03 NOVEMBER 2026

Welcome!

Unlock your personalized experience.
Sign Up

Bargarh Market: ସୁଧୁରୁନି ହାଟ ଅବ୍ୟବସ୍ଥା: ନାଲିଫିତା ତଳେ ବଡ଼ଗଡ଼ ହାଟ ବିକାଶ

Nov 03, 2026 - 09:28
Bargarh Market: ସୁଧୁରୁନି ହାଟ ଅବ୍ୟବସ୍ଥା: ନାଲିଫିତା ତଳେ ବଡ଼ଗଡ଼ ହାଟ ବିକାଶ

ଭୁବନେଶ୍ବର: ୪୫ ନମ୍ବର ୱାର୍ଡରେ ଆସୁଥିବା ୪୦ ବର୍ଷର ବଡ଼ଗଡ଼ ହାଟରେ ନିତି ବଡ଼ବଡ଼ିଆଙ୍କ ଭିଡ଼ ଲାଗେ। ଆଇଏଏସ୍‌, ଆଇପିଏସ୍‌ଙ୍କ ଘରକୁ ପନିପରିବାଠାରୁ ଆରମ୍ଭ କରି ମାଛ, ମାଂସ ଓ ଅନ୍ୟାନ୍ୟ ସାମଗ୍ରୀ ଏଇଠୁ ଯାଏ। କିନ୍ତୁ ରାଜନୀତିର ପଶାପାଲିରେ ଝୁଲିଛି ଏହି ହାଟର ବିକାଶ। ଟେଣ୍ଡର ସରି ମୁଖ୍ୟମନ୍ତ୍ରୀ ଏହାକୁ ଶିଳାନ୍ୟାସ କରି ସାରିଥିଲେ ବି ନଗର ଉନ୍ନୟନ ବିଭାଗ ଏହି ଫାଇଲ୍‌ ଚପାଇ ରଖିଛି।  ଏଣୁ ହାଟ ଭଙ୍ଗାଯାଇ ପାରୁନି କି ଉନ୍ନତୀକରଣ କାମ ଆରମ୍ଭ ହୋଇପାରୁନି। ୨୦୧୯ ମସିହାରେ ହାଟ କୋଠାକୁ ପୂର୍ତ୍ତ ବିଭାଗ ବିପଦସଂକୁଳ ଘୋଷଣା ସାରିଥିଲେ ବି ଦୋକାନୀମାନେ ପୂର୍ବଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଭଗ୍ନ କୋଠା ତଳେ ବେପାର କରୁଛନ୍ତି। ବର୍ଷା ହେଲେ ଛାତରୁ ପାଣି ଗଳୁଛି। ତଥାପି ପେଟପାଟଣା ପାଇଁ ଦୋକାନୀମାନଙ୍କୁ ଏହି ଭଙ୍ଗା ଘରେ ପଡ଼ି ରହିବାକୁ ବାଧ୍ୟ କରୁଛି।

Climate: ମୃତପ୍ରାୟ ଅବସ୍ଥାରେ ରାମ୍‌କି କାରଖାନାରୁ ନିର୍ଗତ ବିଷାକ୍ତ ରାସାୟନିକ ବର୍ଜ୍ୟ ପ୍ରଭାବରୁ ୧୦ ହଜାର ଅର୍ଜୁନ ଗଛ

ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କଲେ, ତଥାପି ମଞ୍ଜୁରି ମିଳୁନି
୭ ବର୍ଷ ହେଲାଣି ବିପଦସଂକୁଳ କୋଠାରେ ବେପାର

ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବଡ଼ଗଡ଼ ହାଟର ନିର୍ମାଣ କରାଯାଇଥିଲା। ୧୯୮୪ ମସିହାରେ ହାଟ ନିର୍ମାଣର ଶୁଭ ଦିଆଯାଇଥିଲା ଓ ୧୯୮୯ ମସିହାରେ ହାଟର ଶୁଭାରମ୍ଭ ହୋଇଥିଲା। ‌ହାଟ ଆରମ୍ଭ ସମୟରେ ବିଏମ୍‌ସିଏଠାରେ ୫୬ଟି ଦୋକାନ ଭଡ଼ାରେ ଦେଇଥିଲା। ପରେ ୨୦୧୧ ମସିହା ସ୍ବାୟତ୍ତ ଶାସନ ଦିବସରେ ପନିପରିବା ଓ ଅନ୍ୟ ସାମଗ୍ରୀ ବିକ୍ରିବଟା ପାଇଁ ୨୮ଟି ପିଣ୍ଡି ନିର୍ମାଣ କରାଯାଇଥିଲା। ହାଟରେ ମତ୍ସ୍ୟସଂପଦ ବିଭାଗ ପକ୍ଷରୁ ବି ୮ଟି ମାଛଦୋକାନ ଖୋଲିଛି। କଳ୍ପନା ଛକରୁ ଉଚ୍ଛେଦ ମାଛ ଦୋକାନୀମାନେ ଏଠାରେ ଥଇଥାନ ହୋଇଛନ୍ତି। ପିଣ୍ଡି ଓ ମାଛଦୋକାନ ସ୍ଥିତି ଭଲ ଥିଲେ ବି ୫୬ଟି ଦୋକାନ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ବେଳେ ବେଳେ ଛାତର ସିମେଣ୍ଟ ଛେଲା ଦୋକାନୀଙ୍କ ଉପରେ ପଡ଼ୁଛି। ସ୍ଥାନୀୟ କର୍ପୋରେଟର ତଥା ବଡ଼ଗଡ଼ ହାଟ ବ୍ୟବସାୟୀ ସଂଘ ସଭାପତି ଅମରେଶ ଜେନା କହିଛନ୍ତି, ହାଟର ଟେଣ୍ଡର ସରିଛି ଓ କାର୍ଯ୍ୟାଦେଶ ବି ଦିଆସରିଛି। ଏହି ଫାଇଲ୍‌ ନଗର ଉନ୍ନୟନ ବିଭାଗକୁ ମଞ୍ଜୁରି ପାଇଁ ପଠାଯାଇଛି। ନଗର ଉନ୍ନୟନ ବିଭାଗ ମଞ୍ଜୁରି ଦେଲେ କାମ ଆରମ୍ଭ ହେବ। କିନ୍ତୁ ଅଦ୍ୟାବଧି ନଗର ଉନ୍ନୟନ ବିଭାଗ ଏହାକୁ ମଞ୍ଜୁରି ଦେଉନି। ଫାଇଲ୍‌କୁ ଚାପି ରଖିଛି। ଏଣୁ କାମ ଆରମ୍ଭ ହୋଇପାରୁନି।

୨୧.୧୩ କୋଟିର ମାର୍କେଟ୍‌ କଂପ୍ଲେକ୍ସ, ଖୋଲିବ ୨୭୦ ଦୋକାନ
ପ୍ରାୟ ୨୧.୧୧ କୋଟି ଟଙ୍କାରେ ପ୍ରାୟ ୭୦ହଜାର ବର୍ଗଫୁଟ ଅଞ୍ଚଳରେ ବଡ଼ଗଡ଼ ହାଟର ବିକାଶ ଭିନ୍ନ ଢଙ୍ଗରେ କରାଯିବ। ଏଠାରେ ଲୋୟର ଗ୍ରାଉଣ୍ଡ୍‌, ଅପର ଗ୍ରାଉଣ୍ଡ୍‌, ପ୍ରଥମ ମହଲା ଓ ଦ୍ବିତୀୟ ମହଲା, ଏଭଳି ଚାରିମହଲା କୋଠା ନିର୍ମାଣ କରାଯିବ। ପନିପରିବା, ମାଛ, ପୂଜା ସାମଗ୍ରୀ ଆଦି ପାଇଁ ୨୭୦ଟି ଭିନ୍ନଭିନ୍ନ ଦୋକାନ ଘର ସାଙ୍ଗକୁ କିଓସ୍କ ଓ ପିଣ୍ଡି ଯୋଜନା ରହିଛି। ପୂର୍ବରୁ ଦୋକାନ ଘର ସଂଖ୍ୟା ୫୬ ଥିବାବେଳେ ନୂଆ ପ୍ରକଳ୍ପରେ ୯୨ଟି ଦୋକାନ ଖୋଲାଯିବ। ପନିପରିବା ପାଇଁ ୭୫ଟି, ଫଳ ପାଇଁ ୧୦ଟି ଓ ମାଛ ପାଇଁ ୪୦ଟି ପିଣ୍ଡି କରାଯିବ। ଚିକେନ୍‌ ପାଇଁ ୨୦ଟି ଓ ମଟନ୍‌ ପାଇଁ ୬ଟି କିଓସ୍କ କରାଯିବ। ପୂଜା ସାମଗ୍ରୀ ପାଇଁ ୮ଟି, କ୍ଷୀର ସାମଗ୍ରୀ ପାଇଁ ୫ଟି, ଜଳଖିଆ ପାଇଁ ୧୪ଟି କିଓସ୍କ କରାଯିବ। ଛାତ ଉପରେ ରେସ୍ତୋରାଁ ବ୍ୟବସ୍ଥା ହେବ। ମାର୍କେଟ୍‌ କଂପ୍ଲେକ୍ସ ତଳେ ୮୦ଟି ବାଇକ୍‌ ପାର୍କିଂର ବ୍ୟବସ୍ଥା ରହିବ। ସମ୍ମୁଖ ଭାଗରେ ୭.୫ ମିଟର ଓ ଚତୁର୍ପାର୍ଶ୍ବରେ ପ୍ରାୟ ୬ ମିଟର ଚଉଡ଼ା ଯା’ଆସ ରାସ୍ତା ରହିବ। ୨୧.୧୩ କୋଟିରୁ ମାର୍କେଟ୍‌ କଂପ୍ଲେକ୍ସ ନିର୍ମାଣରେ ୯.୮୩ କୋଟି ଟଙ୍କା, ହାଟ ନିର୍ମାଣରେ ୧.୪୪ କୋଟି ଟଙ୍କା ଓ ପାଣି, ବିଜୁଳି ସହ ଅନ୍ୟ ଭିତ୍ତିଭୂମି ପ୍ରସ୍ତୁତିରେ ୧୯.୩୯ କୋଟି ଟଙ୍କା ଖର୍ଚ୍ଚ କରାଯିବ।

୩୫ ବର୍ଷର ପଳାଶୁଣୀ ହାଟ, ଆଡ଼ଆଖିରେ ଅନାଉନାହାନ୍ତି

ଭୁବନେଶ୍ବର: ହାଟ ପରମ୍ପରା ଏବେ ବି ରାଜଧାନୀ ଭୁବନେଶ୍ବରରେ ବଞ୍ଚି ରହିଛି। ଏ ଭିତରେ ପଳାଶୁଣୀ ହାଟ ଅନ୍ୟତମ। କିନ୍ତୁ ୩୫ ବର୍ଷର ଏହି ପୁରୁଣା ହାଟକୁ ଭୁବନେଶ୍ବର ମହାନଗର ନିଗମ ଆଡ଼ ଆଖିରେ ଅନାଉନି। ୫ ବର୍ଷ ତଳେ ଏହି ହାଟର ସ୍ଥାନାନ୍ତରଣ ଓ ବିକାଶ କଥା ଚିନ୍ତା କରାଯାଇଥିଲା। ଏଥିପାଇଁ ଜାଗା ବି ଚିହ୍ନଟ ହେଲା। ସ୍ଥାନୀୟ ନେତାମାନେ ଏ ନେଇ ଅନେକ ସ୍ବପ୍ନ ଦେଖାଇଲେ। କିନ୍ତୁ ଏହା ପ୍ରହେଳିକା ପାଲଟିଛି। ଏବେ ବି ନୂଆ ଜାଗାକୁ ହାଟ ସ୍ଥାନାନ୍ତର ହେବ କହି ଭଣ୍ଡାଇ ଚାଲିଛନ୍ତି। ପରିଣାମ ସ୍ବରୂପ ପ୍ରତିଦିନ ‌ହାଟ ରାସ୍ତାରେ ଅସମ୍ଭାଳ ଭିଡ଼ ଲାଗୁଛି। ଯେଉଁଦିନ ହାଟ ବସୁଛି, ସ୍ଥିତି ଅଣାୟତ୍ତ ହୋଇପଡ଼ୁଛି। ଘଣ୍ଟା ଘଣ୍ଟା ଲୋକେ ଭିଡ଼ରେ ଫସୁଛନ୍ତି।

Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ଭାରତ ‘ଏ’ ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ

ଭୁବନେଶ୍ବର-କଟକ ଜାତୀୟ ରାଜପଥର ପଳାଶୁଣୀ ଛକକୁ ଲାଗି ଦୟା କେନାଲ୍‌ ରୋଡ୍‌ରେ ଚାଲିଛି ପଳାଶୁଣୀ ହାଟ। ବିଏମ୍‌ସିର ୧୮ ନମ୍ବର ୱାର୍ଡରେ ଆସୁଥିବା ଏହି ହାଟ ଉପରେ ପଳାଶୁଣୀ, ଜିଜିପ କଲୋନି, ରସୁଲଗଡ଼, ଭିଏସ୍‌ଏସ୍‌ ନଗର ଆଦି ଅଞ୍ଚଳର ଲୋକେ ନିର୍ଭରଶୀଳ। ଭୁବନେଶ୍ବର ଉପକଣ୍ଠ ଅଞ୍ଚଳ ସହ ପଡ଼ୋଶୀ ଜିଲ୍ଲାର ଚାଷୀମାନେ ଆସି ଏଠାରେ ତାଜା ପନିପରିବା ସାଙ୍ଗକୁ ‌ତେଜରାତି ଓ ଅନ୍ୟାନ୍ୟ ବେପାରର ପସରା ଖୋଲନ୍ତି। ସୋମବାର ଓ ଶୁକ୍ରବାର ଏଠାରେ ହାଟ ବସେ। ସଂଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବେପାର ଜମେ। ଦୈନିକ ଅଳ୍ପ କିଛି ଦୋକାନୀ ଏଠାକୁ ବେପାର ପାଇଁ ଆସୁଥିବାବେଳେ ହାଟ ଦିନ ୩ଶହରୁ ଅଧିକ ଦୋକାନୀ, ବେପାରର ପସରା ମେଲାଇଥାନ୍ତି। କିନ୍ତୁ ହାଟ ପାଳି ହେଉ କି ଅନ୍ୟ ଦିନ, ଏଠାରେ ଅସମ୍ଭାଳ ଭିଡ଼ ଜମୁଛି। ସେପଟେ ପାର୍କିଂ ପାଇଁ ଜାଗା ନ ଥିବାରୁ ଗ୍ରାହକମାନେ ରାସ୍ତାରେ ଗାଡ଼ି ପାର୍କିଂ କରୁଛନ୍ତି। ଯାହା ଅଞ୍ଚଳବାସୀଙ୍କୁ ଅସୁବିଧାରେ ପକାଉଛି। ନିକଟରେ ବିଏମ୍‌ସି କମିସନର ବି  ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ ଫଳଶୂନ।

ନୂଆ ଜାଗା ପାଇଁ ୫ ବର୍ଷ ହେଲା ଭଣ୍ଡାଉଛନ୍ତି
ପ୍ରତିଦିନ ଭିଡ଼ରେ ଅଣନିଃଶ୍ବାସୀ ଲୋକେ
କମିସନର୍‌ ବୁଲି ସ୍ଥିତି ଦେଖିଲେ, ଭୁଲିଗଲେ

ପଳାଶୁଣୀ ମା’ ଚଣ୍ଡେଶ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ରମେଶ ସାହୁ କହିଛନ୍ତି, ଭିଡ଼ ହେବାର ପ୍ରମୁଖ କାରଣ ହେଉଛି, ପ୍ରାଚୀବିହାର ଓ ଆଖପାଖ ଅଞ୍ଚଳବାସୀ ହାଟ ଭିତର ଦେଇ ଯାଆସ କରୁଛନ୍ତି। କାର, ତିନିଚକିଆ, ବାଇକ୍‌, ବେଳେ ବେଳେ ଟ୍ରକ୍‌ ବି ଯାଉଛି। ହାଟ ଦିନ ହାଟ ଦେଇ ଗାଡ଼ିମୋଟର ପଶୁଥିବାରୁ ଅଯଥା ଭିଡ଼ ହେଉଛି। ଏ ସଂପର୍କରେ ବିଏମ୍‌ସି, କମିସନରେଟ୍‌ ପୁଲିସକୁ ବାରମ୍ବାର କହି ସାରିଲୁଣି। ଏପରିକି ହାଟ ଭିତରେ ନ ପଶି ଅନ୍ୟ ରାସ୍ତା ପଟେ ପଳାଶୁଣୀ ଛକକୁ ବାହାରିବା ବ୍ୟବସ୍ଥା କରିବାକୁ ଅନୁରୋଧ କରି ଆସୁଛୁ। କିନ୍ତୁ କେହି ସହଯୋଗ କରୁନାହାନ୍ତି। ଅପରପକ୍ଷେ ପଳାଶୁଣୀ ହାଟକୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ ନିକଟସ୍ଥ ବୁଢ଼ାବୁଢ଼ୀ ପଡ଼ିଆକୁ ଘୁଞ୍ଚାଇନେବାକୁ ୫ ବର୍ଷ ତଳୁ ଯୋଜନା ହେଲାଣି। ଏଠାରେ ପ୍ରାୟ ୨.୫ ଏକର ଜମି ବି ଚିହ୍ନଟ ସରିଛି। କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।