Biju Patnaik Sports Glory-2026: ବିଜୁ ପଟ୍ଟନାୟକ କ୍ରୀଡ଼ା ଗୌରବ-୨୦୨୬

Aug 30, 2026 - 05:04
Biju Patnaik Sports Glory-2026: ବିଜୁ ପଟ୍ଟନାୟକ କ୍ରୀଡ଼ା ଗୌରବ-୨୦୨୬

"ପ୍ରଣତି ମିଶ୍ରଆଜୀବନ ସେବା ସମ୍ମାନ ପ୍ରଣତି ମିଶ୍ରଙ୍କ ପ୍ରତିଷ୍ଠା ଓ ପରାକାଷ୍ଠାକୁ ନେଇ ଖୁବ୍ କ୍ବଚିତ୍‌ ଚର୍ଚ୍ଚା ହୁଏ।

ପ୍ରଣତିଙ୍କୁ ଓଡ଼ିଶାର ମହିଳା ଖେଳାଳିଙ୍କ ଅମଡ଼ା ବାଟର ପଥିକ କହିଲେ ବି ଅତ୍ୟୁକ୍ତି ହେବନାହିଁ।

ଅଶୀ ଦଶକରେ ବଲାଙ୍ଗୀର ଭଳି ଅନୁନ୍ନତ ଜିଲ୍ଲାରୁ ଖେଳକୁଦକୁ ଆସି ଅନ୍ତର୍ଜାତୀୟ ମଇଦାନରେ ଓଡ଼ିଶାର ଗୌରବ ବଢ଼ାଇବା କିଛି କମ୍‌ ବଡ଼ କଥା ନଥିଲା।

ପ୍ରଥମ ଓଡ଼ିଶା ମହିଳା ଭାବେ ଏସୀୟ କ୍ରୀଡ଼ା ପଦକ ଜିତିଥିଲେ।

ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ଏକାଧିକ ଥର ୧୦୦, ୨୦୦, ୪୦୦ ମିଟର୍‌ରେ ଅପ୍ରତିଦ୍ବନ୍ଦ୍ବୀ ରହିବା ପରେ ୧୯୯୦ ବେଜିଂ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟୀ ଭାରତୀୟ ରିଲେ ଦଳର ଅନ୍ୟତମ ସଦସ୍ୟା ଥିଲେ।

ସେ ସମୟର ଚର୍ଚ୍ଚିତ ଚେହେରା ତଥା କିବଂଦନ୍ତି ଖେଳାଳି ପିଟି ଉଷା, ଶାନ୍ତିମୋଲ ଫିଲିପ୍ସ, କେ ସାରମ୍ମା ଓ ପ୍ରଣତି ମିଶ୍ରଙ୍କୁ ନେଇ ଗଠିତ ୪ ଗୁଣା ୪୦୦ ମିଟର୍ ରିଲେ ଦଳ ରୌପ୍ୟ ପଦକ ଜିତିଥିଲା।

ପରମିଟ୍‌ ମିଟ୍‌ରୁ ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଜିତିଥିଲେ ୧୯୮୭-୮୯ ଦୁଇ ଋତୁରେ।

୧୯୮୮ରୁ ୧୯୯୦ କ୍ରମାଗତ ଦୁଇବର୍ଷ ଜାତୀୟ ବରିଷ୍ଠ ଦୌଡ଼କୁଦରେ ୪୦୦ ମିଟର ସ୍ବର୍ଣ୍ଣ ଓ ୨୦୦ ମିଟର ରୌପ୍ୟ ପଦକ ଜିତିଥିଲେ।

ତେବେ ୧୯୯୨ରେ ଆଣ୍ଠୁ ଆଘାତପ୍ରାପ୍ତ ହେବା ତାଙ୍କ କ୍ୟାରିୟର୍‌ରେ ଏକ ବଡ଼ ଅନ୍ତରାୟ ସାଜିଥିଲା।

ବଲାଙ୍ଗୀରର ଲମ୍ବୋଧର ମିଶ୍ର ଓ କୁମୁଦିନୀ ମିଶ୍ରଙ୍କ ୭ ସନ୍ତାନ ମଧ୍ୟରୁ ପ୍ରଣତି ପଞ୍ଚମ।

ବଲାଙ୍ଗୀର ସରକାରୀ ବାଳିକା ହାଇସ୍କୁଲ୍‌ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରୁ ପାଠପଢ଼ା ଶେଷ କରିଥିବା ପ୍ରଣତି ମିଶ୍ର ବ୍ୟାଙ୍କ କର୍ମଚାରୀ ସଚିକାନ୍ତ ପତିଙ୍କୁ ବିବାହ କରିଛନ୍ତି।

ସ୍କୁଲ୍‌ ଜୀବନରେ ଖୋ ଖୋ ଓ କବାଡ଼ି ବି ଖେଳିଥିବା ପ୍ରଣତି ମିଶ୍ରଙ୍କ ଖେଳ ଜୀବନକୁ କଟକ ସାଇ ତାଲିମ କେନ୍ଦ୍ରରେ ଗଢ଼ିଥିଲେ ପ୍ରଶିକ୍ଷକ ସୁବାସ ଦାସମହାପାତ୍ର।

ତାଙ୍କ ଅନ୍ୟ ତିନି ଭଉଣୀ ମଧ୍ୟ କ୍ରୀଡ଼ାବିତ୍‌ ଥିଲେ।

Advertisment Narendra Modi: "ବିକଶିତ ଭାରତ" ଓ "ୟଙ୍ଗି ଉଜବେକିସ୍ତାନ"ର ସମାନ ଦୃଷ୍ଟିକୋଣକୁ ଆଗେଇ ନେବା ନେଇ ମୁଁ ଆଶାବାଦୀ: ମୋଦୀ ଲୋମା ସ୍ବାଇଁଶ୍ରେଷ୍ଠ କ୍ରୀଡ଼ାବିତ୍‌ ଲୋମା ସ୍ବାଇଁ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ କରାଟେକା ହୋଇଛନ୍ତି ଅନେକ ପ୍ରତିବଂଧକ ସତ୍ତ୍ବେ।

ପ୍ରଥମ ଓଡ଼ିଆ ଭାବେ ବଧିର ଅଲିମ୍ପିକ୍ସ ପଦକ ଜିତି ନୂଆ ଇତିହାସ ରଚିଥିବା ଲୋମାଙ୍କ ଖେଳ ଜୀବନ ଉତ୍କଳ କରାଟେ ସ୍କୁଲ୍‌ରେ ହରି ପ୍ରସାଦ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ପ୍ରସ୍ଫୁଟିତ ହୋଇଛି।

ଜାତୀୟ କରାଟେରେ ବିଭିନ୍ନ ବୟସ ବର୍ଗରୁ ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିବା ପରେ ଲୋମା ବରିଷ୍ଠ ବର୍ଗରେ ବି ଚମକ ଛାଡ଼ିଛନ୍ତି।

ଜାତୀୟ କରାଟେ ବରିଷ୍ଠ ବର୍ଗର କୁମିତେ ଓ ଫାଇଟ୍‌ରୁ ୨ ସ୍ବର୍ଣ୍ଣ, ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି।

ଛବିଶ ବର୍ଷୀୟା ଲୋମାଙ୍କ ଅନ୍ତର୍ଜାତୀୟ ପଦକ ସଂଖ୍ୟା ୪ରେ ପହଞ୍ଚି ସାରିଛି।

୨୦୨୩ ଓ ୨୦୨୪ରେ କ୍ରମାଗତ ଭାବେ ଥିମ୍ପୁ ଓ କାଠମାଣ୍ଡୁରେ ଦକ୍ଷିଣ ଏସୀୟ କରାଟେ ପ୍ରତିଯୋଗିତାରେ ଯଥାକ୍ରମେ ରୌପ୍ୟ ଓ ସ୍ବର୍ଣ୍ଣ ଜିତିଥିଲେ।

୨୦୨୪ରେ ଦକ୍ଷିଣ ଆଫ୍ରିକା ଡର୍ବାନ୍‌ରେ ଅନୁଷ୍ଠିତ ଏକାଦଶ ରାଜ୍ୟଗୋଷ୍ଠୀ କରାଟେରେ ୫୦ କିଲୋଗ୍ରାମ୍‌ରୁ କମ୍‌ କୁମିତେ ଇଭେଣ୍ଟ୍‌ରୁ କାଂସ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ।

ତେବେ ସବୁଠାରୁ ବଡ଼ ସଫଳତା ସେ ଅର୍ଜନ କରିଥିଲେ ୨୦୨୫ ନଭେମ୍ବର ୨୪ ତାରିଖରେ।

ଟୋକିଓରେ ଅନୁଷ୍ଠିତ ୨୫ତମ ବିଶ୍ବ ବଧିର ଅଲିମ୍ପିକ୍ସରେ ସେ ୫୦ କିଲୋଗ୍ରାମ୍‌ରୁ କମ୍‌ କୁମିତେ ଇଭେଣ୍ଟ୍‌ରେ କାଂସ୍ୟ ପଦକ ଜିତି ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଥିଲେ।

ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଦେଇଥିଲେ।

ଡଜନେ ପ୍ରାୟ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ଜିତିଥିବା ଲୋମା ସର୍ବଭାରତୀୟ ପ୍ରତିଯୋଗିତାରୁ ମଧ୍ୟ ଗୋଟିଏ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି।

୨୦୨୪ରେ ଆବୁଧାବିଠାର ଏସୀୟ ଜୁ-ଜିତ୍‌ସୁରେ ମଧ୍ୟ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିବାର ଗୌରବ ରଖିଛନ୍ତି।

ଗୋପାଳକୃଷ୍ଣ ଦାଶଶ୍ରେଷ୍ଠ ପ୍ରଶିକ୍ଷକ ଢେଙ୍କାନାଳର ଏକ ଛୋଟ ଗାଁରୁ ଆରମ୍ଭ ହୋଇଥିବା ଭାରୋତ୍ତୋଳନ ଗୁରୁ ଗୋପାଳ କୃଷ୍ଣ ଦାଶଙ୍କ ସଂଘର୍ଷର କାହାଣୀ ଆଜି ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ପ୍ରେରଣାର ଉତ୍ସ।

ଆର୍ଥିକ ଅନଟନ, ସାଧନସୁବିଧାର ଅଭାବ ଏବଂ ପ୍ରାରମ୍ଭିକ ସମୟରେ ବ୍ୟବସ୍ଥିତ ସହାୟତା ନ ମିଳିବା ସତ୍ତ୍ୱେ ସେ ହାର ମାନି ନ ଥିଲେ।

ଗାଁରେ ଆବଶ୍ୟକ ପ୍ରଶିକ୍ଷଣ ଭିତ୍ତିଭୂମି କିମ୍ବା ଆଧୁନିକ କ୍ରୀଡ଼ା ସାମଗ୍ରୀ ନଥିବା ସମୟରେ ମଧ୍ୟ ତାଙ୍କ ଲକ୍ଷ୍ୟ ଥିଲା ଯୁବ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ନେବା।

ନିଜର ସୀମିତ ସମ୍ବଳ ମଧ୍ୟରେ ଶ୍ରୀ ଦାଶ ପ୍ରଶିକ୍ଷଣ ଦେବା ସହ ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା, ପରିଶ୍ରମ ଓ ଆତ୍ମବିଶ୍ୱାସର ଭାବନା ସୃଷ୍ଟି କରିଥିଲେ।

ସଂପ୍ରତି ସେ ଢେଙ୍କାନାଳ ଓଡ଼ିଶା ଭାରୋତ୍ତୋଳନ ହାଇ ପରଫର୍ମାନ୍ସ ସେଣ୍ଟରର ଢେଙ୍କାନାଳ ଉପକେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ।

ଏହି କେନ୍ଦ୍ରଟି ଟେନଭିକ୍ ସ୍ପୋର୍ଟସ୍‌ର ସହଭାଗିତାରେ ପରିଚାଳିତ ହେଉଛି।

ଏଥିସହ ସେ ଓଡ଼ିଶା ଭାରୋତ୍ତୋଳନ ସଂଘର ଅନ୍ତରୀଣ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି।

ଏକ ଦଶନ୍ଧିରୁ ଅଧିକ ସମୟ ହେବ ଓଡ଼ିଶା କ୍ରୀଡ଼ାର ବିକାଶ ପାଇଁ କାର୍ଯ୍ୟ କରି ଆସୁଥିବା ଶ୍ରୀ ଦାଶଙ୍କ ପ୍ରଶିକ୍ଷଣରେ ଏକାଧିକ ଓଡ଼ିଆ ଭାରୋତ୍ତୋଳନ ତାରକା ଏସୀୟ, ରାଜ୍ୟଗୋଷ୍ଠୀ ତଥା ବିଶ୍ବସ୍ତରରେ ମଧ୍ୟ ରେକର୍ଡ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ସେମାନଙ୍କ ମଧ୍ୟରେ ରହିଛନ୍ତି ଆଇଡବ୍‌ଲ୍ୟୁଏଫ୍‌ ବିଶ୍ବ ଯୁବ ଚାମ୍ପିଅନସିପ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ପ୍ରୀତିସ୍ମିତା ଭୋଇ, ବିଦୁସ୍ମିତା ଭୋଇ, ହୃଦାନନ୍ଦ ଦାସ, ସ୍ୱୟମ୍‌ଜିତ ପ୍ରସାଦ ସାହୁ ଓ ସୁବ୍ରତ ନାୟକଙ୍କ ଭଳି ଭାରୋତ୍ତୋଳକ।

ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଦଳଗତ ଭାବେ ଏକାଧିକ ଜାତୀୟ ପ୍ରତିଯୋଗିତାରେ ସ୍ମରଣୀୟ ସଫଳତାର ଛାପ ଛାଡ଼ିଛି।

ଶ୍ରୀ ଦାଶ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଦେଉଳସାହି ବାସିନ୍ଦା ସ୍ବର୍ଗତ ସୁରଥ ଚନ୍ଦ୍ର ଦାଶ ଓ ସୁଷମା ଦାଶଙ୍କ ସୁପୁତ୍ର।

Protest: ଭଦ୍ରକ ଜିଲ୍ଲା ଟ୍ରକ୍ ଟିପର ମାଲିକ ସଂଘର ଧାରଣାକୁ ମାସେ ବିତିଲା, ଶୁଣିଲାନି ପ୍ରଶାସନ ସୁଚିତ୍ରା ପରିଡ଼ାଶ୍ରେଷ୍ଠ ପାରା କ୍ରୀଡ଼ାବିତ୍‌ ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ଭୂଆଁ ଗ୍ରାମର କେତକୀ ଓ ଜୟରାମ ପରିଡ଼ାଙ୍କ ମଝିଆଁ ଝିଅ ସୁଚିତ୍ରା ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ଜିତିଛନ୍ତି।

ହ୍ବିଲ୍‌ଚେୟାର୍‌ ବାସ୍କେଟବଲ୍‌ରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ସୁଚିତ୍ରା ୨୦୧୭ରୁ ୨୦୨୦ ଭିତରେ ୩ ଅନ୍ତର୍ଜାତୀୟ ଓ ୪ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଖେଳିଥିଲେ।

ଏହା ଦଳଗତ ପ୍ରତିଯୋଗିତା ଥିବାରୁ କୋଭିଡ୍‌ ପରେ ୨୦୨୨ରେ ବ୍ୟକ୍ତିଗତ ଖେଳ ଉପରେ ଧ୍ୟାନ ଦେଇଥିଲେ।

ଶେଷରେ ଜାଭ୍‌ଲିନ୍‌ ଓ ସଟ୍‌ପୁଟ୍‌କୁ ବାଛି ଆଗକୁ ବଢ଼ିଥିଲେ।

ନିଜ ନୂଆ କ୍ୟାରିୟର୍‌ର ପ୍ରଥମବର୍ଷ ଜାତୀୟ ପାରା ଦୌଡ଼କୁଦର ଟି-୫୫ ଜାଭ୍‌ଲିନ୍‌ରେ କାଂସ୍ୟ ଏବଂ ଏହା ପରବର୍ଷ ରୌପ୍ୟ ଜିତିବା ପରେ ତାଙ୍କୁ ଅନ୍ତର୍ଜାତୀୟ ପଦାର୍ପଣ ସୁଯୋଗ ମିଳିଲା।

ବେଙ୍ଗାଲୁରୁରେ ଇଣ୍ଡିଆନ୍‌ ଓପନ୍‌ ପାରା ଆଥ୍‌ଲେଟିକ୍ସ ଇଣ୍ଟର୍‌ନ୍ୟାସ୍‌ନାଲ୍‌ରେ ରୌପ୍ୟ ପଦକ ଜିତିବା ପରେ ସେହିବର୍ଷ ପ୍ରଥମ ଖେଲୋ ଇଣ୍ଡିଆ ପାରା ଦୌଡ଼କୁଦରେ ସେ ଜାତୀୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତି ନିଜର ଆଧିପତ୍ୟ ଆରମ୍ଭ କରିଥିଲେ।

୨୦୨୪ ଜାତୀୟ ପାରା କ୍ରୀଡ଼ାରେ ସୁଚିତ୍ରା ୧୬.୯୯ ମିଟର ଜାଭଲିନ୍‌ ଫିଙ୍ଗି ପୁଣି ରେକର୍ଡ କରିବା ସହ ସ୍ବର୍ଣ୍ଣ ହାତେଇଥିଲେ।

ତେବେ ଚେନ୍ନାଇରେ ଆୟୋଜିତ ଜାତୀୟ ପାରା ଦୌଡ଼କୁଦରେ ୧୮.୭୯ ମିଟର ଜାଭ୍‌ଲିନ୍‌ ଫିଙ୍ଗି ନିଜ ନାମରେ ଥିବା ପୂର୍ବ ରେକର୍ଡ ଭାଙ୍ଗି ବିଜେତା ହୋଇଥିଲେ।

ଚଳିତବର୍ଷର ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି ସେ।

ଅନ୍ତର୍ଜାତୀୟରେ ୨୦୨୩ରେ ବିଶ୍ବ ଆବିଲିଟିସ୍ପୋର୍ଟ ଗେମ୍ସର ଜାଭ୍‌ଲିନ୍‌ରେ ସ୍ବର୍ଣ୍ଣ ଏବଂ ସଟ୍‌ପୁଟ୍‌ରେ ରୌପ୍ୟ ଜିତିଥିଲେ।

ଷଷ୍ଠ ଇଣ୍ଡିଆନ୍‌ ଓପନ୍‌ (୨୦୨୪)ରେ ସ୍ବର୍ଣ୍ଣ (ଜାଭ୍‌ଲିନ୍‌) ଓ କାଂସ୍ୟ (ସଟ୍‌ପୁଟ୍‌) ଏବଂ ବିଶ୍ବ ପାରା ଦୌଡ଼କୁଦ ଗ୍ରାଁ ପ୍ରି ରୌପ୍ୟ (ଜାଭ୍‌ଲିନ୍‌), କାଂସ୍ୟ (ସଟ୍‌ପୁଟ୍‌) ଜିତିଥିଲେ।

ଗତବର୍ଷ ସପ୍ତମ ଇଣ୍ଡିଆନ୍‌ ଓପନ୍‌ରେ ସ୍ବର୍ଣ୍ଣ (ଜାଭଲିନ୍‌) ଓ ରୌପ୍ୟ (ସଟ୍‌ପୁଟ୍‌) ପାଇଥିଲେ।

ପାୟଲ ନାଗଶ୍ରେଷ୍ଠ ଉଦୀୟମାନ କନିଷ୍ଠ କ୍ରୀଡ଼ାବିତ୍‌ ପିଲାବେଳେ ଏକ ଦୁର୍ଘଟଣାରେ ନିଜର ଦୁଇହାତ ଓ ଗୋଡ଼ ହରାଇଥିବା ପାୟଲ ନାଗ ଏବେ ପାରା ତୀରନ୍ଦାଜୀରେ ସମଗ୍ର ବିଶ୍ବରେ ଏକ ଚର୍ଚ୍ଚିତ ନାମ।

ଅତି ପ୍ରତିକୂଳ ପରିସ୍ଥିତିରେ ନିଜର ଦୃଢ଼ ଆତ୍ମବିଶ୍ବାସ ଦ୍ବାରା କିପରି ସଫଳତା ହାସଲ କରିହେବ ତାହା ସେ କରି ଦେଖାଇଛନ୍ତି।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ର ଯମୁନାବାହାଲ ଗାଁର ଦାଦନ ଶ୍ରମିକ ଦମ୍ପତି ବିଜୟ ନାଗ ଓ ମା" ଜନତା ନାଗଙ୍କ କନ୍ୟା ପାୟଲଙ୍କ ପିଲାବେଳ କଟିଥିଲା ପାର୍ବତୀଗିରି ବାଳନିକେତନରେ।

ତାଙ୍କ ପ୍ରତିଭା ଦେଖି ପାରାତୀରନ୍ଦାଜୀ କୋଚ୍ କୁଲଦୀପ୍‌ ବେଦୱାନ୍‌ ତାଙ୍କୁ ୨୦୨୨ରେ ଜମ୍ମୁର କାଟ୍ରାସ୍ଥିତ ଶ୍ରୀମାତା ବୈଷ୍ଣୋଦେବୀ ତୀରନ୍ଦାଜୀ ଏକେଡେମୀକୁ ନେଇଥିଲେ।

ସେଠାରେ ପ୍ରଶିକ୍ଷଣ ପାଇବା ପରେ ପାୟଲ ପାରା ତୀରନ୍ଦାଜୀରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିବା ଆରମ୍ଭ କରିଥିଲେ।

୨୦୨୫ ଜାନୁଆରିରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ୬ଷ୍ଠ ଜାତୀୟ ପାରାତୀରନ୍ଦାଜୀରେ ସେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ।

ସେହିବର୍ଷ ମାର୍ଚ୍ଚରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ପାରାକ୍ରୀଡ଼ାର ମହିଳା କମ୍ପାଉଣ୍ଡରେ ପାୟଲ ରୌପ୍ୟ ଜିତିଥିଲେ।

ଚଳିତବର୍ଷ ପତିଆଲାରେ ଅନୁଷ୍ଠିତ ୭ମ ଜାତୀୟ ପାରାତୀରନ୍ଦାଜୀରେ  ସେ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତିଥିଲେ।

ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ଥାଇଲାଣ୍ଡରେ ଅନୁଷ୍ଠିତ ବିଶ୍ବ ତୀରନ୍ଦାଜୀ ପାରା ସିରିଜରେ ସେ ଦୁଇଟି ସ୍ବର୍ଣ୍ଣପଦକ ଜିତିଥିଲେ।

ସେହିପରି ଜୁଲାଇରେ  ଚେକ୍‌ ଗଣତନ୍ତ୍ରରେ ଅନୁଷ୍ଠିତ ବିଶ୍ବ ତୀରନ୍ଦାଜୀ ପାରା ସିରିଜ୍‌ର ମହିଳା ଦଳଗତ ଇଭେଣ୍ଟରେ କାଂସ୍ୟ ଜିତିଥିଲେ।

୨୦୨୬ ମେ ୨୯ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପାୟଲଙ୍କୁ ୫ ଲକ୍ଷ ୪୬ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଏବଂ ଉପକରଣ କିଣିବା ପାଇଁ ଆଉ ୩ ଲକ୍ଷ ୨୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ତାଙ୍କୁ ଉଚ୍ଚମାନର ରୋବୋଟିକ୍ ଅଙ୍ଗ ମଧ୍ୟ ଯୋଗାଇ ଦିଆଯାଇଛି।

ପ୍ରତୀକ ମହାରଣାଶ୍ରେଷ୍ଠ ଉଦୀୟମାନ କନିଷ୍ଠ କ୍ରୀଡ଼ାବିତ୍‌ ବରଗଡ଼ ଜିଲ୍ଲା ଡଙ୍ଗା ଗାଁର ପ୍ରତୀକ ମହାରଣା ଜଣେ ଉଦୀୟମାନ ସ୍ପ୍ରିଣ୍ଟର।

ବରଗଡ଼ ମିନି ଷ୍ଟାଡିୟମ୍‌ରେ ପ୍ରଶିକ୍ଷକ ଶିବ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ସେ ପ୍ରାରମ୍ଭିକ ପ୍ରଶିକ୍ଷଣ ହାସଲ କରିଥିଲେ।

କିନ୍ତୁ ପରିବାରର ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କୁ ଜଣେ ଡେଲିଭରି ବୟ ଭାବେ କାମ କରିବାକୁ ପଡ଼ିଥିଲା।

କିନ୍ତୁ ଏହା ତାଙ୍କୁ ନିଜର ଲକ୍ଷ୍ୟ ହାସଲରୁ ବିରତ କରିପାରି ନ ଥିଲା।

ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ରାଜ୍ୟସ୍ତର ଠାରୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ପାଇଛନ୍ତି।

ଜାତୀୟସ୍ତରରେ ପ୍ରତୀକଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ।

୨୦୨୩ ନଭେମ୍ବରରେ କୋଏମ୍ବାଟୁରରେ ଅନୁଷ୍ଠିତ ୩୮ତମ ଜାତୀୟ ଯୁବ ଆଥ୍‌ଲେଟିକ୍ସରେ ସେ ସ୍ବର୍ଣ୍ଣ ଜିତିଥିଲେ।

୨୦୨୪ରେ ବିଳାସପୁରରେ ଜାତୀୟ ଯୁବ ଆଥ୍‌ଲେଟିକ୍ସର ୨୦୦ ମିଟର୍‌ରେ ନୂଆ ମିଟ୍ ରେକର୍ଡ କରି ସ୍ୱର୍ଣ୍ଣ ଜିତିଥିଲେ।

ସେହିବର୍ଷ ଡିସେମ୍ବରରେ କଳିଙ୍ଗରେ ଆୟୋଜିତ ୩୯ତମ କନିଷ୍ଠ ଦୌଡ଼କୂଦରେ ପ୍ରତୀକ ୨୦୦ ମିଟରରେ ନୂଆ ମିଟ୍‌ ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିଲେ।

୨୦୨୫ ଅକ୍ଟୋବରରେ କଳିଙ୍ଗରେ ଆୟୋଜିତ ୪୦ତମ ଜାତୀୟ କନିଷ୍ଠ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ୨୦୦ ମିଟରରେ ସ୍ୱର୍ଣ୍ଣ ସହ ୨୦ ବର୍ଷରୁ କମ୍‌ ବିଶ୍ବ ଆଥଲେଟିକ୍ସ ୨୦୨୬ ପାଇଁ ଯୋଗ୍ୟତା ହାସଲ କରିଥିଲେ।

୨୦୨୪ ସେପ୍ଟେମ୍ବର ୧୩ରେ ଚେନ୍ନାଇରେ ଆୟୋଜିତ ଚତୁର୍ଥ ଦକ୍ଷିଣ ଏସୀୟ କନିଷ୍ଠ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

ପଦାର୍ପଣରେ ହିଁ ସେ ୨୦୦ ମିଟର ଏବଂ ୪ଗୁଣା ୧୦୦ ମିଟର ରିଲେରେ ଦୁଇଟି ରୌପ୍ୟ ପଦକ ଜିତି ନିଜ ଆଗମନର ଛାପ ଛାଡ଼ିଥିଲେ।

୨୦୨୫ ଅକ୍ଟୋବରରେ ରାଞ୍ଚିରେ ଚତୁର୍ଥ ଦକ୍ଷିଣ ଏସୀୟ ବରିଷ୍ଠ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ସେ ଗୋଟିଏ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ଏବେ ସେ ଦୂତୀଚାନ୍ଦ ସ୍ପୋର୍ଟସ୍‌ ଫାଉଣ୍ଡେସନରେ ପ୍ରଶିକ୍ଷଣ ନେଉଛନ୍ତି।

ଫାଉଣ୍ଡେସନ୍‌ ତାଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛି।

Weekly Horoscope 2026 August 30 to September 05: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ପ୍ରବୋଧ କୁମାର ମହାନ୍ତିକ୍ରୀଡ଼ା ବୈଷୟିକ ଅଧିକାରୀ ଶ୍ରେଷ୍ଠ କ୍ରୀଡ଼ା ବୈଷୟିକ ଅଧିକାରୀ ଭାବେ ପୁରସ୍କାର ପାଇଛନ୍ତି ପ୍ରବୋଧ କୁମାର ମହାନ୍ତି।

କଟକ ଜିଲ୍ଲାର ପାଳଡ଼ା ଗାଁର ସୋମନାଥ ମହାନ୍ତି ଓ ସୁଭଦ୍ରା ସୁନ୍ଦରୀ ମହାନ୍ତିଙ୍କ ପୁତ୍ର ପ୍ରବୋଧଙ୍କ ଜନ୍ମ ୧୯୬୩ ମେ ୩୧ ତାରିଖରେ।

୧୯୭୮ରୁ ୧୯୮୧ ମଧ୍ୟରେ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ କଟକ ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ବ କରି ଏକାଧିକ ପଦକ ଜିତିଥିଲେ।

୧୯୮୧ ମସିହାରେ କେରଳରେ ଆୟୋଜିତ ଜାତୀୟ କନିଷ୍ଠ ପ୍ରତିଯୋଗିତାର ହାଇଜମ୍ପ୍‌ରେ କାଂସ୍ୟ ପଦକ ଜିତିଥିଲେ।

ତାଙ୍କ ଶ୍ରେଷ୍ଠ ଜମ୍ପ୍‌ ୧.୭୫ ମିଟର ରହିଛି।

ଖେଳ ଜୀବନ ପରେ ପ୍ରବୋଧ ବୈଷୟିକ ଅଧିକାରୀ ହୋଇଗଲେ।

ଆଇଏଏଫ୍‌ର ଲେବଲ୍‌-୧ ବୈଷୟିକ ଅଧିକାରୀ ଭାବେ ସେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପରିଚାଳନା କରିବାର ଅଭିଜ୍ଞତା ପାଇଛନ୍ତି।

ସେସବୁ ମଧ୍ୟରେ ରହିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ ଦୌଡ଼କୁଦ, ଯୁବ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଜାତୀୟ କ୍ରୀଡ଼ା, ବିଶ୍ବ ସାମରିକ କ୍ରୀଡ଼ା ଇତ୍ୟାଦି।

ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍‌ ଦୌଡ଼କୁଦ ଏଚ୍‌ପିସିରେ ପ୍ରତିଯୋଗିତା ପ୍ରବନ୍ଧକ ଭାବେ କାର୍ଯ୍ୟ କରିଛନ୍ତି।

୧୯୮୨ରେ କ୍ରୀଡ଼ା କୋଟାରେ ଭାରତୀୟ ନୌସେନାରେ ଚାକିରି କରିଥି‌ଲେ।

ନୌସେନାରେ ଥିବାବେଳେ ସେ ସାମରିକ ବାହିନୀରେ ଅନୁଷ୍ଠିତ ଦୌଡ଼କୁଦ ପ୍ରତିଯୋଗିତାର ଡିକାଥଲନ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ।

୧୯୯୯ରେ ସେ ଅବସର ନେବା ପରେ କ୍ରୀଡ଼ା କ୍ଷେତ୍ରକୁ ପୁଣି ଫେରିଥିଲେ।

ବୈଷୟିକ ଅଧିକାରୀ ହୋଇ କ୍ରୀଡ଼ା ‌ସହ ଯୋଡ଼ି ହୋଇ ରହିଛନ୍ତି ପ୍ରବୋଧ।

୭ ଜାନୁଆରି ୨୦୨୧ରେ ତାଙ୍କୁ ଖେଲୋ ଇଣ୍ଡିଆ ପୂର୍ବାଞ୍ଚଳ ପ୍ରତିଭା ଚିହ୍ନଟ (ଦୌଡ଼କୁଦ) କମିଟିର ଜଣେ ସଦସ୍ୟଭାବେ ମନୋନୀତ କରାଯାଇଥିଲା।

ଶକ୍ତି ପ୍ରକାଶ ନନ୍ଦଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ କ୍ରୀଡ଼ା ସାମ୍ବାଦିକ କ୍ଷେତ୍ରରେ ଉଳ୍ଲେଖନୀୟ ଅବଦାନ ରଖିଛନ୍ତି ଓଡ଼ିଆ ଦୈନିକ ଖବରକାଗଜ "ସମୟ"ର ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ଶକ୍ତି ପ୍ରକାଶ ନନ୍ଦ।

ଶକ୍ତିପ୍ରକାଶ ‌ହେଉଛନ୍ତି ମା" ବିରଜା କ୍ଷେତ୍ରର(ଯାଜପୁର ଜିଲ୍ଲା) ବିନ୍ଧାଣ ଗାଁର ଗଦାଧର ନନ୍ଦ ଓ ପଦ୍ମିନୀ ନନ୍ଦଙ୍କ ସୁପୁତ୍ର।

ଗାଁରେ ପ୍ରାରମ୍ଭିକ ଶିକ୍ଷା ପରେ ଯାଜପୁର ଜିଲ୍ଲା ସ୍କୁଲରୁ ମାଟ୍ରିକ୍‌, ଏନ୍‌.ସି.

ଅଟୋନୋମସ୍ କଲେଜରୁ ଉଚ୍ଚ ଶିକ୍ଷା (+୨, +୩, ଇତିହାସରେ ପିଜି) କରିଥିଲେ।

ଏହାପରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ରେ ସାମ୍ବାଦିକତା ପାଠ ଶେଷ କରିଥିଲେ।

ପ୍ରଥମେ ଓଡ଼ିଆ ଖବରକାଗଜ "ସର୍ବସାଧାରଣ"ରେ କ୍ରୀଡ଼ା ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କରିଥିଲେ।

ଏହାପରେ ନିର୍ଭୟ, ପ୍ରଗତିବାଦୀ, ଓଡ଼ିଶା ନ୍ୟୁଜ୍‌ ଏଜେନ୍ସି (ଓଏନ୍‌ଏ) ଭଳି ସଂସ୍ଥାରେ କିଛି ବର୍ଷ କାର୍ଯ୍ୟ କରିବା ପରେ ୨୦୧୫ରୁ "ସମୟ"ରେ କାର୍ଯ୍ୟରତ ଅଛନ୍ତି।

ତାଙ୍କର ଏହି ୧୫ ବର୍ଷର କ୍ରୀଡ଼ା ସାମ୍ବାଦିକତା ଅବସରରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ରିପୋର୍ଟିଂ କରିବାର ଅଭିଜ୍ଞତା ପାଇଛନ୍ତି।

ଦୁଇଟି ହକି ବିଶ୍ୱକପ୍‌, ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌, ଏକାଧିକ ରଣଜୀ ଟ୍ରଫି, ସନ୍ତୋଷ  ଟ୍ରଫି, ଅଲ୍ଟିମେଟ ଖୋଖୋ, କବାଡ଼ି, କ୍ରିକେଟ୍‌, କଳିଙ୍ଗ ଷ୍ଟାଡିୟମରେ ବହୁ ଦୌଡ଼କୁଦ ପ୍ରତିଯୋଗିତା, ଟେନିସ୍‌, ବ୍ୟାଡ୍‌ମିଣ୍ଟନ୍‌ ଓ ଆଇପିଏଲ୍ ଭଳି ଲୋକପ୍ରିୟ କ୍ରୀଡ଼ା ପାଖରୁ ରିପୋର୍ଟିଂ କରିଛନ୍ତି।

ଶକ୍ତିପ୍ରକାଶ ଖବରକାଗଜରେ କାମ କରିବା ସହ ଏକ କ୍ରୀଡ଼ା ଭିତ୍ତିକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲି କ୍ରୀଡ଼ାବିକାଶରେ ନିଜକୁ ନିୟୋଜିତ କରିଛନ୍ତି।

Protest: ଭଦ୍ରକ ଜିଲ୍ଲା ଟ୍ରକ୍ ଟିପର ମାଲିକ ସଂଘର ଧାରଣାକୁ ମାସେ ବିତିଲା, ଶୁଣିଲାନି ପ୍ରଶାସନ ସମଲେଶ୍ବରୀ ସ୍ପୋର୍ଟିଂ କ୍ଲବ୍‌ କ୍ରୀଡ଼ା ପ୍ରୋତ୍ସାହନର ଶ୍ରେଷ୍ଠ ଅନୁଷ୍ଠାନ ୨୦୦୬ ମସିହା ମାର୍ଚ୍ଚ ୩୦ ତାରିଖରେ ହୀରାକୁଦ ଜଳଭଣ୍ଡାରର ପିତାପାଲି ନିକଟରେ ପ୍ରତିଷ୍ଠା ହୋଇଥିବା ସମଲେଶ୍ବରୀ ସ୍ପୋର୍ଟିଂ କ୍ଲବ୍‌ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ସର୍ବୋତ୍କୃଷ୍ଟ ଅବଦାନ ରଖିଛି।

ସମ୍ବଲପୁର ଫୁଟବଲ୍‌ ଏକାଡେମୀ ନିକଟରେ ପ୍ରତିଷ୍ଠା ହୋଇଥିବା ଏହି କ୍ଲବ୍‌ ତ୍ରୁଣମୂଳସ୍ତରରେ ତଥା ଚାରିଟେବଲ୍ ଅନୁଷ୍ଠାନ ଭାବେ ସ୍ଥାନୀୟ ଫୁଟ୍‌ବଲ୍‌ ପ୍ରତିଭାଙ୍କର ବିକାଶ ପାଇଁ କାମ କରି ଆସୁଛି।

୨ ଦଶନ୍ଧିର ଯାତ୍ରା ମଧ୍ୟରେ ଏହି କ୍ଲବ୍‌ ସମଗ୍ର ପଶ୍ଚିମ ଓଡ଼ିଶାରେ ପେସାଦାର ଫୁଟ୍‌ବଲ୍‌ କ୍ଲବ୍‌ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ନିକଟରେ ଏସିଆର ସର୍ବପୁରାତନ ୧୩୫ତମ ଡୁରାଣ୍ଡ କପରେ ସମଲେଶ୍ବରୀ ସ୍ପୋର୍ଟିଂ କ୍ଲବ୍‌ ପଦାର୍ପଣ କରି ଚମତ୍କାର ପ୍ରଦର୍ଶନ କରିଥିଲା।

ମହମ୍ମଦାନ ସ୍ପୋର୍ଟିଂ ଭଳି ଦେଶର ପ୍ରତିଷ୍ଠିତ ଫୁଟବଲ୍‌ କ୍ଲବ୍‌କୁ ପରାସ୍ତ କରିଥିଲା ବେଳେ ଗୋଲ୍‌ ବ୍ୟବଧାନରେ ଅଳ୍ପକେ କ୍ବାର୍ଟର ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା।

୨୦୨୫ ମସିହାର ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଲିଗରେ ଚାମ୍ପିଅନ୍ ହୋଇଥିଲା।

୨୦୨୬-୨୦୨୭ ଆଇଏଫ୍‌ଏଲ୍‌-୧ ଲିଗ୍‌ରେ ବି ସିଧାସଳଖ ପ୍ରବେଶ କରିବାକୁ ଯାଉଛି ସମଲେଶ୍ବରୀ ସ୍ପୋର୍ଟିଂ କ୍ଲବ୍‌।

ଦିଲ୍ଲୀ ଫୁଟ୍‌ବଲ୍‌ କ୍ଲବ୍‌ର ସ୍ପୋର୍ଟିଂ ଲାଇସେନ୍ସ ପାଇବାକୁ ସମଲେଶ୍ବରୀ ଏସସି ପକ୍ଷରୁ ଏକ ଚୁକ୍ତି ମଧ୍ୟ ଚୂଡ଼ାନ୍ତ ହୋଇଛି।

ଯେଉଁଥିରେ ରାଜ୍ୟର ପ୍ରଥମ ଦଳ ଭାବେ ସମ୍ବଲପୁର ଆଇଏଫ୍‌ଏଲ୍‌ ଖେଳିବାକୁ ଯାଉଛି।

ଏଥିନେଇ କ୍ଲବ୍‌ର ମ୍ୟାନେଜିଂ ଟ୍ରଷ୍ଟି ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି "ଏହା କେବଳ ସମ୍ବଲପୁର ନୁହେଁ ବରଂ ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ"।

ସରକାରଙ୍କୁ ଧନ୍ୟବାଦ ଯେ ଏତେଦିନ ପରେ କ୍ଲବ୍‌ର ପ୍ରଚେଷ୍ଟାକୁ ଚିହ୍ନିପାରିଲେ ବୋଲି ଶ୍ରୀ ମିଶ୍ର କହିବା ସହ ଖୁସିବ୍ୟକ୍ତ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।