Bijnor Maulvi Arrested Over Loud Azaan: ନିର୍ଦ୍ଧାରିତ ସୀମାଠାରୁ ଅଧିକ ଶବ୍ଦରେ ଆଜାନ୍ ବଜାଇ ମୌଲବୀ ଗିରଫ, ଜବତ ହେଲା ଲାଉଡ୍ସ୍ପିକର
ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାରେ ନିର୍ଦ୍ଧାରିତ ମାନଦଣ୍ଡରୁ ଅଧିକ ଜୋରରେ ଲାଉଡସ୍ପିକରରେ ଆଜାନ୍ ବଜାଇବା ଅଭିଯୋଗରେ ଜଣେ ମୌଲବୀଙ୍କୁ ଗିରଫ କରାଯାଇଛି।
ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାର ନାଜିବାବାଦ ଅଞ୍ଚଳରେ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଉମେଶ ପ୍ରତାପ ସିଂହ ଏବଂ ପୁଲିସ ଅଧୀକ୍ଷକ (ଏସପି) କ୍ରିଷନ କୁମାର ବିଷ୍ଣୋଇ ଏକ ଜନସାଧାରଣ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ରାସ୍ତାରେ ମକବରା ଅଞ୍ଚଳର ଏକ ମସଜିଦରୁ ଅଧିକ ଜୋରରେ ଆଜାନ୍ ଶବ୍ଦ ଶୁଣିବାକୁ ପାଇଥିଲେ।
ଏହା ଦେଖି ଏସ୍ପି ତୁରନ୍ତ ସ୍ଥାନୀୟ ପୁଲିସକୁ ଘଟଣାସ୍ଥଳକୁ ଡକାଇଥିଲେ। ପୁଲିସ ମସଜିଦରେ ଲାଗିଥିବା ଲାଉଡସ୍ପିକରକୁ ଜବତ କରିବା ସହ ମସଜିଦର ମୌଲବୀ ମହମ୍ମଦ ଫୈଜାନଙ୍କୁ ଗିରଫ କରିଥିଲା।
ପୁଲିସର ଅଭିଯୋଗ କ୍ରମେ ନାଜିବାବାଦ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ଅଭିଯୁକ୍ତ ମୌଲବୀଙ୍କୁ ସବ୍-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସଡିଏମ୍) କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଯାଇଛି।
ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଧାର୍ଯ୍ୟ ମାନଦଣ୍ଡ କିମ୍ବା ଶବ୍ଦ ସୀମାଠାରୁ ଅଧିକ ଜୋରରେ କୌଣସି ବି ଧର୍ମାନୁଷ୍ଠାନରେ ଲାଉଡସ୍ପିକର ବଜାଇବାକୁ ଦିଆଯିବ ନାହିଁ। ଜିଲ୍ଲାର ସମସ୍ତ ଥାନା ଅଧିକାରୀମାନଙ୍କୁ ସତର୍କ କରାଯାଇଛି ଯେ, ସେମାନଙ୍କ ଅଞ୍ଚଳରେ ଯେପରି କୌଣସି ଧାର୍ମିକ ସ୍ଥାନରେ ନିୟମ ଉଲ୍ଲଂଘନ ହୋଇ ଉଚ୍ଚ ସ୍ୱରରେ ଲାଉଡସ୍ପିକର ନ ବାଜେ। ଯଦି ଏହାର ବ୍ୟତିକ୍ରମ ହୁଏ, ତେବେ ସମ୍ପୃକ୍ତ ଥାନା ଅଧିକାରୀ ଏବଂ ବିଟ୍ କନଷ୍ଟେବଳଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ବିଜନୋର ପ୍ରଶାସନ ଜିଲ୍ଲାର ବିଭିନ୍ନ ଧାର୍ମିକ ସ୍ଥଳରେ ନିର୍ଦ୍ଧାରିତ ଶବ୍ଦସୀମାଠାରୁ ଅଧିକ ଶବ୍ଦରେ ଚାଲୁଥିବା ଲାଉଡ୍ସ୍ପିକର ବିରୋଧରେ ଅଭିଯାନ କରିଥିଲା। ଏହି ଅଭିଯାନରେ ୧,୩୨୩ଟି ମସଜିଦ, ୧,୧୧୬ଟି ମନ୍ଦିର ଓ ୭୦ଟି ଗୁରୁଦ୍ୱାରରୁ ଲାଉଡ୍ସ୍ପିକର ହଟାଯାଇଥିଲା। ଅନ୍ୟ ଲାଉଡ୍ସ୍ପିକରଗୁଡ଼ିକୁ ମଧ୍ୟ ନିୟମ ଅନୁସାରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।