Bargarh Child Murder Case: ମାଛ ଧରିବା ବେଳେ ମହାଭାରତ ! ୭ ବର୍ଷର ଶିଶୁକୁ ଗାମୁଛାରେ ତଣ୍ଟି ଚିପି ହତ୍ୟା ଅଭିଯୋଗ
କଅଁଳ ବୟସରେ ହତ୍ୟା।
ମାଛ ପାଇଁ ୭ ବର୍ଷର ବାଳକକୁ ମର୍ଡର।୧୩ ବର୍ଷ ବୟସରେ ହତ୍ୟାକାରୀ ସାଜିଲା ନାବାଳକ।
ଏଠି ଉଭୟ ହତ୍ୟାକାରୀ ଓ ହତ୍ୟାର ଶିକାର ଦୁହେଁ ଏତେ କମ ବୟସର।
ମାରିଥିବା ପିଲାକୁ ମାତ୍ର ୧୩ ବର୍ଷ ।
ଆଉ ଯାହାକୁ ହତ୍ୟା କରାଯାଇଛି ତା ବୟସ ଜମାରୁ ୭ ।
ଜଣେ ଜୀବନ କଣ ବୁଝିବା ପୂର୍ବରୁ ମରିଯାଇଛି ତ ଅନ୍ୟ ଜଣେ ଏବେ ସ୍କୁଲ କ୍ଲାସ ରୁମରେ ବସିବା ବୟସରେ ବାଳ ସୁଧାର ଗୃହରେ ବନ୍ଦୀ ।
ଆଉ ଏତେ ସବୁ କାଣ୍ଡ ଘଟିଯାଇଛି ସାମାନ୍ୟ ଗୋଟିଏ ଛୋଟିଆ ମାଛ ପାଇଁ ।
ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ ।
Advertisment ଗାଁରେ ଥିବା ପୋଖରୀକୁ ମାଛ ଧରିବାକୁ ଯାଇଥିଲେ ଗାଁର କିଛି କୁନି କୁନି ପିଲା ।
ସେମାନଙ୍କ ମଧ୍ୟରେ ଉଭୟ ଅଭିଯୁକ୍ତ ଓ ମୃତ ନାବାଳକ ଦୁହେଁ ବି ଥିଲେ ।
ପୋଖରୀରେ ବନିଶୀ ପକାଇ ଉଭୟ ମାଛ ଧରୁଥିଲେ ।
ପାଖାପାଖି ବସି ମାଛ ଧରିବା ବେଳେ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ହୋଇଥିଲା ।
କିଛି ସମୟ ପରେ ଉଭୟ ଝଗଡ଼ା ବନ୍ଦ କରି ମାଛ ଧରିବାରେ ଲାଗିଥିଲେ ।
ଏହା ପରେ ମୃତକର ବଡ଼ ଭାଇ ଏବଂ ଆଉ ଜଣେ ଘରକୁ ଖାଇବାକୁ ପଳାଇଥିବା ବେଳେ ମୌକା ଦେଖି ୭ ବର୍ଷର ବାଳକକୁ ହତ୍ୟା କରିଥିଲା ୧୩ ବର୍ଷର ନାବାଳକ ।
ବେକକୁ ଗାମୁଛାରେ ଚାପି ଧରି ମାରିବା ପରେ ମୃତଦେହକୁ ଏକ ବୁଦାମୂଳେ ପକାଇ ପଳାଇ ଯାଇଥିଲା ।
ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଅ ଘରକୁ ନଫେରିବାରୁ ପରିବାର ଲୋକ ଥାନାରେ ଏତଲା କରିଥିଲେ ।
ପରଦିନ ଗାଁ ପାଖ ବୁଦାରୁ ମିଳିଥିଲା ମୃତ ନାବାଳକର ଶବ ।
ଅନ୍ୟପକ୍ଷରେ ଅଭିଯୁକ୍ତ ନାବାଳକକୁ ହେପାଜତକୁ ନେଇ ପୋଲିସ ପଚରାଉଚରା କରୁଥିବା ବେଳେ ଘଟଣାରେ ଆଉ କିଛି ଲୋକଙ୍କର ସଂପୃକ୍ତି ଥାଇପାରେ ବୋଲି ଅଭିଯୋଗ କରିଛନ୍ତି ପରିବାର ଓ ସଂପର୍କୀୟ ।
ଉଚିତ ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ଗ୍ରାମବାସୀ ବିଜେପୁର ଥାନା ଆଗରେ ମୃତଦେହ ରଖି ବିକ୍ଷୋଭ କରିଛନ୍ତି ।
ଅଭିଯୁକ୍ତମାନଙ୍କୁ ଫାଶି ଦେବାକୁ ମୃତକଙ୍କ ମା' ଦାବି କରିଥିବା ବେଳେ ତଦନ୍ତ ଜାରି ରହିଥିବା କହିଛନ୍ତି ଏସଡିପିଓ ।
ସାମାନ୍ୟ ମାଛଟିଏ ପାଇଁ ଦୁଇ ନାବାଳକଙ୍କ ମଧ୍ୟରେ ଝଗଡ଼ା ଏବଂ ଜଣେ ଅନ୍ୟ ଜଣକୁ ହତ୍ୟା କରିବା ଘଟଣା ସାରା ବରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।