍ଭରତା, କଦଳୀ ଚାଷର ବୈଷୟିକ ଜ୍ଞାନ ଓ ପ୍ରଶିକ୍ଷଣର ଅଭାବ, ଉତ୍ପାଦ ପରେ ସଂରକ୍ଷଣ ବ୍ୟବସ୍ଥାର ଅଭାବ ଏବଂ ବଜାର ସହ ଚାଷୀଙ୍କ ଦୁର୍ବଳ ସଂଯୋଗ ଏହାର ପ୍ରମୁଖ କାରଣ ବୋଲି ଚାଷୀ ଓ ବ୍ୟବସାୟୀମାନେ ମତ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ସାହୁ 'ସମ୍ବାଦ'କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଜିଲ୍ଲାରେ କଦଳୀ ଚାଷ ବୃଦ୍ଧି ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ବର୍ତ୍ତମାନ ଉଚ୍ଚ ଅମଳକ୍ଷମ "ଜି-୯" କିସମ ଉପରେ ଗୁରୁତ୍ୱ ଦିଆଯାଉଛି।
ଓଡ଼ିଶା ରାଜ୍ୟ ବିହନ ନିଗମ ଟେଣ୍ଡର ମାଧ୍ୟମରେ ଚାରା ଯୋଗାଣ ପ୍ରକ୍ରିୟା ଆରମ୍ଭ କରିଛି।
ଟିସୁ କଲ୍ଚର ଚାରା ଆସିବା ପରେ ଚାଷୀ ଚୟନ କରାଯାଇ ନିର୍ଦ୍ଦିଷ୍ଟ କ୍ଲଷ୍ଟରରେ ଚାଷ ବ୍ୟାପକ ବିତରଣ କରାଯିବ।
ତାଙ୍କ କହିବାନୁଯାୟୀ, ଏହି ଯୋଜନା ସଫଳ ହେଲେ ସ୍ଥାନୀୟ ଉତ୍ପାଦନ ବଢ଼ିବା ସହ ବାହାର ରାଜ୍ୟ ଉପରେ ନିର୍ଭରତା କମିବା ସହ ଚାଷୀଙ୍କ ପାଇଁ ଏକ ନୂଆ ଆୟର ଉତ୍ସ ମଧ୍ୟ ସୃଷ୍ଟି କରିପାରିବ।
ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।