Balasore Cyber Fraud Probe: ଅଢ଼େଇ କୋଟିର ସାଇବର ଠକେଇ, ଚାଇନା ଲିଙ୍କ୍‌ ସନ୍ଦେହ! ୩ ଗିରଫ

Oct 20, 2026 - 10:56
Balasore Cyber Fraud Probe: ଅଢ଼େଇ କୋଟିର ସାଇବର ଠକେଇ, ଚାଇନା ଲିଙ୍କ୍‌ ସନ୍ଦେହ! ୩ ଗିରଫ

ଓଡ଼ିଶାରେ ଅଢ଼େଇ କୋଟି ଟଙ୍କାର ସାଇବର ଠକେଇ ଘଟଣାରେ ଚାଇନା ଲିଙ୍କ୍‌ ସାମ୍ନାକୁ ଆସିଛି। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ। ଗିରଫଙ୍କ ମଧ୍ୟରେ ତାମିଲନାଡୁର ଜଣେ ବ୍ୟକ୍ତି ଏବଂ ଯାଜପୁରର ଦୁଇ ଜଣ ରହିଛନ୍ତି। ମ୍ୟୁଲ୍‌ ଆକାଉଣ୍ଟ ମାଧ୍ୟମରେ ଏତେ ବଡ଼ ଠକେଇ କିପରି ହେଲା ଏବଂ ଏହା ପଛରେ ଆଉ କାହାର ହାତ ରହିଛି, ସେନେଇ ତଦନ୍ତ ଜାରି ରହିଛି।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ସୋର ଥାନା ଅଞ୍ଚଳରେ ୨ କୋଟି ୫୦ ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଏହି ମାମଲାରେ ଏକ ହୋଟେଲରେ ଚଢ଼ାଉ କରି ତାମିଲନାଡୁର ହରିନାଥ କେଙ୍କୁ ଧରିଥିଲା ପୋଲିସ।

ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ହରିନାଥ ୨୦୦୫ ମସିହାରୁ ଚୀନରେ ରହୁଥିଲେ। ଚୀନରେ ରହୁଥିବା ତାଙ୍କ ମାଲିକଙ୍କ ନିର୍ଦ୍ଦେଶରେ ସେ ବାଲେଶ୍ୱର ଆସି ମ୍ୟୁଲ୍‌ ଆକାଉଣ୍ଟ ମାଧ୍ୟମରେ ଠକେଇ କରିଥିବା ଜଣାପଡ଼ିଛି।

ମ୍ୟୁଲ୍‌ ଆକାଉଣ୍ଟରେ ଟଙ୍କା କାରବାର, ଯାଜପୁରରୁ ଆଉ ୨ ଗିରଫ

ଠକେଇରେ ବ୍ୟବହୃତ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ତଦନ୍ତ କରିବା ପରେ ସେଗୁଡ଼ିକ ସହ ଜଡ଼ିତ ବ୍ୟକ୍ତିଙ୍କ ପରିଚୟ ମିଳିଥିଲା। ଏହା ପରେ ପୋଲିସ ଯାଜପୁରରୁ ବସନ୍ତ କୁମାର ଜେନା ଓ ଝରଣା ଜେନାଙ୍କୁ ଗିରଫ କରିଥିଲା।

ଏହି ମାମଲାରେ ଗିରଫ ତିନି ଅଭିଯୁକ୍ତ ହେଲେ ହରିନାଥ କେ, ବସନ୍ତ କୁମାର ଜେନା ଓ ଝରଣା ଜେନା। ସେମାନଙ୍କଠାରୁ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି।

ଠକେଇ ପଛରେ ଆଉ କିଏ?

ଏହି ଘଟଣାରେ ଚାଇନାରେ ରହୁଥିବା ମାଲିକଙ୍କ ଭୂମିକାକୁ ନେଇ ଗୁରୁତ୍ୱର ସହ ତଦନ୍ତ କରାଯାଉଛି। ଠକେଇରେ ବ୍ୟବହୃତ ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ଟଙ୍କା କେଉଁଠାକୁ ଯାଇଥିଲା ଏବଂ ଏହି ନେଟୱର୍କରେ ଆଉ କେଉଁମାନେ ସାମିଲ ଅଛନ୍ତି, ତାହା ଜାଣିବାକୁ ପୋଲିସ ଉଦ୍ୟମ କରୁଛି।

ଅଢ଼େଇ କୋଟି ଟଙ୍କାର ଏହି ଠକେଇ ପଛରେ ଥିବା ପୂରା ନେଟୱର୍କର ପର୍ଦ୍ଦାଫାସ କରିବା ପୋଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ। ତଦନ୍ତ ଆଗକୁ ବଢ଼ିବା ସହ ଏହି ମାମଲାରେ ଆହୁରି ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।