Bangladesh Faces Worst Power Crisis: ଭୟଙ୍କର ବିଦ୍ୟୁତ ସଙ୍କଟରେ ବାଂଲାଦେଶ, ୮ରୁ ୧୦ ଘଣ୍ଟା ବିଜୁଳି ଗାଏବ
ବାଂଲାଦେଶରେ ଭୟଙ୍କର ବିଦ୍ୟୁତ ସଙ୍କଟ। ରାଜଧାନୀ ଢାକା ବାହାରେ ଅନେକ ଅଞ୍ଚଳରେ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଲୋଡ୍ଶେଡିଂ ହେଉଛି। ତୀବ୍ର ଗରମ ମଧ୍ୟରେ ଘଣ୍ଟା ଘଣ୍ଟା ବିଜୁଳି ନଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି।
ଦେଶରେ ବିଦ୍ୟୁତ ଚାହିଦା ପ୍ରାୟ ୧୮ ହଜାର ମେଗାୱାଟ୍ ଥିବାବେଳେ ଯୋଗାଣ ୧୩ ହଜାର ମେଗାୱାଟ୍କୁ ମଧ୍ୟ ପହଞ୍ଚୁନାହିଁ। ମୁଖ୍ୟ କାରଣ ହେଉଛି ପ୍ରାକୃତିକ ଗ୍ୟାସର ଅଭାବ। LNG ଯୋଗାଣରେ ବାଧା ଏବଂ ଖରାପ ପାଗ ଯୋଗୁଁ ଜାହାଜରୁ ଗ୍ୟାସ ରିଲିଜ ହୋଇନପାରିବା ସଙ୍କଟକୁ ଆହୁରି ବଢ଼ାଇଛି।
ଏହାର ପ୍ରଭାବ କେବଳ ଘରେ ନୁହେଁ, କୃଷି, ରେଷ୍ଟୁରାଣ୍ଟ ଓ ଶିଳ୍ପ ଉପରେ ମଧ୍ୟ ପଡ଼ିଛି। ବିଶେଷକରି ଚିଙ୍ଗୁଡ଼ି ଚାଷୀମାନେ ବିଦ୍ୟୁତ ନଥିବାରୁ ଏରେଟର ଚଳାଇପାରୁନାହାନ୍ତି, ଫଳରେ ଚିଙ୍ଗୁଡ଼ି ଚାଷ ବିପଦରେ ପଡ଼ିଛି।
ସଙ୍କଟ ମଧ୍ୟରେ ବିଦ୍ୟୁତ ବଞ୍ଚାଇବାକୁ ରାତି ୮ଟା ସୁଦ୍ଧା ଦୋକାନ, ବଜାର ଓ ସପିଂ ମଲ୍ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେତେକ ସ୍ଥାନରେ ଲୋଡ୍ଶେଡିଂକୁ ନେଇ ବିଦ୍ୟୁତ କେନ୍ଦ୍ରରେ ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ ଖବର ମଧ୍ୟ ଆସିଛି।
ସବୁଠାରୁ ବଡ଼ କଥା, ଏହି ସଙ୍କଟରୁ ତୁରନ୍ତ ଆଶ୍ବସ୍ତି ପାଇଁ ଏବେ ଭାରତର ସହାୟତା ଚାହିଁଛି ବାଂଲାଦେଶ। ଭାରତଠାରୁ ଅତିରିକ୍ତ ଡିଜେଲ୍ ଯୋଗାଣ ପାଇଁ ଅନୁରୋଧ କରାଯାଇଛି। ତେବେ ଦୀର୍ଘମିଆଦି ସମାଧାନ ପାଇଁ ଆମଦାନୀ ନିର୍ଭରତା କମାଇବା ହିଁ ଢାକା ପାଇଁ ବଡ଼ ଚ୍ୟାଲେଞ୍ଜ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।