Ankit Baliyan Shot Dead Outside Gym: ସିଙ୍ଗର୍ ଅଙ୍କିତ ବାଲିୟାନଙ୍କୁ ହତ୍ୟା, ମରିବା ପର୍ଯ୍ୟନ୍ତ ଗୁଳି ଚଳାଇଲେ ଦୁର୍ବୃତ୍ତ

Aug 27, 2026 - 18:59
Ankit Baliyan Shot Dead Outside Gym: ସିଙ୍ଗର୍ ଅଙ୍କିତ ବାଲିୟାନଙ୍କୁ ହତ୍ୟା, ମରିବା ପର୍ଯ୍ୟନ୍ତ ଗୁଳି ଚଳାଇଲେ ଦୁର୍ବୃତ୍ତ

ଲୋକପ୍ରିୟ ଗାୟକ ତଥା ୟୁଟ୍ୟୁବର ଅଙ୍କିତ ବାଲିୟାନଙ୍କୁ ଉତ୍ତରପ୍ରଦେଶର ଶାମଲିରେ ଏକ ଜିମ୍‌ ବାହାରେ ଚାରିଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ଆକ୍ରମଣକାରୀମାନେ ତାଙ୍କ ଉପରକୁ ପ୍ରାୟ ୧୨ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗୁଳି ଲାଗିବା ସହ ଶରୀରର ଅନେକ ସ୍ଥାନରେ ଗୁଳି ଆଘାତ ଲାଗିଥିଲା।

୩୫ ବର୍ଷୀୟ ଅଙ୍କିତ ବାଲିୟାନ ତାଙ୍କ ଲୋକପ୍ରିୟ ଗୀତ ‘ଭାରି କୋର୍ଟ ମେଁ ଗୋଲି ମାରେଙ୍ଗେ ମେରି ଜାନ’ ପାଇଁ ପରିଚିତ ଥିଲେ। ସନ୍ଧ୍ୟା ବେଳେ ସେ ଜିମ୍‌ରୁ ବାହାରୁଥିବା ବେଳେ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଗୁଳିକାଣ୍ଡ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହତ୍ୟା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ବାଲିୟାନଙ୍କ ହତ୍ୟା ପାଇଁ ଗୋଗୀ ଗ୍ୟାଙ୍ଗ୍‌ ଦାୟିତ୍ୱ ସ୍ୱୀକାର କରିଛି। ଗ୍ୟାଙ୍ଗର ଦାବି ଅନୁସାରେ, ବାଲିୟାନ ସେମାନଙ୍କ ଶତ୍ରୁମାନଙ୍କ ସହ ସମ୍ପର୍କରେ ଥିଲେ ଏବଂ ଗ୍ୟାଙ୍ଗ୍‌ ସହ ଜଡିତ ଏକ ଘଟଣାକୁ ନେଇ ଏକ ଗୀତ ଗାଇଥିଲେ।
ଗ୍ୟାଙ୍ଗ୍‌ ସହ ସମ୍ପୃକ୍ତ ବୋଲି କୁହାଯାଉଥିବା ଭୋଲୁ ଶାହପୁରିଆର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ କରାଯାଇଥିଲା। ସେଥିରେ ଲେଖାଥିଲା, ‘ଏହା କେବଳ ଆରମ୍ଭ, ସମସ୍ତଙ୍କ ପାଳି ଆସିବ।’ ଏହାସହ ଗ୍ୟାଙ୍ଗ୍‌ ଉତ୍ତରପ୍ରଦେଶ ପୁଲିସକୁ ମଧ୍ୟ ଧମକ ଦେଇ ବାଲିୟାନଙ୍କ ହତ୍ୟା ଭଳି ଆହୁରି ଘଟଣା ଘଟିବ ବୋଲି ଚେତାବନୀ ଦେଇଛି।

ପୁଲିସ କହିଛି ଯେ, ବାଲିୟାନ ଜିମ୍‌ରେ ବ୍ୟାୟାମ ସାରି ନିଜ କାର୍‌ ନିକଟକୁ ଯାଉଥିଲେ। ଜିମ୍‌ଠାରୁ ପ୍ରାୟ ୨୦-୨୫ ମିଟର ଦୂରରେ ଥିବା ବେଳେ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳିକାଣ୍ଡରେ ୩ରୁ ୪ ଜଣ ଅଜଣା ବ୍ୟକ୍ତି ସାମିଲ ଥିବା ପୁଲିସ କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।