Badshah Confirms Separation: ବିବାହର ୫ ମାସ ପରେ ପୁଣି ଅଲଗା ହେଲେ ବାଦଶାହ; ସୋସିଆଲ ମିଡିଆରେ ଚର୍ଚ୍ଚା
ବଲିଉଡ୍ର ଲୋକପ୍ରିୟ ସିଙ୍ଗର ତଥା ରାପର ବାଦଶାହଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆସିଛି ବଡ଼ ଖବର। ବିବାହର ମାତ୍ର ୫ ମାସ ପରେ ଅଭିନେତ୍ରୀ ତଥା ମଡେଲ ଇଶା ରିଖିଙ୍କଠାରୁ ଅଲଗା ହେବା ନେଇ ବାଦଶାହ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଉଭୟେ ପରସ୍ପର ସହମତିରେ ଅଲଗା ହେବାର ନିଷ୍ପତ୍ତି ନେଇଥିବା ବାଦଶାହ କହିଛନ୍ତି।
ସୋସିଆଲ ମିଡିଆରେ କ’ଣ କହିଲେ ବାଦଶାହ?
ବାଦଶାହ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ବିବୃତି ଜାରି କରି ଛାଡ଼ପତ୍ର ସମ୍ପର୍କରେ ଜଣାଇଛନ୍ତି। ସେ କହିଛନ୍ତି, ସେ ଏବଂ ଇଶା ରିଖି ପରସ୍ପର ସହମତିରେ ଅଲଗା ହେବା ସହ ନିଜ ନିଜ ରାସ୍ତାରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରସ୍ପର ସମ୍ମାନର ସହ ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି।
ଏଥିସହ ବର୍ତ୍ତମାନ ସେମାନଙ୍କ ବ୍ୟକ୍ତିଗତ ଜୀବନ ଓ ଗୋପନୀୟତାକୁ ସମ୍ମାନ ଦେବାକୁ ବାଦଶାହ ଅନୁରୋଧ କରିଛନ୍ତି। ଏହାକୁ ନେଇ ଆଗକୁ କୌଣସି ପ୍ରକାରର କଳ୍ପନା କିମ୍ବା ଅନୁମାନ ନ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଏହି ମାମଲାରେ ଏହା ହିଁ ତାଙ୍କର ଏକମାତ୍ର ବିବୃତି ବୋଲି ସେ କହିଛନ୍ତି।
ବିବାହର କିଛି ମାସ ପରେ ହୋଇଥିଲା ମତଭେଦ:
ବାଦଶାହ ଓ ଇଶା ରିଖିଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା। ବିବାହର ପ୍ରାୟ ୩ ମାସ ପରେ ଉଭୟଙ୍କ ମଧ୍ୟରେ ମତଭେଦ ଥିବା ନେଇ ଖବର ସାମ୍ନାକୁ ଆସିଥିଲା। ତେବେ ଏହି ଗୁଜବକୁ ନେଇ ଦୁହେଁ ସେତେବେଳେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।
କିପରି ହୋଇଥିଲା ବାଦଶାହ-ଇଶାଙ୍କ ଭେଟ?
ରିପୋର୍ଟ ଅନୁସାରେ, ଏକ ବନ୍ଧୁଙ୍କ ପାର୍ଟିରେ ବାଦଶାହ ଓ ଇଶା ରିଖିଙ୍କ ପ୍ରଥମ ଭେଟ ହୋଇଥିଲା। ପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ନିକଟତା ବଢ଼ିଥିଲା ଏବଂ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। ଅନେକ ବର୍ଷ ଧରି ଦୁହେଁ ନିଜ ସମ୍ପର୍କକୁ ସାର୍ବଜନୀନ କରି ନଥିଲେ। ତଥାପି ଫ୍ୟାନ୍ମାନଙ୍କ ମଧ୍ୟରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜାରି ରହିଥିଲା। ୨୦୨୩ ମସିହାରେ ଉଭୟଙ୍କ ବିବାହକୁ ନେଇ ମଧ୍ୟ ଖବର ଆସିଥିଲା। କିନ୍ତୁ ସେତେବେଳେ ବାଦଶାହ ଏହି ଖବରକୁ ଖଣ୍ଡନ କରିଥିଲେ।
ବାଦଶାହଙ୍କର ଏହା ଦ୍ୱିତୀୟ ବିବାହ
ଇଶା ରିଖିଙ୍କ ପୂର୍ବରୁ ବାଦଶାହ ୨୦୧୨ରେ ଜ୍ୟାସମିନ୍ ମସିହଙ୍କୁ ବିବାହ କରିଥିଲେ। ୨୦୧୭ରେ ଉଭୟ ଏକ କନ୍ୟା ସନ୍ତାନର ମାତାପିତା ହୋଇଥିଲେ। ତାଙ୍କ ଝିଅଙ୍କ ନାମ ଜେସେମି ଗ୍ରେସ୍ ମସିହ ସିଂହ। ପରେ ବାଦଶାହ ଓ ଜ୍ୟାସମିନ୍ ଅଲଗା ହୋଇଥିଲେ ଏବଂ ୨୦୨୦ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା।
କିଏ ଇଶା ରିଖି?
ଇଶା ରିଖି ଜଣେ ମଡେଲ ଓ ଅଭିନେତ୍ରୀ। ତାଙ୍କ ଜନ୍ମ ୯ ସେପ୍ଟେମ୍ବର ୧୯୯୩ରେ ଚଣ୍ଡିଗଡ଼ରେ ହୋଇଥିଲା। ଚଣ୍ଡିଗଡ଼ରେ ହିଁ ତାଙ୍କ ସ୍କୁଲ ଶିକ୍ଷା ଶେଷ ହୋଇଥିବା ବେଳେ ପଞ୍ଜାବ ୟୁନିଭର୍ସିଟିରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ୧୨ଶ ଶ୍ରେଣୀରେ ପଢ଼ୁଥିବା ସମୟରୁ ଇଶା ମଡେଲିଂ ଆରମ୍ଭ କରିଥିଲେ। ପରେ ସେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ସିପ୍ପି ଗିଲ୍ଙ୍କ ସହ ‘ଜଟ୍ଟ ବଏଜ୍ ପୁଟ୍ଟ ଜଟ୍ଟାନ୍ ଦେ’ ଫିଲ୍ମ ଜରିଆରେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା। ଏହାପରେ ଅମରିନ୍ଦର ଗିଲ୍ଙ୍କ ସହ ‘ହ୍ୟାପି ଗୋ ଲକି’ ଭଳି ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି।
Badshah and Isha Rikhi announces DIVORCED after about five months of marriage
— Chota Don (@choga_don) August 31, 2026
Guys what's wrong with the couple these dates??
They said "mutually decided to part ways" and asking for privacy pic.twitter.com/IYUCnFj0fe
ବଲିଉଡ୍ରେ ମଧ୍ୟ କରିଛନ୍ତି କାମ
ପଞ୍ଜାବୀ ଫିଲ୍ମ ବ୍ୟତୀତ ଇଶା ଅନେକ ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି। ଅକ୍ଷୟ କୁମାର ଓ ସୋନମ କପୁରଙ୍କ ସହ ସେ ବିଜ୍ଞାପନ କରିଥିବା ବେଳେ ଅମିତାଭ ବଚ୍ଚନଙ୍କ ସହ ମଧ୍ୟ ଏକ ଜୁଏଲାରୀ ବ୍ରାଣ୍ଡର ବିଜ୍ଞାପନରେ ନଜର ଆସିଥିଲେ। ୨୦୧୮ରେ ‘ନବାବଜାଦେ’ ଫିଲ୍ମ ଜରିଆରେ ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ବିବାହର ମାତ୍ର ୫ ମାସ ପରେ ବାଦଶାହ ଓ ଇଶା ରିଖିଙ୍କ ଅଲଗା ହେବା ଖବର ଏବେ ଫ୍ୟାନ୍ମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।