20 SEPTEMBER 2026

Welcome!

Unlock your personalized experience.
Sign Up

Bagalamukhi Temple: ବଗଳାମୁଖୀ ମନ୍ଦିର ଯାତ୍ରାରୁ ମହାଯାତ୍ରା: ମଧ୍ୟପ୍ରଦେଶ ନାଳରେ କାର୍‌ ଭାସି ୭ ଓଡ଼ିଆଙ୍କ ସମେତ ୮ ମୃତ

Sep 20, 2026 - 03:14
Bagalamukhi Temple: ବଗଳାମୁଖୀ ମନ୍ଦିର ଯାତ୍ରାରୁ ମହାଯାତ୍ରା: ମଧ୍ୟପ୍ରଦେଶ ନାଳରେ କାର୍‌ ଭାସି ୭ ଓଡ଼ିଆଙ୍କ ସମେତ ୮ ମୃତ

ଭୁବନେଶ୍ବର: ମା’ ବଗଳାମୁଖୀଙ୍କ ଦର୍ଶନ କରି ଖୁସିରେ ଘରକୁ ଫେରିବାର ଥିଲା। ପରିବାର ଲୋକଙ୍କ ସହ ଶେଷଥର ପାଇଁ ରାତି ପ୍ରାୟ ୧୦ଟାରେ ଫୋନ୍‌ରେ କଥା ହୋଇଥିଲେ। ହେଲେ ତା’ପରେ ଆଉ କେହି ଫୋନ୍ ଉଠାଇଲେନି। ରାତି ପାହିବା ପୂର୍ବରୁ ଯେଉଁ ଯାତ୍ରା ଚିରଦିନ ପାଇଁ ଶେଷ ହୋଇଯାଇଥିଲା, ତାହାର ହୃଦୟବିଦାରକ ଖବର ସକାଳେ ଘରେ ପହଞ୍ଚିଲା। ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାରେ ମା’ ବଗଳାମୁଖୀଙ୍କ ଦର୍ଶନ ସାରି ଫେରୁଥିବାବେଳେ ନାଳର ପ୍ରଖର ଜଳସ୍ରୋତରେ କାର୍‌ ଭାସିଯାଇ ଭୁବନେଶ୍ବର ଜୟଦେବବିହାରସ୍ଥିତ ଆତ୍ମାରାମ ବସ୍ତିର ଗୋଟିଏ ପରିବାରର ୭ ଜଣଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବନମାଳି ବେହେରାଙ୍କ ପୁଅ ଶିବପ୍ରସାଦ ବେହେରା, ମଝିଆ ଝିଅ ରୀତାରାଣୀ ବେହେରା, ଜ୍ବାଇଁ ଜ୍ଞାନେନ୍ଦ୍ର ବେହେରା, ସାନଝିଅ ରାଧାରାଣୀ ବେହେରା, ନାତି ବି. ସାଇ ସ୍ବସ୍ତିକ ଓ କ୍ରିଷ୍ଣା ରାଜବୀର ଏବଂ ନାତୁଣୀ ସାଇରା ସ୍ବୟଂପ୍ରଭା। ଏମାନଙ୍କ ସହ ସ୍ଥାନୀୟ ଅଞ୍ଚଳର ଗାଡ଼ିଚାଳକ ଶ୍ୟାମସୁନ୍ଦରଙ୍କ ମଧ୍ୟ ମୃତ୍ୟୁ ଘଟିଛି। ମୃତକଙ୍କ ନିକଟତମ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିଭଳି ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଘୋଷଣା କରିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି।

Madhyapradesh: ମଧ୍ୟପ୍ରଦେଶର ଦମୋହରେ ପତ୍ନୀ ଓ ୩ ସନ୍ତାନଙ୍କୁ କୁରାଢ଼ୀରେ ହାଣି ହତ୍ୟା

ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତ ବୁଧବାର ରାତି ପ୍ରାୟ ଗୋଟାଏରେ ଶିବପ୍ରସାଦ, ତାଙ୍କ ଭଉଣୀ, ଜ୍ବାଇଁ ଓ ନାତିନାତୁଣୀ ଟ୍ରେନ୍‌ରେ ମଧ୍ୟପ୍ରଦେଶ ଯାଇଥିଲେ। ପ୍ରଥମେ ଉଜ୍ଜୟିନୀର ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ ଦର୍ଶନ କରି ହୋଟେଲ୍‌ରେ ରହିଥିଲେ। ଶନିବାର ସକାଳେ ପ୍ରାୟ ୧୪୦ କିମି ଦୂର ଅଗର ମାଲୱା ଜିଲ୍ଲାର ବଗଳାମୁଖୀ ମନ୍ଦିର ଅଭିମୁଖେ ବାହାରିଥିଲେ। ମନ୍ଦିର ଦର୍ଶନ ସାରି ରାତ୍ରିଭୋଜନ ପରେ ସମସ୍ତେ ଫେରିବାକୁ ବାହାରିଥିଲେ। ତେବେ ଦର୍ଶନ ପାଇଁ ଯିବା ସମୟରେ ଯେଉଁ ନାଳ ପାର ହୋଇଥିଲେ, ତା’ର ଚିତ୍ର ଫେରିବା ବେଳକୁ ବଦଳି ଯାଇଥିଲା। ଏହା ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ମନ୍ଦିର ନିକଟ ନାଳରେ ହଠାତ୍‌ ପାଣି ବଢ଼ିଯାଇଥିଲା। ବିଳମ୍ବିତ ରାତିରେ ଫେରିବା ବେଳେ ଗାଡ଼ିଚାଳକ ଶ୍ୟାମସୁନ୍ଦର ନାଳରେ ବଢ଼ିଥିବା ପାଣିର ସ୍ରୋତ ସମ୍ପର୍କରେ ଜାଣି ପାରିନଥିଲେ। ଫଳରେ ଉଛୁଳା ନାଳ ଭିତରକୁ କାର୍‌ ଚାଲିଯିବା ପରେ ପ୍ରଖର ଜଳସ୍ରୋତରେ ଏହା ପ୍ରାୟ ୧୦୦ ମିଟର ଭାସିଯାଇଥିଲା। ସ୍ଥାନୀୟ ପ୍ରଶାସନ ଅନୁସାରେ, ରାତି ସାଢ଼େ ଗୋଟାଏରୁ ୩ଟା ମଧ୍ୟରେ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି। ଭୋର ସମୟରେ ସ୍ଥାନୀୟ ଲୋକେ ନାଳରେ ଏକ କାର୍‌ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ କାର୍‌ ଭିତରୁ ୮ ଜଣଙ୍କୁ ନିସ୍ତେଜ ଅବସ୍ଥାରେ ଉଦ୍ଧାର କରାଯାଇ ନାଲଖେଡ଼ା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

କାର୍‌ର ଡୋର୍‌ ସେଣ୍ଟ୍ରାଲ୍‌ ଲକ୍‌ ହୋଇଯାଇଥିବାରୁ କେହି ବାହାରକୁ ବାହାରି ପାରିନଥିବା ଏବଂ ନାଳରେ ବୁଡ଼ି ସମସ୍ତଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ପ୍ରାଥମିକ ଭାବେ ଆଶଙ୍କା କରୁଛି। ତେବେ କାର୍‌ଟି ଜଳସ୍ରୋତରେ ଭାସିଯାଇଥିଲା ନା ଅନ୍ୟ କୌଣସି କାରଣରୁ ଦୁର୍ଘଟଣା ଘଟିଥିଲା, ସେ ନେଇ ସିସିଟିଭି ଫୁଟେଜ୍‌ ଯାଞ୍ଚ ସହ ତଦନ୍ତ ଜାରି ରହିଛି। ଏପଟେ ଗୋଟିଏ ପରିବାରର ୭ ଜଣଙ୍କୁ ହରାଇ ଜୟଦେବବିହାର ଆତ୍ମାରାମ ବସ୍ତିରେ ଶୋକର ଛାୟା ଖେଳିଯାଇଛି। ବନମାଳିଙ୍କ ଘର କାନ୍ଦବୋବାଳିରେ ଫାଟିପଡ଼ୁଛି। ମୃତଦେହଗୁଡ଼ିକୁ ଭୁବନେଶ୍ବର ଆଣିବା ପାଇଁ ଖୋର୍ଦ୍ଧାଜିଲ୍ଲା ପ୍ରଶାସନ ଅଗର ମାଲୱା ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶକ୍ରମେ ଓଏଏସ୍‌ ପ୍ରୀତିଶ ପଣ୍ଡାଙ୍କୁ ସ୍ବତନ୍ତ୍ର ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ଶ୍ରୀ ପଣ୍ଡାଙ୍କ ସୂଚନା ଅନୁସାରେ, ମୃତକମାନଙ୍କ ପରିଚୟ ସମ୍ପର୍କିତ ଦସ୍ତାବିଜ ସଂଗ୍ରହ କରାଯାଇ ଅଗର ମାଲୱା ଜିଲ୍ଲା ପ୍ରଶାସନକୁ ଦିଆଯାଇଛି। ଇନ୍ଦୋରରୁ ଭୁବନେଶ୍ବରକୁ ଆଜି କିମ୍ବା ଆସନ୍ତାକାଲି ସିଧାସଳଖ ବିମାନ ନଥିବାରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ୭ଟି ମୃତଦେହ ଭୁବନେଶ୍ବର ଅଣାଯାଉଛି। ଏଥିପାଇଁ ପ୍ରାୟ ୨୬ ଘଣ୍ଟା ସମୟ ଲାଗିବ। ଆସନ୍ତାକାଲି ରାତି ପ୍ରାୟ ୮ଟାରେ ମୃତଦେହ ଭୁବନେଶ୍ବରରେ ପହଞ୍ଚିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Madhyapradesh: ମଧ୍ୟପ୍ରଦେଶର ଦମୋହରେ ପତ୍ନୀ ଓ ୩ ସନ୍ତାନଙ୍କୁ କୁରାଢ଼ୀରେ ହାଣି ହତ୍ୟା

ପ୍ରକାଶଥାଉକି, ଶନିବାର ରାତି ୧୦ଟା ବେଳକୁ ପରିବାର ଲୋକେ ଶିବପ୍ରସାଦଙ୍କ ସହ ଶେଷଥର କଥା ହୋଇଥିଲେ। ଏହା ପରଠାରୁ ଫୋନ୍‌ କଲେ ମଧ୍ୟ ଶିବପ୍ରସାଦ କିମ୍ବା ଅନ୍ୟ କେହି ଫୋନ୍‌ ଉଠାଇନଥିଲେ। ରାତିତମାମ ଚିନ୍ତାରେ ରହିବା ପରେ ସକାଳେ ରାଧାରାଣୀଙ୍କ ନମ୍ବରରୁ ବନମାଳିଙ୍କ ପୁତୁରା ନିରଞ୍ଜନଙ୍କ ନିକଟକୁ ଫୋନ୍‌ ଆସିଥିଲା। ଅଗର ମାଲୱାର ଅତିରିକ୍ତ ଜିଲ୍ଲାପାଳ ନିଜର ପରିଚୟ ଦେଇ ସେହି ଫୋନ୍‌ରେ କହିଥିଲେ ଯେ ଗାଡ଼ିରେ ଥିବା ସମସ୍ତ ୮ଜଣଙ୍କର ନାଳରେ ଭାସିଯିବା କାରଣରୁ ମୃତ୍ୟୁ ଘଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।